Latest Odisha News

BREAKING NEWS

କର୍ଣ୍ଣାଟକରେ ରେକର୍ଡ ମତଦାନ ,ଅଧିକ ଭୋଟ କଂଗ୍ରେସକୁ ନା ବିଜେପିକୁ?

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଅର୍ଥାତ ଆସନ୍ତା ୧୩ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ ଗଣତି ହେବ। ତେଣୁ ନିର୍ବାଚନର ପ୍ରକୃତ ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଭିନ୍ନ ଭିନ୍ନ ମତ ଆସୁଛି।

ପ୍ରାୟ ମତ ଅନୁଯାୟୀ କଂଗ୍ରେସ ଆଗରେ ରହିଥିଲେ ମଧ୍ୟ ବହୁ ସର୍ଭେ ଝୁଲା ସରକାରର ସଂକେତ ଦେଉଛି। ଇଣ୍ଡିଆ ଟୁଡେ ଓ ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ ପୋଲ ଅନୁଯାୟୀ କଂଗ୍ରେସ ୧୨୨ ରୁ ୧୪୦ ଆସନ ପାଉଥିବା ବେଳେ ବିଜେପି ୬୨ ରୁ ୮୦ ଓ ଜେଡିଏସ ୨୦ରୁ ୨୫ଟି ଆସନ ପାଇବ।

ଏବିପି ନ୍ୟୁଜ ସି ଭୋଟର ଏକଜିଟ ପୋଲ ଅନୁଯାୟୀ ବିଜେପି ୮୩ ରୁ ୯୫, କଂଗ୍ରେସ ୧୦୦ ରୁ ୧୧୨ ଓ ଜେଡିଏସ ୨୧ ରୁ ୨୯ଟି ଓ ଅନ୍ୟାନ୍ୟ ୨ ରୁ ୬ଟି ଆସନ ଜିତିବେ। ସେପଟେ ନ୍ୟୁଜ ନେସନ କିନ୍ତୁ ବିଜେପିକୁ ବହୁମତ ମିଳିବା ସପକ୍ଷରେ ମତ ଦେଇଛି। ବିଜେପିକୁ ୧୧୪, କଂଗ୍ରେସ ୮୬, ଜେଡିଏସ ୨୧ଟି ଓ ଅନ୍ୟାନ୍ୟ ଦଳ ୩ ଆସନ ପାଇବେ ବୋଲି ଦର୍ଶାଯାଇଛି।

ଟାଇମ୍ସ ନାଓ-ଇଟିଜି କଂଗ୍ରେସ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିବା ନେଇ ମତ ରଖିଛି। ସର୍ଭେ ଅନୁଯାୟୀ କଂଗ୍ରେସ ୧୧୩ଟି, ବିଜେପି ୮୫, ଜେଡିଏସ୍‌ ୨୩ଟି ଓ ଅନ୍ୟାନ୍ୟ ଦଳ ୩ ଆସନ ଜିତିବେ। ଏଭଳି ଅନେକ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଅନୁଯାୟୀ କଂଗ୍ରେସ ସବୁଠୁ ଅଧିକ ସିଟ ଜିତୁଥିବା କୁହାଯାଉଥିବା ବେଳେ ତା ପରେ ବିଜେପି ଓ ଜେଡିଏସ ରହୁଛନ୍ତି।

କିନ୍ତୁ ସ୍ପଷ୍ଟ ବହୁମତ କାହାକୁ ମିଳି ନ ପାରେ ବୋଲି ମଧ୍ୟ କିଛି ସର୍ଭେରେ ଆସିଛି। ଏଭଳି ସ୍ଥିତିରେ କିଏ ଓ କେମିତି ସରକାର ଗଢ଼ିବ ତାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସ୍ଥିତି ସ୍ପଷ୍ଟ ହେବାକୁ ଆଉ ମାତ୍ର ଅଳ୍ପ ସମୟ ବାକି ଥିବା ବେଳେ କର୍ଣ୍ଣାଟକ ନିର୍ବାଚନରେ ଆଉ ଏକ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୧୯୫୨ ମସିହା ପରଠାରୁ ଏ ଯାଏ ହୋଇଥିବା ନିର୍ବାଚନରେ ଏଥର ମତଦାନ ପ୍ରତିଶତ ସବୁଠୁ ଅଧିକ ହୋଇଛି। ଏଥର କର୍ଣ୍ଣାଟକରେ ମତଦାନ ପ୍ରତିଶତ ୭୨.୬୭ ପ୍ରତିଶତ ରହିଛି।

