ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନାଁ ନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡ଼ ବାବୁ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସାନ ବାବୁ କହି ଟାର୍ଗେଟ୍ କରିଛନ୍ତି ।
ଅପରାଜିତା କହିଛନ୍ତି ଯେ, ‘୨୪ ବର୍ଷ ହେଲା ରାଜ୍ୟରେ ଏକ ନିଷ୍କ୍ରିୟ ସରକାର ଚାଲିଛି । କୋରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଦେଖିବାକୁ ମିଳୁନାହିଁ । ସେକ୍ରେଟାରିଏଟକୁ ଆଉ ଯାଉ ନାହାନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ସମସ୍ତ ବିଭାଗର କାର୍ଯ୍ୟ ତଦାରଖ କରିବା କଥା ହେଲେ ତାହା ଆଉ ଦେଖିବାକୁ ମିଳୁନାହିଁ । କୌଣସି ରାଜ୍ୟରେ ଏପରି ବିଚିତ୍ର ବ୍ୟବସ୍ଥା ନାହିଁ’ ।
ସେ ଆହୁରି କହିଛନ୍ତି, ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି । ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍ କରିଛନ୍ତି । ବଡବାବୁଙ୍କୁ ଶାସନରୁ ଦୂରେଇ ଦେଉଛନ୍ତି ସାନବାବୁ । ଯହା ଓଡ଼ିଆ ଅସ୍ମିତା ବିପଦରେ ଅଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି ।
ଅପରାଜିତା କହିଛନ୍ତି, ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖାଇ ଭୋଟ୍ ମାଗୁଛନ୍ତି । ସାନ ବାବୁ ବୁଲୁଛନ୍ତି । ଭୋଟ୍ ପାଇଥିବା ନେତା ଯାଉ ନାହାନ୍ତି । ମୋର ଅନୁରୋଧ ଶାସନ ବ୍ୟବସ୍ଥାକୁ ଆଉଟ ସୋର୍ସିଂ କରା ନ ଯାଉ । ବଡ଼ବାବୁଙ୍କ ଦର୍ଶନ ପାଉ ନ ଥିବାରୁ ଅନେକ ନେତା ବିଜେଡି ଛାଡୁଛନ୍ତି ଆଉ ବିଜେପିରେ ମିଶୁଛନ୍ତି । ଏପରିକି ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି । ତେଣୁ ଓଡ଼ିଶାକୁ ସୁସ୍ଥ ସବଳ ମୁଖ୍ୟମନ୍ତ୍ରୀ ଆବଶ୍ୟକ ବୋଲି ସେ କହିଛନ୍ତି ।
ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢିବା ଉପରେ ପ୍ରଶ୍ନ କରିଛନ୍ତି ଅପରାଜିତା । ସେ କହିଛନ୍ତି ରାଜ୍ୟରେ ଏବେ ଯେପରି ଗ୍ରୀଷ୍ମ ପ୍ରବାହ ଚାଲିଛି ମୁଖ୍ୟମନ୍ତ୍ରୀ କାହିଁକି ଏପରି ସ୍ଥିତିରେ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି । ସାନ ବାବୁଙ୍କ ବ୍ୟାକ୍ ଡୋର ଏଣ୍ଟ୍ରି ପାଇଁ ସେ ଦୁଇଟି ସ୍ଥାନରେ ଠିଆ ହୋଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।
ସେ ଆହୁରି କହିଛନ୍ତି, ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରାୟ ୧ ଲକ୍ଷ ସରକାରୀ ପୋଷ୍ଟ ଖାଲି ପଡ଼ିଛି । ରାଜ୍ୟରେ ୪୧ଟି ବିଭାଗରେ ୯୮ ହଜାର ୩୪୮ ସରକାରୀ ପଦ ଖାଲି ପଡ଼ିଛି । ରାଜ୍ୟ ସରକାରରେ ସ୍ଥାଣୁତା ପାଇଁ ଏପରି ଅବସ୍ଥା ଆସିଛି । ଆଇଟି ପଢ଼ିଥିବା ପିଲାମାନେ ନିଯୁକ୍ତି ସନ୍ଧାନରେ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି ।
Comments are closed.