Latest Odisha News

BREAKING NEWS

ମୁହାଜିରଙ୍କୁ ରକ୍ଷା କର…ମୋଦିଙ୍କୁ ଗୁହାରୀ କଲେ ପାକିସ୍ତାନୀ ନେତା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନୀଙ୍କ ନେତାଙ୍କ ଅପିଲ୍ । ନିର୍ବାସିତ ପାକିସ୍ତାନୀ ନେତା ତଥା ମୁତାହିଦା କୌମି ମୁଭମେଣ୍ଟର ପ୍ରତିଷ୍ଠାତା ଅଲତାଫ ହୁସେନ୍ ମୁହାଜିରଙ୍କୁ ରକ୍ଷା କରିବାକୁ ଅପିଲ୍ କରିଛନ୍ତି । ବିଭାଜନ ପରେ ଭାରତରୁ ପାକିସ୍ତାନ ଆସିଥିବା ଉର୍ଦ୍ଦୁ ଭାଷାଭାଷୀ ଶରଣାର୍ଥୀଙ୍କୁ ମୁହାଜିର କୁହାଯାଏ । ସେମାନେ ଅଧିକ ସଂଖ୍ୟାରେ କରାଚୀରେ ବସବାସ କରନ୍ତି । ପୂର୍ବରୁ ପାକିସ୍ତାନ କ୍ଷମତାରେ ମଜବୁତ ପକଡ ରଖୁଥିବା ମୁହାଜିରଙ୍କ ସ୍ଥିତି ଗତ କିଛି ଦଶନ୍ଧୀ ମଧ୍ୟରେ ଖରାପ ହୋଇଯାଇଛି । ପାକିସ୍ତାନରେ ସେମାନଙ୍କୁ ଭେଦଭାବର ସାମନା କରିବାକୁ ପଡୁଛି ।

ମୁହାଜିରଙ୍କୁ ରକ୍ଷା କର…

ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ମୁହାଜିରଙ୍କୁ ନେଇ କହିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନଙ୍କୁ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ଅଲତାଫ ହୁସେନ୍ । ମୋଦି ବଲୋଚର ଲୋକଙ୍କ ଅଧିକାରକୁ ସମର୍ଥନ କରିଛନ୍ତି, ଏହା ଏକ ସାହାସିକ ପଦକ୍ଷେପ । ମୁହାଜିରଙ୍କ ପାଇଁ ମଧ୍ୟ ସେ ସମର୍ଥନ ଆଶା କରିଛନ୍ତି । ଲଣ୍ଡନରେ ନିର୍ବାସିତ ଜୀବନ କାଟୁଥିବା ଅଲତାଫ ହୁସେନଙ୍କ ଦଳ ସବୁବେଳେ ମୁହାଜିରଙ୍କ ଅଧିକାରକୁ ନେଇ ସ୍ବର ଉଠାଇଥିବା ସେ କହିଛନ୍ତି । ପାକିସ୍ତାନ କେବେବି ମୁହାଜିରଙ୍କୁ ବୈଧ ନାଗରିକ ଭାବେ ଗ୍ରହଣ କରିନି । ପାକ୍ ସେନାର କାର୍ଯ୍ୟାନୁଷ୍ଠାନରେ ୨୫ହଜାରରୁ ଅଧିକ ମୁହାଜିରଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଗାଏବ ହୋଇ ଯାଇଛନ୍ତି । ତେଣୁ ମୁହାଜିରଙ୍କ ସ୍ବର ଅନ୍ତର୍ଜାତୀୟ ମଞ୍ଚରେ ଉଠାଇବାକୁ ସେ ମୋଦିଙ୍କୁ ଅପିଲ୍ କରିଛନ୍ତି ।

ଭାରତକୁ ମାଗିଥିଲେ ଶରଣ

ମୁହାଜିରଙ୍କ ପାଇଁ ସ୍ବର ଉଠାଇବାକୁ ମୋଦିଙ୍କୁ ଅପିଲ୍ କରିଥିବା ଅଲତାଫ ହୁସେନ୍ କିଛି ବର୍ଷ ତଳେ ଭାରତରେ ଶରଣ ମାଗିଥିଲେ। ୨୦୧୯ ନଭେମ୍ବରରେ ସେ ଭାରତରେ ରାଜନୈତିକ ଶରଣ ମାଗିଥିଲେ । ଭାରତରେ ସେ ନିଜ ପୂର୍ବ ପୁରୁଷଙ୍କ କବର ପାଖକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେତେବେଳେ ଘୃଣା ପ୍ରସାର କରିବା ଓ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଦର୍ଜ କରିଥିଲା ବ୍ରିଟେନ ପୋଲିସ । ସେ ବେଲରେ ଆସିଥିଲେ । ତେବେ ଅଲତାଫ ହୁସେନଙ୍କ ରାଜନୈତିକ ଶରଣ ଅନୁରୋଧକୁ ସେତେବେଳେ ଭାରତ ଶୁଣିନଥିଲା । ସେପଟେ ପାକିସ୍ତାନ ହୁସେନ୍ ଓ ତାଙ୍କ ଦଳ ଭାରତର ଗୁଇନ୍ଦା ଏଜେନ୍ସି ର ର ଏଜେଣ୍ଟ ବୋଲି ଅଭିଯୋଗ ଆଣିଥିଲା ।

