Latest Odisha News

BREAKING NEWS

ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନାରାବାଜି ଦେଇ ଏକ ବିଶାଳ ରାଲି ମାଧ୍ୟମରେ ବାରିପଦାର ଐତିହାସିକ ଛଉପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ନିଯୁକ୍ତିର ସାତବର୍ଷ ପରେ ମଧ୍ୟ ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ୨୦୧୩-୧୪ମସିହାରେ ଗଣଶିକ୍ଷା ବିଭାଗ ଅଧିନରେ ୧୫ଟି ଜିଲ୍ଲାରେ ୩ହଜାରରୁ ଉର୍ଦ୍ଧ୍ବ ବହୁଭାଷୀ ଶିକ୍ଷା ସହାୟକଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଥିଲେ। ମୟୁରଭଞ୍ଜ ଜିଲ୍ଲାରେ ସାନ୍ତାଳୀ, ହୋ ଓ ମୁଣ୍ଡା ଭାଷାରେ ୭୪୭ଜଣ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ତାଙ୍କ କାର୍ଯ୍ୟକାଳ ସମୟ ୬ବର୍ଷ ଶେଷ ହୋଇ ୭ବର୍ଷ ଚାଲୁଥିଲେ ମଧ୍ୟ ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରାଯାଇନାହିଁ।

ସରକାରଙ୍କ ନିୟମ ଅନୂସାରେ, ଜଣେ ଶିକ୍ଷା ସହାୟକ ୩ବର୍ଷ କାର୍ଯ୍ୟ କଲାପରେ କନିଷ୍ଠ ଶିକ୍ଷକ ଏବଂ ଉପଯୁକ୍ତ ଯୋଗ୍ୟତା ତଥା ଡି.ଏଲ.ଇଡ଼ି(ସି.ଟି/ବିଏଡ୍) ସହିତ ଓଟିଇଟି ପାସ କରି ନିରବିଚ୍ଛିନ୍ନଭାବେ ୬ବର୍ଷ କାର୍ଯ୍ୟ କଲାପରେ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରାଯାଉଅଛି। ହେଲେ ସମସ୍ତ ଯୋଗ୍ୟତା ହାସଲ କରି ମଧ୍ୟ ଆଦିବାସୀ ବୋଲି ବହୁଭାଷୀ ଶିକ୍ଷା ସହାୟକଙ୍କୁ ଅବହେଳା କରାଯାଉଥିବା ସଂଘ ଅଭିଯୋଗ ଆଣିଛି।

ବହୁଭାଷୀ ଶିକ୍ଷା ସହାୟକଙ୍କୁ ନିୟମିତ ପ୍ରସଙ୍ଗରେ ସଂଘ ବାରମ୍ବାର ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କୌଣସି ସଫଳ ମିଳିନାହିଁ। ଯାହାଦ୍ୱାରା ଶିକ୍ଷକମାନେ ଦରଦାମ ବୃଦ୍ଧି ସମୟରେ ମାତ୍ର ୬୫୧୨ଟଙ୍କା ମାସିକ ପାରିଶ୍ରମିକ ପାଇ ପରିବାର ପ୍ରତିପୋଷଣ କରୁଛନ୍ତି। ସରକାର ତୁରନ୍ତ ଓଟିଇଟି ସିଟି ପାସ୍ କରିଥିବା ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ନେବା ପାଇଁ ଦାବି କରିଛି।

Leave A Reply

Your email address will not be published.