ଦାରିଙ୍ଗବାଡି:କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ଗଞ୍ଜେଇ ଚୋରାଚାଲାଣ କରିଥିବା ଅଭିଯୋଗରେ ଦାରିଙ୍ଗବାଡି ଥାନା ଅଞ୍ଚଳରୁ ୨ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଥାନା ଶ୍ରାନିକେତା ଦଣ୍ଡିମା ଗ୍ରାମର ବିଦ୍ୟାଧର ନାୟକ ଏବଂ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ଗ୍ରାମର ଶ୍ରୀକାନ୍ତ ପ୍ରଧାନ ।
ସୂଚନାମୁତାବକ, ମୁମ୍ବାଇର କଲ୍ୟାଣ ରେଲୱେ ପୋଲିସ ଷ୍ଟେସନ ଅଞ୍ଚଳରେ ଗତ କିଛି ଦିନତଳେ ପୋଲିସ ୨୧ କେଜି ଗଞ୍ଜେଇ ଜବତ କରିଥିଲା । ଏଥିରେ ସମ୍ପୃକ୍ତି ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ସମୟରେ ସେଠାକାର ପୋଲିସକୁ ଦାରିଙ୍ଗବାଡି ଅଞ୍ଚଳର ୨ ଜଣ ଏହି ଗଞ୍ଜେଇ ଯୋଗେଇଥିବା ଜାଣିବାକୁ ପାଇଥିଲେ ।
ଏନେଇ କଲ୍ୟାଣ ରେଲୱେ ପୋଲିସ ଷ୍ଟେସନର ଆସିଷ୍ଟାଣ୍ଟ ପୋଲିସର ଇନ୍ସପେକ୍ଟର ନେତୃତ୍ୱରେ ଏକ ଟିମ ଦାରିଙ୍ଗବାଡି ଅଞ୍ଚଳରେ ପହଞ୍ଚି ଦାରିଙ୍ଗବାଡି ପୋଲିସର ସହାୟତାରେ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ ।
୨ ଅଭିଯୁକ୍ତଙ୍କୁ ଦାରିଙ୍ଗବାଡି ପ୍ରଥମଶ୍ରେଣୀ ବିଚାରବିଭାଗରେ ହାଜର କରାଇ ସେଠାରୁ ରିମାଣ୍ଡରେ ମୁମ୍ବାଇ ପୋଲିସ ୨ ଜଣଙ୍କୁ ମୁମ୍ବାଇ ନେଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି ।