Latest Odisha News

କୋର୍ଟ ପରିସରରେ ହତ୍ୟା ଅଭିଯୁକ୍ତ ଛୋଟେ ସରକାରକୁ ଗୁଳିକରି ହତ୍ୟା

ପାଟନା: କୋର୍ଟ ପରିସରରେ ଅପରାଧୀକୁ ଗୁଳିକରି ହତ୍ୟା କରାଯାଇଛି । ପାଟନା ଦାନାପୁର କୋର୍ଟ ପରିସରରେ ହତ୍ୟାକାଣ୍ଡ ଘଟିଛି । ପୋଲିସ ଉପସ୍ଥିତିରେ କଏଦୀ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଅଭିଷେକ କୁମାର ଓରଫ ଛୋଟେ ସରକାର ।

ପୋଲିସ ଛୋଟେ ସରକାରକୁ ଦାନାପୁର କୋର୍ଟରେ ହାଜର ପାଇଁ ନେଉଥିଲା । ଏହି ସମୟରେ କୋର୍ଟ ପରିସରରେ ଦୁର୍ବୃତ୍ତ ମାନେ ଆଖୁବୁଜା ଗୁଳିମାଡ କରିଥିଲେ । ଏହି ଘଟଣା ପରେ କୋର୍ଟ ପରିସରରେ ବିଶୃଙ୍ଖଳା ଖେଳି ଯାଇଥିଲା । ଛୋଟେ ସରକାର ବିରୋଧରେ ହତ୍ୟା ସମେତ ଅନେକ ଗୁରୁତର ଅପରାଧିକ ମାମଲା ଥିଲା। ତାଙ୍କୁ ବେଉର ଜେଲରେ ରଖାଯାଇଥିଲା ଓ ଆଜି କୋର୍ଟ ନିଆଯାଉଥିଲା।

ଏହି ଘଟଣାରେ ସିଟି ଏସପି ରାଜେଶ କୁମାର କହିଛନ୍ତି ଯେ, ଦୁଇ ଆକ୍ରମଣକାରୀ ଗୁଳି ଚଳାଇଥିଲେ । ଉଭୟଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରୁ ୪ଟି ଖୋଖା ଉଦ୍ଧାର କରାଯାଇଛି । ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା କରୁଛି। କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅବହେଳା କରାଯାଇଛି ବୋଲି ସେ କହିଛନ୍ତି । ଘଟଣାର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗିରଫ ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣା ପଡିଛି।

Comments are closed.