Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ: ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ଦେଢ ଲକ୍ଷ ପରିବାର

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆରମ୍ଭ କରାଯାଇଛି । ଏଥିରେ ୧୪.୫ ଲକ୍ଷ ପରିବାରକୁ ପର୍ଯ୍ୟାୟ କ୍ରମେ ସାମିଲ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧.୫ ଲକ୍ଷ ପରିବାରଙ୍କ ଜୀବିକା ବିକାଶ ନିମନ୍ତେ କ୍ଲଷ୍ଟର ମାଧ୍ୟମରେ ୫୦୦ କୋଟି ଟଙ୍କା ବିନିଯୋଗ କରାଯିବ । ପ୍ରେସମିଟରେ ଏ ନେଇ ସୂଚନା ଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ କମିଶନର ରୂପା ରୋଶନ ସାହୁ ଓ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ।

ଏହା ଜନଜାତି ମାନଙ୍କର ଜୀବିକା ବିକାଶରେ ସାହାଯ୍ୟ କରିବା ସହିତ ଭିତ୍ତିଭୂମି ଆବଶ୍ୟକତା ପୂରଣ କରିବ । ଏଥିରେ ହିତାଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ସହାୟତା, ପଶୁପାଳନ କ୍ଷେତ୍ରର ବିକାଶ ପାଇଁ ସମର୍ଥନ, ଜଳସେଚନ ଭିତ୍ତିଭୂମି ସୃଷ୍ଟି, ମାର୍କେଟିଂ ଭିତ୍ତିଭୂମି ସୃଷ୍ଟି, ପ୍ରକ୍ରିୟାକରଣ ଓ ମୂଲ୍ୟ ଯୋଗ, ଫାର୍ମ ଯାନ୍ତ୍ରୀକିକରଣ ଆଦି ବ୍ୟବସ୍ଥା ରହିଛି ।

ଏହି ଯୋଜନା ଅଧୀନରେ ଅନୁସୂଚିତ ଜନଜାତି ଚାଷୀଙ୍କୁ ଉନ୍ନତମାନର ବିହନ, ରୋପଣ ସାମଗ୍ରୀ, ଜୈବିକ ଉଦ୍ଭିଦ ସୁରକ୍ଷା ସାମଗ୍ରୀ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯୋଗାଇ ଦିଆଯିବ । ସେହିପରି ପଶୁପାଳନ କ୍ଷେତ୍ରର ବିକାଶ ପାଇଁ  କୁକୁଡା, ଗାଈ, ଛେଳି, ମେଣ୍ଢା ଉତ୍ପାଦନ ପାଇଁ ସହାୟତା ଯୋଗାଇ ଦିଆଯିବ । ଏହା ଅଧୀନରେ ଥିବା ଦୁଗ୍ଧ ଉତ୍ପାଦନ, କୁକୁଣା ଚାଷ, ବ୍ରଏଲର ମାଂସ ଓ ଅଣ୍ଡା ଉତ୍ପାଦନ ଉଦ୍ୟୋଗର ଉନ୍ନତୀକରଣ କରାଯିବ ।

ଜଳସେଚନ ଭିତ୍ତିଭୂମି ପାଇଁ କମ୍ୟୁନିଟି ଟାଙ୍କି, ଫାର୍ମ ପୋଖରୀ, ଚେକ ଡ୍ୟାମ ନିର୍ମାଣ ମାଧ୍ୟମରେ ଜଳ ଉତ୍ସ ସୃଷ୍ଟି ପାଇଁ ସହୟତା ଯୋଗାଇ ଦିଆଯିବ  ।  ଉଦ୍ୟାନ କୃଷି ଏବଂ କୃଷିଜାତ ଦ୍ରବ୍ୟ ପାଇଁ ମାର୍କେଟିଂ ଭିତ୍ତିଭୂମି ବିକାଶ ଲାଗି ସହାୟତା ପ୍ରଦାନ କରାଯିବ ।

ଏଥିସହ ତାଲିମ୍ ଏବଂ ଦକ୍ଷତା ବିକାଶ, ସ୍ଥାନୀୟ ଅନୁଷ୍ଠାନ ଗଠନ, କୃଷି ଉଦ୍ୟୋଗୀମାନଙ୍କର ପଦୋନ୍ନତି, ଆୟ ଉତ୍ପାଦନ କାର୍ଯ୍ୟକଳାପର ପ୍ରୋତ୍ସାହନ, ପ୍ରାକୃତିକ ଏବଂ ଜୈବିକ କୃଷିକୁ ପ୍ରୋତ୍ସାହନ ମିଳିବ ।

Leave A Reply

Your email address will not be published.