Latest Odisha News

୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣକୁ ନେଇ ଟପ୍ କୋର୍ଟଙ୍କ ବଡ ରାୟ, ଜେଲକୁ ଫେରିବେନି ଅଭିଯୁକ୍ତ…..

ନୂଆଦିଲ୍ଲୀ: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପ୍ରସଙ୍ଗରେ ଆଜି ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏଥିସହିତ ୧୧ ଅଭିଯୁକ୍ତଙ୍କୁ ପୁଣି ଥରେ ଗିରଫ କରାଯିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।

ତେବେ ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟର ନିଷ୍ପତ୍ତି ଉପରେ ରୋକ ଲଗାଇ, ଆଦେଶରେ ସ୍ପଷ୍ଟ କରାଯାଇଛି ଯେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମୁକ୍ତ ହୋଇଥିବା ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ ପାଇଁ ଆଉ ଥରେ ଜେଲ ପଠାଯିବ ନାହିଁ। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାୟର ଆବେଦନ ଉପରେ କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି।

୧୧ ଜୁଲାଇ, ୨୦୦୬ରେ ମୁମ୍ବାଇର ଅନେକ ଲୋକାଲ୍ ଟ୍ରେନରେ ୭ଟି ବୋମା ବିସ୍ଫୋରଣ ହୋଇଥିଲା । ସନ୍ଧ୍ୟା ୬:୨୩ ରୁ ୬:୨୯ ମଧ୍ୟରେ ହୋଇଥିବା ଏହି ବିସ୍ଫୋରଣରେ ୧୮୭ ଜଣ ପ୍ରାଣ ହରାଇଥିଲେ ଏବଂ ୮୨୪ ଜଣ ଆହତ ହୋଇଥିଲେ। ୨୦୧୫ରେ, ସ୍ୱତନ୍ତ୍ର MCOCA (ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ) କୋର୍ଟ ଏହି ମାମଲାରେ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା।

ମୃତ୍ୟୁ ଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କମଲ ଅନସାରୀ, ମହମ୍ମଦ ଫୈଜଲ ଆତାଉର ରହମାନ ଶେଖ, ଏହତେଶାମ ସିଦ୍ଦିକୀ, ନାଭିଦ ହୁସେନ ଖାନ ଏବଂ ଆସିଫ ଖାନ ରହିଥିଲେ । କୋର୍ଟ ଟ୍ରେନରେ ବୋମା ରଖିବା ପାଇଁ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଷଡ଼ଯନ୍ତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଯେଉଁ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା, ସେମାନେ ତନବୀର ଅହମ୍ମଦ ଅନସାରୀ, ମାଜିଦ ମହମ୍ମଦ ଶଫି, ଶେଖ ମହମ୍ମଦ ଅଲ୍ଲୀ ଆଲମ, ମହମ୍ମଦ ସାଜିଦ ଅନସାରୀ, ମୁଜାମ୍ମିଲ ଅତାଉର ରହମାନ ଶେଖ, ସୁହେଲ ମହମୁଦ ଶେଖ ଏବଂ ଜମିର ଅହମ୍ମଦ ଲତିଫୁର ରହମାନ ଶେଖ ।

ନିମ୍ନ ଅଦାଲତର ନିଷ୍ପତ୍ତି ବିରୁଦ୍ଧରେ ସମସ୍ତ ଦୋଷୀ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆବେଦନ ବିଚାରାଧୀନ ଥିବା ସମୟରେ, ୨୦୨୧ ମସିହାରେ ନାଗପୁର ଜେଲରେ କମଲ ଅନସାରୀଙ୍କ କୋଭିଡ-୧୯ରେ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଜୁଲାଇ ୨୧ ତାରିଖରେ ହାଇକୋର୍ଟର ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଶ୍ୟାମ ଚଣ୍ଡକଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଦେଇଥିଲେ। ଏହି ନିଷ୍ପତ୍ତିରେ ସମସ୍ତ ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।

ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ ପୋଲିସ ଦ୍ୱାରା କରାଯାଇଥିବା ତଦନ୍ତ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ। ବିଚାରପତିମାନେ କହିଛନ୍ତି ଯେ ଅପରାଧରେ କି ପ୍ରକାରର ବୋମା ବ୍ୟବହାର କରାଯାଇଥିଲା ତାହା ମଧ୍ୟ ଜଣାଇ ପାରି ନଥିଲେ। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏହା ଯେଉଁ ପ୍ରମାଣ ରଖିଛି ତାହା ଯଥେଷ୍ଟ ନୁହେଁ।

ମହାରାଷ୍ଟ୍ର ସରକାର ତୁରନ୍ତ ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଏକ ଆବେଦନ ଦାୟର କରିଥିଲେ। ଗୁରୁବାର, ଜୁଲାଇ ୨୪ ତାରିଖରେ, ଏହି ମାମଲା ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଦାବି କରିଥିଲେ। ସେ କହିଥିଲେ ଯେ ହାଇକୋର୍ଟର ନିଷ୍ପତ୍ତିରେ ଏପରି ଅନେକ କଥା କୁହାଯାଇଛି ଯାହା ଅନ୍ୟ ମାମଲାଗୁଡ଼ିକୁ ପ୍ରଭାବିତ କରିବ। ମେହେଟ୍ଟା ସ୍ପଷ୍ଟ କରିଥିଲେ ଯେ ହାଇକୋର୍ଟର ନିଷ୍ପତ୍ତି ପରେ ମୁକ୍ତ ହୋଇଥିବା ଅଭିଯୁକ୍ତମାନଙ୍କୁ ପୁଣି ଜେଲକୁ ପଠାଇବାକୁ ସେ ଦାବି କରୁନାହାଁନ୍ତି।

ଜଷ୍ଟିସ ସୁନ୍ଦରେଶ କହିଛନ୍ତି ଯେ ସେ ମାମଲାର ରେକର୍ଡ ଦେଖିଛନ୍ତି। କିଛି ଅଭିଯୁକ୍ତ ପାକିସ୍ତାନୀ ନାଗରିକ। ଯଦି ସେମାନେ ଦେଶ ଛାଡି ଚାଲିଯାଆନ୍ତି ତେବେ କ’ଣ ହେବ? ମେହେଟ୍ଟା ଉତ୍ତର ଦେଇଥିଲେ ଯେ ଯେଉଁମାନେ ମୁକ୍ତ ହୋଇଛନ୍ତି ସେମାନେ ଭାରତୀୟ। ପାକିସ୍ତାନୀ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇପାରିବ ନାହିଁ। ଏହା ପରେ, ସୁପ୍ରିମକୋର୍ଟ ନୋଟିସ୍ ଜାରି କରି ହାଇକୋର୍ଟର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଜେଲରୁ ବାହାରକୁ ଆସିଥିବା ଅଭିଯୁକ୍ତମାନଙ୍କୁ ପୁଣି ଭିତରକୁ ପଠାଯିବା ଉଚିତ୍ ନୁହେଁ।

Comments are closed.