Latest Odisha News

BREAKING NEWS

ପରିବର୍ତ୍ତନ ହେଲା ଉଦ୍ୟାନ ନାମ, ଆଜି ରାଷ୍ଟ୍ରପତି ଉଦ୍‌ଘାଟନ କରିବେ ଉଦ୍ୟାନ ଉତ୍ସବ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ -୨୦୨୩କୁ ଉଦ୍‌ଘାଟନ କରିବେ। ଜାନୁଆରି ୩୧ ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲାରହିବ । ରାଷ୍ଟ୍ରପତି ଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି ଭବନ ଉଦ୍ୟାନରେ ୫୦ ହଜାରରୁ ଅଧିକ ଗଛଲତା ରହିଛି । ପ୍ରତ୍ୟେକ ଗଛ ସମ୍ପର୍କରେ ସୂଚନା ପାଇବା ପାଇଁ ‘କ୍ୟୁଆର୍‌ କୋଡ୍‌’ର ବ୍ୟବସ୍ଥା କରାଯାଇଛି।

ଭ୍ରମଣକାରୀ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ଗଛ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ। ଉଦ୍ୟାନରେ ମଧ୍ୟ ସେଲଫି ପଏଣ୍ଟର ବ୍ୟବସ୍ଥା ହୋଇଛି। ଏଥିସହ ଆଗନ୍ତୁକମାନଙ୍କୁ ସହାୟତା ଦେବା ପାଇଁ ପ୍ରତି ଦିନ ୨୦ ଯୁବ ବୃତ୍ତିଧାରୀ ଗାଇଡ୍‌ ଭାବେ କାର୍ଯ୍ୟ କରିବେ। ସେମାନଙ୍କ ପାଇଁ ଫୁଡ୍‌ କୋର୍ଟର ବ୍ୟବସ୍ଥା ରହିବ। ଚାଷୀମାନଙ୍କ ପାଇଁ ମାର୍ଚ୍ଚ ୨୮, ଦିବ୍ୟାଙ୍ଗମାନଙ୍କ ପାଇଁ ମାର୍ଚ୍ଚ ୨୯, ପ୍ରତିରକ୍ଷା, ଅର୍ଦ୍ଧ ସାମରିକ ଓ ପୋଲିସ ବାହିନୀ ପାଇଁ ମାର୍ଚ୍ଚ ୩୦, ମହିଳା ଓ ଏସ୍‌ଏଚ୍‌ଜିମାନଙ୍କ ପାଇଁ ମାର୍ଚ୍ଚ ୩୧ ଉଦ୍ୟାନ ଖୋଲାରହିବ।

ରାଷ୍ଟ୍ରପତି ଭବନ ଉଦ୍ୟାନ ପରିଦର୍ଶନ ପାଇଁ ସୋମବାରରୁ ଶୁକ୍ରବାର ପ୍ରତ୍ୟେକ ଦିନ ୩୦ରୁ ୩୫ ହଜାର ଏବଂ ଶନିବାର ଓ ରବିବାର ଦିନ ୮୦ ହଜାର ଲୋକ ଆସିଥାନ୍ତି। ଗେଟ ନମ୍ବର ୩୫ରୁ ଊଦ୍ୟାନ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ଅଧିକ ସଂଖ୍ୟକ ଲୋକ ରାଷ୍ଟ୍ରପତି ଭବନ ଉଦ୍ୟାନ ଯେଭଳି ପରିଦର୍ଶନ କରିପାରିବେ ସେ ନେଇ ଏଥର ନୂଆ ବ୍ୟବସ୍ଥା କରାଯାଇ ସ୍ଲଟ୍‌ ବୃଦ୍ଧି କରାଯାଇଛି। ଏଥି ପାଇଁ ଆଗୁଆ ଅନଲାଇନ୍‌ ବୁକିଂ କରିବାକୁ ହେବ। ଏହା ବାଦ୍‌ ଫେଲିସିଟେସନ୍‌ କାଉଣ୍ଟରରେ ମଧ୍ୟ ପଞ୍ଜୀକରଣ କରିପାରିବେ।

ରାଷ୍ଟ୍ରପତି ଭବନର ଭାରପ୍ରାପ୍ତ ଉଦ୍ୟାନ ଅଧିକାରୀ ଅବନୀଶଙ୍କ ସୂଚନା ଅନୁସାରେ ଏଥର ଅମୃତ ଉଦ୍ୟାନରେ ୧୨୦ ପ୍ରକାର ଗୋଲାପ ମଧ୍ୟରେ ସ୍ଥାନପାଇଛି ଅକଲୋହମା, ଭୀମ, ଅର୍ଜୁନ, ଅଶ୍ବିନୀ, କୁଇନ ଏଲିଜାବେଥ୍‌, ପାସାଡିନା, ଗ୍ରିନ ଓର ଓ ବ୍ଲାକ ବାକାର। ଏଥି ସହିତ ଲାପଟପ, ଡେନମାର୍କ, କ୍ୟୁନ ଅଫ୍‌ ଲାଇଟ ଭଳି ୧୨ ପ୍ରକାର ଟ୍ୟୁଲିପ ଫୁଲ ଉଦ୍ୟାନରେ ଦେଖିବାକୁ ମିଳିବ। ଚଳିତ ବର୍ଷ ଉଦ୍ୟାନରେ ୩୦ ପ୍ରକାର ଔଷଧୀୟ ବୃକ୍ଷ ଫୁଲ ଓ ୭୦ ପ୍ରଜାତିର ପ୍ରାୟ ୫ ହଜାର ଋତୁକାଳୀନ ଫୁଲ ରହିଛି। ସମସ୍ତ ପ୍ରକାର ଫୁଲକୁ ପ୍ରଦର୍ଶିତ କରାଯିବ। ଜନସାଧାରଣ କିଭଳି ସବୁ ପ୍ରକାର ଫୁଲ ଦେଖି ପାରିବେ ସେଥି ପ୍ରତି ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି। ତେବେ ପ୍ରଥମ ଥର ପାଇଁ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନର ପରିଦର୍ଶନ ଅବଧି ଦୁଇ ମାସ ରହିବ।

ରାଷ୍ଟ୍ରପତି ଭବନ ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ଖୋଲା ଯାଇଥିଲା। ସେବେ ଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ‌ଖୋଲା ଯାଇଥାଏ। ୧୫ ହଜାର ଏକରରୁ ଅଧିକ ଜମିରେ ପ୍ରତିଷ୍ଠା ହୋଇଥିବା ରାଷ୍ଟ୍ରପତି ଭବନ ଉଦ୍ୟାନକୁ ଏଥର ମୌସୁମୀ ଋତୁରେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲିବା ପାଇଁ ଯୋଜନା କରାଯାଉଛି।

 

Leave A Reply

Your email address will not be published.