ମୁମ୍ବାଇ : ଆଇପିଏଲର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦଳ ପାଇଁ ଖେଳି ସାରିଥିବା ଏବଂ ମୁମ୍ବାଇ ପକ୍ଷରୁ ସହାୟକ କୋଚ୍ ଥିବା କିରେନ୍ ପୋଲାର୍ଡଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି। ଏହାସହ ଏହି ଫ୍ରାଞ୍ଚାଇଜ୍ ସହିତ ତାଙ୍କର ୧୬ ବର୍ଷର ପୁରୁଣା ସମ୍ପର୍କ ଏକ ନୂତନ ଅଧ୍ୟାୟରେ ପ୍ରବେଶ କରିଛି।
ଏହି ନିଯୁକ୍ତି ସମ୍ପର୍କରେ ମୁମ୍ବାଇ ଇଣ୍ଡିଆନ୍ସର ସହ-ମାଲିକ ନୀତା ଅମ୍ବାନୀ କହିଛନ୍ତି ଯେ, ମାତ୍ର ୨୨ ବର୍ଷ ବୟସରେ ପୋଲାର୍ଡ ଏହି ପରିବାରରେ ଯୋଗଦେଇଥିଲେ ଏବଂ ଗତ ଷୋହଳ ବର୍ଷ ମଧ୍ୟରେ ସେ ଆମ ପରିବାରର ଏକ ଅଭିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି। ଜଣେ ଖେଳାଳି ଓ ପରେ ପ୍ରଶିକ୍ଷକ ଭାବେ ସେ ଦଳକୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛନ୍ତି। ସେ ମୁମ୍ବାଇ ଜର୍ସିର ମୂଲ୍ୟ ଏବଂ ପ୍ରଶଂସକଙ୍କ ଆଶାକୁ ଭଲ ଭାବେ ବୁଝିଛନ୍ତି।
ମୁଖ୍ୟ ପ୍ରଶିକ୍ଷକର ଦାୟିତ୍ୱ ମିଳିବା ପରେ ପୋଲାର୍ଡ କହିଛନ୍ତି , “ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ଏକ ବଡ଼ ଗୌରବର କଥା। ଏହି ଦଳ, ଏହାର ଖେଳାଳିଙ୍କ ସହିତ ମୋର ଏକ ଭାବଗତ ସମ୍ପର୍କ ରହିଛି। ଜଣେ ଖେଳାଳି ଏବଂ ପରେ ଜଣେ ପ୍ରଶିକ୍ଷକ ଭାବେ ଏହି ଯାତ୍ରାକୁ ଅନୁଭବ କରିଥିବାରୁ, ବ୍ଲୁ ଏବଂ ସୁନା ରଙ୍ଗର ଜର୍ସି ପିନ୍ଧିବାର ଦାୟିତ୍ୱ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ପ୍ରକୃତ ପରିଚୟ ମୁଁ ଭଲ ଭାବେ ଜାଣିଛି। ମୁଁ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସମସ୍ତଙ୍କ ସହ ମିଶି ଦଳର ଗୌରବକୁ ଆଗକୁ ବଢ଼ାଇବା ଏବଂ ପ୍ରଶଂସକଙ୍କୁ ଆହୁରି ଅନେକ ଖୁସି ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ।”

