Latest Odisha News

BREAKING NEWS

‘ରେକର୍ଡସଂଖ୍ୟକ ମତଦାନ ଏମପିରେ ପରିବର୍ତ୍ତନ ସ୍ପଷ୍ଟ ସଂକେତ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ସିଟରେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଏମପିରେ ମତଦାନ ପ୍ରତିଶତ ୭୬ ରୁ ଅଧିକ ହୋଇଛି। ଯାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ହେଉଛି।

ଏମପିରେ ବିଜେପି ସରକାର ଥିବାବେଳେ କଂଗ୍ରେସ ଏଠାରେ ଶାସନକୁ ଆସିଵାକୁ ଲକ୍ଷ ରଖିଛି। ପୂର୍ବ ଚାରି ଦଶକକୁ ଦେଖିଲେ ଏମପିରେ ଅଧିକ ମତଦାନ ହେଲେ ବିଜେପି ଜିତିଥାଏ ଓ ହାରିଥାଏ ମଧ୍ୟ।

ତେଣୁ ଏଥର ୭୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବାରୁ ଏହା କାହା ପକ୍ଷକୁ ଯିବ ତାକୁ ନେଇ ଆଲୋଚନା ଜୋର ଧରିଛି। ଏଥର ମତଦାନ ପ୍ରତିଶତ ପୂର୍ବାଠାରୁ ୦.୫୨ ପ୍ରତିଶତ ଅଧିକ।

୨୦୧୮ ରେ ଏମପିରେ ୭୫.୬୩ ପ୍ରତିଶତ ମତଦାନ ହୋଇଥିଲା। ୨୦୧୩ ତୁଳନାରେ ଏହା ୩.୫୦ ପ୍ରତିଶତ ଅଧିକ ଥିଲା। ତେଣୁ ପୂର୍ବ ନିର୍ବାଚନରେ ମତଦାନ ଅଧିକ ହୋଇଥିବା ବେଳେ କଂଗ୍ରେସକୁ ଅଧିକ ସିଟ ମିଳିଥିଲା।

କଂଗ୍ରେସ ୧୧୪ ସିଟରେ ଜିତିଥିବା ବେଳେ ବିଜେପି ୧୦୯ ସିଟରେ ଜିତିଥିଲା। କିନ୍ତୁ ଭୋଟ ପ୍ରତିଶତରେ ବିଜେପି କଂଗ୍ରେସଠୁ ଉପରେ ରହିଥିଲା। ଅଧିକ ସିଟ ଜିତିଥିଲେ ମଧ୍ୟ ବହୁମତ ଠାରୁ କିଛି ସିଟ କମିଥିବାରୁ ଅନ୍ୟ କିଛି ଦଳ ଓ ନିର୍ଦଳୀୟଙ୍କ ସହ ମିଶି ସରକାର ଗଢିଥିଲା କଂଗ୍ରେସ।

୨୦୧୩ ରେ ୭୨.୧୩ ପ୍ରତିଶତ ମତଦାନ ହୋଇଥିଲା। ଏହି ନିର୍ବାଚନରେ ବିଜେପି ୧୬୫ ସିଟ ଜିତିଥିବା ବେଳେ କଂଗ୍ରେସ ୫୮ ଟି ସିଟରେ ଜିତିଥିଲା। ୨୦୦୮ ରେ ଏମପିରେ ୬୯.୭୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବିଜେପି ୧୪୧ ସିଟ ଓ କଂଗ୍ରେସ ୭୧ ସିଟ ଜିତିଥିଲା।

୨୦୦୩ ରେ ୬୭.୨୫ ପ୍ରତିଶତ ମତଦାନ ହୋଇଥିବା ବେଳେ ବିଜେପି ଉମା ଭାରତୀଙ୍କ ନେତୃତ୍ୱରେ ୧୭୩ ସିଟ ଜିତିଥିଲା। ଏହି ନିର୍ବାଚନରେ ଦିଗବିଜୟ ସିଂଙ୍କ ସରକାରର ୮୬ ଜଣ ବିଧାୟକ ନିର୍ବାଚନ ହାରିଥିଲେ। ଏହି ନିର୍ବାଚନରେ କଂଗ୍ରେସକୁ କେବଳ ୩୮ ସିଟ ମିଳିଥିଲା।

