ନୂଆଦିଲ୍ଲୀ: ରକ୍ଷାବନ୍ଧନର ପର୍ବ ସମସ୍ତ ଭାଇ ଭଉଣୀଙ୍କ ପାଇଁ ବହୁତ ସ୍ୱତନ୍ତ୍ର। ଯେତେବେଳେ ଜଣେ ମୁସଲିମ ଝିଅ ଅନମତା ଅହମ୍ମଦ ହିନ୍ଦୁ ପୁଅ ଶିବମ ମିସ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ, ସେତେବେଳେ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖି ଲୁହରେ ଭିଜି ଯାଇଥିଲା। ଏହି ଦୁଇ ଭାଇଭଉଣୀଙ୍କ ସମ୍ପର୍କ ରକ୍ତର ନୁହେଁ, ବରଂ ଏକ ଭାବପ୍ରବଣ କାହାଣୀର ଫଳାଫଳ।
ସୂଚନା ଅନୁଯାୟୀ, ଅନମତା ଯେଉଁ ହାତ ସହାୟତାରେ ଶିବମଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ ସେଥିରୁ ଗୋଟିଏ ହାତ ଶିବମଙ୍କ ଭଉଣୀ ରିୟାର ଥିଲା। ନଅ ବର୍ଷୀୟା ରିୟାର ଗତ ବର୍ଷ ଅର୍ଥାତ୍ ୨୦୨୪ ମସିହାରେ ମୃତ୍ୟୁ ହୋଇଥିଲା। ସୁରତସ୍ଥିତ ଏକ ଏନଜିଓ ସହାୟତାରେ ରିୟାର ଗୋଟିଏ ହାତ ଶିବମଙ୍କ ଘର (ଭାଲସାଦ) ଠାରୁ ୧୮୦ କିଲୋମିଟର ଦୂର ମୁମ୍ବାଇର ଗୋରେଗାଓଁରେ ରହୁଥିବା ଅନମତାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।
ଅନମତା ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ସେ ଏକ ହାଇ-ଭଲ୍ଟେଜ୍ ତାର ସଂସ୍ପର୍ଶରେ ଆସିଥିଲେ। ୨୦୨୨ ମସିହାରେ, ଡାକ୍ତରମାନଙ୍କୁ ତାଙ୍କର ସମ୍ପୂର୍ଣ୍ଣ ଡାହାଣ ହାତ କାଟିବାକୁ ପଡିଥିଲା। ଏପରିକି ତାଙ୍କ ବାମ ହାତ ମଧ୍ୟ ୨୦% କ୍ଷମତାରେ କାମ କରୁଥିଲା।
ତେବେ ଏହାର ଦୁଇ ବର୍ଷ ପରେ ସେପ୍ଟେମ୍ବର ମାସରେ ଭାଲସାଦର ଚତୁର୍ଥ ଶ୍ରେଣୀର ଛାତ୍ରୀ ରିୟା ଅସୁସ୍ଥ ହୋଇପଡ଼ିଲେ। ତାଙ୍କର ହଠାତ୍ ବାନ୍ତି ସହ ଅସହ୍ୟ ମୁଣ୍ଡବିନ୍ଧା ହୋଇଥିଲା। ଅନେକ ହସ୍ପିଟାଲରେ ଚିକିତ୍ସା କରିବା ପରେ ତାଙ୍କ ବାପାମାଆ ତାଙ୍କୁ ସେପ୍ଟେମ୍ବର ୧୫ ତାରିଖରେ ସୁରଟର କିରଣ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସିଟି ସ୍କାନରୁ ଜଣାପଡିଥିଲା ଯେ ରକ୍ତସ୍ରାବ ଯୋଗୁଁ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା। ଯାହା ପରେ ରିୟାର ସମଗ୍ର ପରିବାର ସ୍ତବ୍ଧ ହୋଇଗଲେ। ସେହି ସମୟରେ ଡୋନେଟ୍ ଲାଇଫ୍ ନାମକ ