ନୂଆଦିଲ୍ଲୀ: ଭାରତ ବିରୋଧରେ ପରମାଣୁ ଧମକ ଦେଇଛନ୍ତି ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିର। ଭବିଷ୍ୟତରେ ପାକିସ୍ତାନ ଉପରକୁ ବିପଦ ଆସିଲେ, ପରମାଣୁ ହତିଆରରେ କେବଳ ଭାରତ ନୁହେଁ ଅଧା ବିଶ୍ବକୁ ଧ୍ବଂସ କରିଦେବେ ବୋଲି କହିଛନ୍ତି ମୁନିର। ପାକିସ୍ତାନ ପାଖରେ 170ଟି ପରମାଣୁ ଅସ୍ତ୍ର ରହିଛି, ଯାହାଦ୍ବାରା ଅଧା ବିଶ୍ବକୁ ଧ୍ବଂସ କରିବା ସମ୍ଭବ ନୁହେଁ। ତେଣୁ ପ୍ରଶ୍ନ ଉଠୁଛି କାହା ଦମରେ ଏଭଳି ଧମକ ଦେଉଛନ୍ତି ମୁନିର? ଆମେରିକା ପାକିସ୍ତାନରେ ପରମାଣୁ ହତିଆର ରଖିଛି କି? ଯାହା ଦମ୍ଭରେ ଏଭଳି ଚେତାବନୀ ଦେଉଛନ୍ତି ମୁନିର।
କାହାର କେତେ ପରମାଣୁ ହତିଆର ?
ଅନ୍ତର୍ଜାତୀୟ ବିଶେଷଜ୍ଞ ଓ ସଂଗଠନର ରିପୋର୍ଟ ଆଧାରରେ 2025ରେ ପାକିସ୍ତାନ ପାଖରେ ପ୍ରାୟ 170ଟି ପରମାଣୁ ଅସ୍ତ୍ର ଥିବା ଅନୁମାନ କରାଯାଉଛି। ଭାରତ ପାଖରେ 170ରୁ 180ଟି ପରମାଣୁ ହତିଆର ଥିବା ବେଳେ ପାକିସ୍ତାନର ପରମାଣୁ ଶକ୍ତି ଭାରତ ପାଖାପାଖି ରହିଛି। ହେଲେ ବିଶ୍ବର ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ପରମାଣୁ ଶକ୍ତି ଖୁବ କମ୍। କାରଣ ବିଶ୍ବରେ ଋଷ ପାଖରେ ସର୍ବାଧିକ 5ହଜାର 580 ଓ ଆମେରିକା ପାଖରେ 5ହଜାର 44ଟି ପରମାଣୁ ହତିଆର ରହିଛି। ତେଣୁ ଭାରତ ସହ ଅଧା ବିଶ୍ବକୁ ଧ୍ବଂସ କରିବାକୁ କହୁଥିବା ମୁନିରଙ୍କ ଧମକରେ ସେଭଳି ଦମ୍ ନଥିବା କୁହାଯାଉଛି।
ପାକିସ୍ତାନରେ ଆମେରିକାର ପରମାଣୁ ଅସ୍ତ୍ର !
ଆର୍ମସ କଣ୍ଟ୍ରୋଲ ଆସୋସିଏସନ୍ ତଥ୍ୟ ଅନୁସାରେ ପାକିସ୍ତାନରେ ନିଜ ପରମାଣୁ ହତିଆର ରଖିନି ଆମେରିକା। ବେଲଜିୟମ, ଜର୍ମାନୀ, ଇଟଲୀ ପରି କିଛି ୟୁରୋପୀୟ ଦେଶରେ ପରମାଣୁ ଅସ୍ତ୍ର ରଖିଛି ଆମେରିକା। ଏସବୁ ହତିଆରକୁ ନାଟୋ ସହ ବୁଝାମଣା ଆଧାରରେ ସେଠାରେ ରଖାଯାଇଛି। ଏହାର ନିୟନ୍ତ୍ରଣ ଆମେରିକା ପାଖରେ ହିଁ ରହିଥାଏ। ତେବେ ଆବଶ୍ୟକ ପଡିଲେ ହତିଆର ଥିବା ଦେଶ ଏହାର ଉପଯୋଗ କରିପାରିବେ। ଆମେରିକା ଓ ପାକିସ୍ତାନ ମଧ୍ୟରେ ଆତଙ୍କବାଦ ବିରୋଧୀ ଲଢେଇକୁ ନେଇ ଭଲ ସଂପର୍କ ଥିଲା। ତେବେ ପରମାଣୁ ହତିଆର ନେଇ କୌଣସି ବୁଝାମଣା ହୋଇନି। କାରଣ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ଆମେରିକା ଓ ଅନ୍ୟ ଦେଶ ପାଇଁ ଚିନ୍ତାର ବିଷୟ ରହିଛି।
ମୁନିରଙ୍କ ଧମକ ପଛର ସତ
ଅପରେସନ୍ ସିନ୍ଦୂରରେ ଭାରତର ଶକ୍ତି କେତେ ସେକଥା ବୁଝିଛି ପାକିସ୍ତାନ। ମୁନିର ଅଧା ବିଶ୍ବକୁ ଧଂସ କରିବାକୁ ଧମକ ଦେଉଥିଲେ ମଧ୍ୟ ସତ ହେଲା ପାକିସ୍ତାନ ପାଖରେ ସୀମିତ ରେଞ୍ଜର ହତିଆର ହିଁ ମହଜୁଦ ରହିଛି। ପାକିସ୍ତାନର ସବୁଠୁ ଅଧିକ ରେଞ୍ଜ ବିଶିଷ୍ଟ ମିସାଇଲ୍ ଶାହିନ-ଥ୍ରୀର ରେଞ୍ଜ ରହିଛି 2ହଜାର 750କିଲୋମିଟର। ତେଣୁ ଏହାଦ୍ବାରା ଅଧା ବିଶ୍ବକୁ ନିଶାନା କରିବା ସମ୍ଭବ ନୁହେଁ। ଏହା କେବଳ ଆଞ୍ଚଳିକ ଲକ୍ଷ୍ୟକୁ ଟାର୍ଗେଟ୍ କରିବାରେ ହିଁ ସୀମିତ।
ଭାରତ ପାଖରେ 170ରୁ 180ଟି ପରମାଣୁ ହତିଆର ରହିଥିବା ବେଳେ ଦେଶ ନୋ ଫାଷ୍ଟ ୟୁଜ ନୀତିରେ ବିଶ୍ବାସ କରେ। ତେବେ ପାକିସ୍ତାନର ନୀତି ଅସ୍ପଷ୍ଟ ରହିଛି। ଭାରତର ଅଗ୍ନି ମିସାଇଲ ପାକିସ୍ତାନଠାରୁ ଅଧିକ ଶକ୍ତିଶାଳୀ। ତେଣୁ ଅସିମ ମୁନରଙ୍କ ଧମକକୁ ଖାରଜ କରିବା ସହ ପାକିସ୍ତାନର ପରମାଣୁ କମାଣ୍ଡ ସଂରଚନାକୁ ନେଇ ପ୍ରଶ୍ନ ଉଠାଇଛି ଭାରତ। ଆମେରିକା ସହ ସଂପର୍କ ସୁଧୁରିବା ପରେ ଦମ୍ଭ ଦେଖାଉଥିବା ପାକିସ୍ତାନ କେବଳ ଡରାଇବା ପାଇଁ ଶୁଖିଲା ଧମକ ଦେଉଛି।
Comments are closed.