କରାଚୀରେ ଥିଲା ଅଲତାଫଙ୍କ ପ୍ରଭାବ

ଅଲତାଫ ହୁସେନଙ୍କ ପରିବାର ଉତ୍ତରପ୍ରଦେଶର ମୂଳ ନିବାସୀ । ତେବେ ବିଭାଜନ ପରେ ପାକିସ୍ତାନ ଚାଲିଯାଇଥିଲେ । କରାଚୀ ବିଶ୍ବବିଦ୍ୟାଳୟରେ ଫାର୍ମାସୀ ପଢିଥିବା ହୁସେନ୍ ମୁହାଜିରଙ୍କ ନେତୃତ୍ବ ନେବା ସହ ୧୯୮୪ରେ ଏମକ୍ୟୁଏମ ପାର୍ଟି ଗଠନ କରିଥିଲେ । ଦଳକୁ କରାଚୀରେ ଜୋରଦାର ସମର୍ଥନ ମିଳିଥିଲା । ତିନି ବର୍ଷ ମଧ୍ୟରେ ହିଁ ସିନ୍ଧର ସହରାଞ୍ଚଳରେ ବଡ ବିଜୟ ହାସଲ କରିଥିଲା ଦଳ । ପାକିସ୍ତାନ ସଂସଦ ଓ ନ୍ୟାସନାଲ ଏସେମ୍ବଲିରେ ଏମକ୍ୟୁଏମ ତୃତୀୟ ବଡ଼ ଦଳ ପାଲଟିଥିଲା । ଅନେକ ବର୍ଷ ଧରି ଦଳର ରାଜନୈତିକ ପ୍ରଭାବ ରହିଥିଲା । ୧୯୯୨ରେ ସେ ପାକିସ୍ତାନ ଛାଡି ବ୍ରିଟେନରେ ଶରଣ ନେଇଥିଲେ । ପରେ ତାଙ୍କୁ ସେଠାରେ ନାଗରିକତା ମିଳିଥିଲା ।

ଦୀର୍ଘ ବର୍ଷ ଧରି ପାକିସ୍ତାନରେ ମୁହାଜିରଙ୍କ ସହ ଭେଦଭାବ ତଥା ନିର୍ଯାତନା ଘଟଣା ସାମନାକୁ ଆସିଛି । କରାଚୀର ଜନସଂଖ୍ୟା ଦେଢ କୋଟି ହୋଇଥିବା ବେଳେ ସେଠାରେ ଅଧିକାଂଶ ମୁହାଜିର ରହୁଛନ୍ତି । ପାକିସ୍ତାନକୁ କରାଚୀ ସହରରୁ ସର୍ବଧିକ ରାଜସ୍ବ ମିଳେ । ଏହାପରେ ବି ମୁହାଜିର ନିର୍ଯାତନାର ଶିକାର ହୋଇ ଆସୁଛନ୍ତି । ମୁହାଜିରଙ୍କୁ ସେନା ଓ ପୋଲିସରେ ନିଯୁକ୍ତି ମିଳେନି । ଅନେକ ସମୟରେ ସେମାନଙ୍କୁ ଅପହରଣର ଖବର ବି ଆସେ । ଫିରୋତି ଅର୍ଥ ଦେଲେ ମୁକ୍ତି ମିଳେ ନହେଲେ ସେମାନଙ୍କ ନାଁରେ ମିଛ ମାମଲା କରି ଫସାଇ ଦିଆଯାଏ । ଅନେକ ସମୟରେ ହତ୍ୟା ବି କରାଯାଏ । ପାକିସ୍ତାନର ସିନ୍ଧୀ ଓ ପଞ୍ଜାବୀ ମୁହାଜିରଙ୍କୁ ହୀନ ଦୃଷ୍ଟିରେ ଦେଖନ୍ତି ।

Comments are closed.