Latest Odisha News

BREAKING NEWS

ଫେଲ୍ ମାରିଲା ସ୍କାମରଙ୍କ ଚାଲ୍! ଲୋକସଭାରେ ସରକାର ଦେଲେ ତଥ୍ୟ, ବ୍ଲକ୍ ହେଲା ୧୫ ଲକ୍ଷ ସିମ୍ ଓ ୩୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ସାଇବର ଲୁଟେରାଙ୍କ ନୂଆ ନୂଆ ତରିକା ଓ ଡିଜିଟାଲ୍ ଠକେଇ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ସରକାର ଏହା ଉପରେ କଡ଼ା ପ୍ରହାର କରିଛନ୍ତି। ଦେଶରେ ବଢୁଥିବା ଅନଲାଇନ୍ ଠକେଇକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ଏବେ କିପରି ସଫଳ ହେଉଛି, ସେ ନେଇ ଲୋକସଭାରେ ଏକ ବଡ଼ ତଥ୍ୟ ଉପସ୍ଥାପନ କରାଯାଇଛି।

 

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାର ଲୋକସଭାରେ ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ, ସାଇବର ଠକେଇର ଶିକାର ହେଉଥିବା ଲୋକଙ୍କ ପାଇଁ ଜାତୀୟ ହେଲ୍ପଲାଇନ୍ ନମ୍ବର ‘୧୯୩୦’ ଏକ ବରଦାନ ସାବ୍ୟସ୍ତ ହୋଇଛି। ଗତ ୩୦ ଜୁନ୍ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ମୋଟ ୩୨.୮୦ ଲକ୍ଷ ସାଇବର ଠକେଇ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫଳରେ ପାଖାପାଖି ୧୧,୧୫୮ କୋଟି ଟଙ୍କା ଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ପୂର୍ବରୁ ଅଧାବାଟରେ ଅଟକାଯାଇ ପାରିଛି।

 

ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର (I4C), ୧୯୩୦ ହେଲ୍ପଲାଇନ୍ ଏବଂ ସିଟିଜେନ୍ ଫାଇନାନ୍ସିଆଲ୍ ସାଇବର ଫ୍ରଡ୍ ରିପୋର୍ଟିଂ ସିଷ୍ଟମର ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି। ଯେମିତି କୌଣସି ବ୍ୟକ୍ତି ଠକେଇର ଶିକାର ହୋଇ ‘୧୯୩୦’ ରେ କଲ୍ କରି ଅଭିଯୋଗ କରନ୍ତି, ତୁରନ୍ତ ସିଷ୍ଟମ୍ ଆକ୍ଟିଭ୍ ହୋଇଯାଏ ଏବଂ ବ୍ୟାଙ୍କ ତଥା ଅନ୍ୟ ଏଜେନ୍ସିମାନଙ୍କ ସହ ଯୋଗାଯୋଗ କରି ଟଙ୍କାକୁ ବ୍ଲକ୍ କରିଦିଏ। ଏହା ବ୍ୟତୀତ ସନ୍ଦିଗ୍ଧ ବ୍ୟାଙ୍କ କାରବାର ଉପରେ କଡ଼ା ନଜର ରଖି ଆହୁରି ୨୫,୬୯୮ କୋଟି ଟଙ୍କାର ସମ୍ଭାବ୍ୟ ଠକେଇକୁ ମଧ୍ୟ ଆଗୁଆ ରୋକିବାରେ ମନ୍ତ୍ରଣାଳୟ ସଫଳ ହୋଇଛି।

 

ସାଇବର ଅପରାଧୀଙ୍କ ନେଟୱାର୍କକୁ ଭାଙ୍ଗିବା ପାଇଁ ସରକାର ଏକ ବଡ଼ ଡିଜିଟାଲ୍ ଷ୍ଟ୍ରାଇକ୍ ମଧ୍ୟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏଯାବତ୍ ୧୫.୭୫ ଲକ୍ଷରୁ ଅଧିକ ମୋବାଇଲ୍ ସିମ୍ ଏବଂ ୫.୭୭ ଲକ୍ଷ ଆଇଏମ୍ଇଆଇ (IMEI) ନମ୍ବରକୁ ବ୍ଲକ୍ କରାଯାଇଛି, ଯାହା ମୁଖ୍ୟତଃ ଫର୍ଜି କଲ୍ ପାଇଁ ବ୍ୟବହୃତ ହେଉଥିଲା। ଏଥିସହ ଠକେଇ ଟଙ୍କା କାରବାର ପାଇଁ ବ୍ୟବହୃତ ହେଉଥିବା ୩୨.୦୮ ଲକ୍ଷ ‘ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ’ ଏବଂ ୩୦.୪୮ ଲକ୍ଷ ସନ୍ଦିଗ୍ଧ ସାଇବର ପରିଚୟକୁ ଚିହ୍ନଟ କରି ବନ୍ଦ କରାଯାଇଛି।

 

କେବଳ ଟଙ୍କା ଉଦ୍ଧାର ନୁହେଁ, ବରଂ ଗିରଫଦାରୀ ମଧ୍ୟ ବୃଦ୍ଧି ପାଇଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ‘ପ୍ରତିବିମ୍ବ’ ଆପ୍ ମଡ୍ୟୁଲ୍ ସାହାଯ୍ୟରେ ପୋଲିସ୍ ସଠିକ୍ ଲୋକେସନ୍ ଟ୍ରାକ୍ କରି ଏପର୍ଯ୍ୟନ୍ତ ୨୯,୮୩୭ ରୁ ଅଧିକ ସାଇବର ଅପରାଧୀଙ୍କୁ ବାନ୍ଧିସାରିଲାଣି। ଦେଶରେ ସାଇବର ଅପରାଧର ମୁକାବିଲା ପାଇଁ ୨୮୧ ଜଣ ସ୍ୱତନ୍ତ୍ର ସାଇବର କମାଣ୍ଡୋଙ୍କ ତାଲିମ ମଧ୍ୟ ଶେଷ ହୋଇଛି। ଏଥିସହ ପୀଡିତଙ୍କ ଫସିଥିବା ଟଙ୍କାକୁ ଆଇନଗତ ପ୍ରକ୍ରିୟାରେ ସହଜରେ ଫେରାଇ ଆଣିବା ଲାଗି ଏପ୍ରିଲ ୨୦୨୬ ରୁ ସ୍ୱତନ୍ତ୍ର ‘ମନି ରିଷ୍ଟୋରେସନ୍ ମଡ୍ୟୁଲ୍’ ଆରମ୍ଭ ହୋଇଥିବା ସରକାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.