ଭୁବନେଶ୍ବର: ଓ୍ବାକଫ୍ ଆମେଣ୍ଡମେଣ୍ଟ ଆଇନ ନେଇ ଏବେ ବଢିଲାଣି ବିଜେଡିରେ ବିରୋଧ । ସସ୍ମିତ୍ ପାତ୍ର ଦଳ ବିରୋଧରେ ଯାଇ କିପରି ଓ୍ବାକଫ୍ ବିଲକୁ ସମର୍ଥନ କଲେ, ତାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ ।
ଓ୍ବାକଫ୍ ବିଲକୁ ବିରୋଧ କରିବା ପରେ ବଜି ଦିଲ୍ଲୀରୁ ଫେରିଛନ୍ତି ସାଂସଦ ମୁନା ଖାଁ । ଫେରୁ ଫେରୁ ଏୟାର ପୋର୍ଟରେ ହିଁ ପୁରା ଫାୟାର ହୋଇଛନ୍ତି । ସେ କହିଛନ୍ତି, ସସ୍ମିତ୍ ନିଜର ମତ ନେଇ କାହା ସହ ଆଲୋଚନା କରିନାହାନ୍ତି । ଟ୍ବିଟ୍ ପକେଇ, ଗଣମାଧ୍ୟମରେ ମଧ୍ୟ ବାଇଟ ଦେଇଛନ୍ତି, ଯେ ସେ ବିଲକୁ ସମର୍ଥନ ଜଣାଇବେ । କିନ୍ତୁ ପୂର୍ବରୁ ଏନେଇ ଦଳୀୟ ସଭାପତିଙ୍କ ନେତୃତ୍ବରେ ଇଫତାର ପାର୍ଟିରେ ଘୋଷଣା ହୋଇଥିଲା, ବିଲକୁ ବିରୋଧ କରିବା ପାଇଁ । ହେଲେ ସେ କାହା ସହ ଆଲୋଚନା ନକରି ଏପରି ନିଷ୍ପତ୍ତି ନେଇଛନ୍ତି । ସସ୍ମିତଙ୍କ ଏଭଳି ନିଷ୍ପତ୍ତି ଦଳକୁ ଏବଂ ସଂଖ୍ୟାଲଘୁଙ୍କୁ ଗଭୀର ଆଘାତ ଦେଇଛି ।
ଏଥିସହିତ ନବୀନ ବାବୁ କେବେ ବି ତାଙ୍କୁ ଏପରି କରିବାକୁ କହିନଥିବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ମୁନା । ଏନେଇ ସେ ନବୀନଙ୍କୁ ଭେଟି ସବୁ କହିବେ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ, ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା । ଇଫତାର ପାର୍ଟିରେ ବି ନବୀନ ବାବୁ ସ୍ପଷ୍ଟ କରି କହିଥିଲେ, ବିଲକୁ ବିରୋଧ କରାଯିବ । ହେଲେ ସସ୍ମିତ୍ କାହିଁକି ବିବେକାନୁସାରେ ନିଷ୍ପତ୍ତି ନେବାକୁ କହିଲେ, ତାହା ସେ ଜାଣିନାହାନ୍ତି । ଏଥିସହିତ, ସସ୍ମିତଙ୍କ ସହ ସେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ, ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ବୋଲି ସେ କହିଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି, ବିଜୁ ଜନତା ଦଳ ଧର୍ମ ନିରପେକ୍ଷ । ସବୁବେଳେ ସଂଖ୍ୟାଲଘୁ ଭାଇଙ୍କ ସହ ଛିଡା ହୋଇଛି । ଯେଉଁମାନଙ୍କର ବିଜେପିକୁ ସମର୍ଥନ କରିବାର ଇଚ୍ଛା, ଯାହାଙ୍କର ଆତ୍ମା ଡାକୁଛି, ସେମାନେ ବିଜେପିକୁ ଚାଲିଯାଆନ୍ତୁ । ତାଙ୍କୁ ଦଳରେ ରହିବାକୁ କିଏ କହିଲା ବୋଲି ପ୍ରଶ୍ନ କରିଛନ୍ତି ମୁନା । ଦଳରେ ଦୋମୁହାଁ ନୀତି ବରଦାସ୍ତ କରାଯିବନାହିଁ । ଯଦି ଦଳରେ ରହିବାକୁ ଚାହୁଁଛ, ତାହେଲେ ଦଳୀୟ ନିଷ୍ପତ୍ତି ଭିତରେ ରୁହ । ଯଦି ବିଜେପିକୁ ସମର୍ଥନ କରିବାକୁ ଚାହୁଁଛ ତାହେଲେ ବିଜେପିକୁ ଚାଲିଯାଆ ବୋଲି କହି ସସ୍ମିତଙ୍କୁ ଏକ ପ୍ରକାର କଡା ଆକ୍ରମଣ କରିଛନ୍ତି ମୁନା ଖାଁ ।
ଅନ୍ୟପଟେ ଏୟାରପୋର୍ଟରୁ ସିଧା ନବୀନ ନିବାସ ଯାଇ, ଓ୍ବାକଫ୍ ସମ୍ବନ୍ଧୀୟ ଅଭିଯୋଗ ଜଣାଇଛନ୍ତି ମୁନା । ଏଥିସହିତ ନବୀନ ତାଙ୍କୁ ଏନେଇ କାର୍ଯ୍ୟନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛି । ଏଥିସହିତ ସସ୍ମିତଙ୍କୁ ଦଳରୁ ବାହାର କରିବା ନେଇ ଦାବି ହୋଇଥିବା ବେଳେ ଏନେଇ ସେ, ବୁଝିବେ ବୋଲି କହିଚନ୍ତି ।
Comments are closed.