ଇସଲାମାବାଦ: ଇରାନରୁ ନୌସେନାର ପୂର୍ବତନ କର୍ମଚାରୀ କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତି ଶାହ ମୀରକୁ ହତ୍ୟା କରାଯାଇଛି । ଆକ୍ରମଣକାରୀମାନେ ତାକୁ ବହୁତ ନିକଟରୁ ଅନେକ ଥର ଗୁଳି କରିଥିଲେ । ଏହା ପରେ, ଶାହ ମୀରକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାକୁ ମୃତ ଘୋଷଣା କରାଯାଇଥିଲା ।
ଶାହ ମୀର ବଲୁଚିସ୍ତାନର ଜଣେ ପ୍ରମୁଖ ମୁଫତି ଥିଲା । ପୂର୍ବରୁ ତା ଉପରେ ଦୁଇଟି ହତ୍ୟା ଉଦ୍ୟମ ହୋଇଛି । ପୋଲିସ କହିଛି ଯେ ଶୁକ୍ରବାର ରାତିର ନମାଜ ପରେ ତୁରବତର ଏକ ସ୍ଥାନୀୟ ମସଜିଦରୁ ବାହାରିବା ସମୟରେ ମୋଟରସାଇକେଲରେ ଆସିଥିବା ବନ୍ଧୁକଧାରୀମାନେ ତାକୁ ଆକ୍ରମଣ କରିଥିଲେ । ତାକୁ ନିକଟରୁ ଗୁଳି କରାଯାଇଥିଲା ଏବଂ ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଥିଲା ।
ଶାହ ମୀର କଟ୍ଟରପନ୍ଥୀ ଦଳ ଜମିୟତ ଉଲେମା-ଏ-ଇସଲାମ (JUI)ର ସଦସ୍ୟ ଥିଲା । ସେ ଜଣେ ମୁଫ୍ତିର ପରିଚୟ ଦେଇ ଅସ୍ତ୍ରଶସ୍ତ୍ର ଏବଂ ମାନବ ଚୋରା ଚାଲାଣକାରୀ ଭାବରେ କାର୍ଯ୍ୟ କରୁଥିଲା । ସେ ବାରମ୍ବାର ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ପରିଦର୍ଶନ କରୁଥିବା ରିପୋର୍ଟ ମିଳିଛି ଯେଉଁଠାରେ ଭାରତ ବିରୋଧୀ ଯୋଜନା ପ୍ରସ୍ତୁତ ହେଉଛି । ଶାହ ମୀରର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ISI)କୁ ସାହାଯ୍ୟ କରୁଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ସେନାରୁ ଆଗୁଆ ଅବସର ନେବା ପରେ ଇରାନର ଚାବହାରରେ ବ୍ୟବସାୟ କରୁଥିଲେ । ୨୦୧୬ ମସିହାରେ, ତାଙ୍କୁ ଇରାନ-ପାକିସ୍ତାନ ସୀମା ନିକଟରୁ ଅପହରଣ କରାଯାଇଥିଲା । ଆଇଏସଆଇ ଏହି ମିଶନକୁ କାର୍ଯ୍ୟକାରୀ କରିଥିଲା ଏବଂ ମୁଫତି ଶାହ ମୀର ମଧ୍ୟ ଏହି କାମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ସାହାଯ୍ୟ କରିଥିଲା । ଏହା ପରେ, ଯାଦବଙ୍କୁ ପାକିସ୍ତାନୀ ସେନାକୁ ହସ୍ତାନ୍ତର କରାଯାଇଥିଲା । ସେ ଏବେ ବି ପାକିସ୍ତାନ ଜେଲରେ ଅଛନ୍ତି । ୨୦୧୭ ମସିହାରେ, ଏକ ପାକିସ୍ତାନୀ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ଭାରତର ଆବେଦନ ପରେ, ଅନ୍ତର୍ଜାତୀୟ ନ୍ୟାୟାଳୟ ୨୦୧୯ରେ ତାଙ୍କ ଫାଶୀ ଉପରେ ସ୍ଥଗିତ ରଖିଥିଲେ ଏବଂ ପାକିସ୍ତାନକୁ ତାଙ୍କ ଦଣ୍ଡର ସମୀକ୍ଷା କରିବାକୁ ଏବଂ ତାଙ୍କୁ କନସୁଲାର ଆକ୍ସେସ୍ ଦେବାକୁ କହିଥିଲେ ।
Comments are closed.