ସେହିପରି ୧୯୯୦ ରେ ୫୪.୨୧ ପ୍ରତିଶତ ମତଦାନ ହୋଇଥିବା ବେଳେ ବିଜେପି ନିର୍ବାଚନ ଜିତିଥିଲା ଓ ୧୯୯୩ ରେ ୬୦.୧୭ ପ୍ରତିଶତ ମତଦାନ ହୋଇଥିଲା ଓ ସେଥିରେ ଦିଗବିଜୟ ସିଂଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଢିଥିଲା।

ତେଣୁ ଏ ବର୍ଷ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ଏହା ଶାସକ ବିଜେପି ପକ୍ଷରେ ଯିବ ନା ବିଜେପି ବିରୋଧରେ ଯାଇ କଂଗ୍ରେସକୁ କ୍ଷମତାକୁ ଆଣିବ ତାକୁ ନେଇ ଆଲୋଚନା ହେଉଛି।

ସେପଟେ ମତଦାନ ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏମପି ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେମାନଙ୍କ ପ୍ରେମ, ବିଶ୍ୱାସ ଓ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି ଶିବରାଜ।

ପୁରା ମଧ୍ୟପ୍ରଦେଶ ତାଙ୍କ ସହ ଛିଡା ହେବା ସହ ପୁଣିଥରେ ସେ ଲୋକଙ୍କ ସ୍ୱପ୍ନ ପୂରଣ କରିବେ ବୋଲି କହିଛନ୍ତି। ପୁଣିଥରେ ଏମପି ବାସୀଙ୍କ ଆଶୀର୍ବାଦରେ ବିଜେପି ସରକାର ଗଢ଼ିବ ବୋଲି ଶିବରାଜ ସାମାଜିକ ଗଣମାଧ୍ୟମରେ କହିଛନ୍ତି।

ସେପଟେ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି କମଳନାଥ ମଧ୍ୟ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥର ମତଦାନ ଯେଭଳି ସବୁ ରେକର୍ଡ ଭାଙ୍ଗିଲା ଏହା ଐତିହାସିକ ବୋଲି ସେ କହିଛନ୍ତି।

ମତଦାନ ବୃଦ୍ଧିର ଏହି ରେକର୍ଡ ଏମପିବାସୀଙ୍କ ବଡ଼ ପରିବର୍ତ୍ତନର ସ୍ପଷ୍ଟ ସଂକେତ ବୋଲି କମଳନାଥ କହିଛନ୍ତି। ୨୦୧୮ ରେ ଏମପି ଜନତା ୭୫ ପ୍ରତିଶତ ମତଦାନ କରି ପରିବର୍ତ୍ତନର ଶୁଭାରମ୍ଭ କରିଥିଲେ।

କିନ୍ତୁ ପରେ ବିଜେପି କିଣାବିକା କରି କ୍ଷମତାକୁ ନିଜ ହାତକୁ ନେଇଥିବା ସେ କହିଛନ୍ତି। ତେଣୁ ବିଜେପିର ଏହି ଲୋକତନ୍ତ୍ର ବିରୋଧୀ ମାନସିକତାକୁ ଶେଷ କରିବା ପାଇଁ ଏମପି ଜନତା ରେକର୍ଡ ଭାଙ୍ଗି ଭୋଟ ଦେଇଥିବା କୁହାଯାଇଛି।

ରେକର୍ଡ ସଂଖ୍ୟକ ମତଦାନ ପରେ ଦୁଇ ପ୍ରମୁଖ ଦଳ ନିଜ ନିଜ ପକ୍ଷରେ ବିଜୟର ଆକଳନ କରିବା ଆରମ୍ଭ କରିଛନ୍ତି। ତେଣୁ ପ୍ରକୃତରେ ଏହି ବଡ଼ ଭୋଟିଂ କାହା ପକ୍ଷକୁ ଯାଇଛି ଡିସେମ୍ବର ୩ ତାରିଖରେ ହିଁ ଜଣାପଡିବ।

Leave A Reply

Your email address will not be published.