ଯାହାକି କର୍ଣ୍ଣାଟକ ରାଜନୈତିକ ଇତିହାସରେ ଏକ ରେକର୍ଡ ବୋଲି କୁହାଯାଇଛି। ୨୦୧୮ ନିର୍ବାଚନରେ ଭଲ ମତଦାନ ହୋଇଥିଲେ ମଧ୍ୟ ଏହା ୭୨.୩୬ ପ୍ରତିଶତ ଥିଲା।

ତେଣୁ ରେକର୍ଡ ସଂଖ୍ୟକ ଲୋକେ ଭୋଟ ଦେବାକୁ ନେଇ କଂଗ୍ରେସ ବିଜେପି ଭିନ୍ନ ଭିନ୍ନ ଆକଳନ ଆରମ୍ଭ କରିଛନ୍ତି। ଅଧିକ ସଂଖ୍ୟକ ମତଦାନ ସତ୍ତା ବିରୋଧରେ ଯାଉଥିବା କୁହାଯାଏ। ତେଣୁ କଂଗ୍ରେସ ଏଭଳି କିଛି ଆକଲନ ଆରମ୍ଭ କରିଛି।

ଗ୍ରାମାଞ୍ଚଳରେ କଂଗ୍ରେସ ବିଜେପିକୁ ମାତ ଦେଇଥିବା କଂଗ୍ରେସ ଅନୁମାନ କରିଛି। ଏହା ବିଜେପିର ଖରାପ ପ୍ରଦର୍ଶନର ପ୍ରତିଫଳନ ବୋଲି କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ରଣଦୀପ ସୁରଜେବାଲା କହିଛନ୍ତି।

ସେପଟେ ବିଜେପି ଯୁବମୋର୍ଚା ଜାତୀୟ ସଭାପତି ତେଜସ୍ୱି ସୂର୍ଯ୍ୟଙ୍କ କହିବା କଥା ଆମେରିକା, କାନାଡ଼ା, ଜର୍ମାନୀ ଏବଂ ବିଶ୍ୱର ଅନେକ ଯାଗାରୁ ଆସି ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ସେମାନେ ବିକାଶ ସପକ୍ଷରେ ଭୋଟ ଦେଇଛନ୍ତି।

ବହୁ ନୂଆ ଚେହେରାଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟରକୁ ପ୍ରତିହତ କରିବାକୁ ଦଳ ସଫଳ ହୋଇଛି ବୋଲି ବିଜେପି ନେତାମାନେ ଆଶା ରଖିଛନ୍ତି। ଏପରିକି ଜୟ ବଜରଙ୍ଗବାଲି ପ୍ରସଙ୍ଗ ମଧ୍ୟ ଦଳକୁ ଅଧିକ ସମର୍ଥନ ବଢାଇବାରେ ସହାୟତା କରିଥିବା ବିଜେପି ପକ୍ଷରୁ ଆଶା ରଖାଯାଇଛି।

ତେଣୁ ଏ ସବୁ ରାଜନୈତିକ ଆକଳନ ମଧ୍ୟରେ କର୍ଣ୍ଣାଟକରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚାଲିଛି। ଏହି ନିର୍ବାଚନ କଂଗ୍ରେସ ଓ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆଗକୁ ନିର୍ବାଚନ ଥିବାରୁ କର୍ଣ୍ଣାଟକରେ ଯେଉଁ ଦଳ ସରକାର ଗଢ଼ିବ ସେ ସାରା ଦେଶକୁ ଏହି ବାର୍ତା ନେଇକି ଯିବ।

ଆଗକୁ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ଆଦି ରାଜ୍ୟର ନିର୍ବାଚନ ଅଛି। ତା ପରେ ଦେଶର ସାଧାରଣ ନିର୍ବାଚନ ବି ପାଖେଇ ଆସିଲାଣି। ତେଣୁ ଏଭଳି ସ୍ଥିତିରେ ଉଭୟ ବିଜେପି ଓ କଂଗ୍ରେସ ଏହି ନିର୍ବାଚନ ଫଳାଫଳକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.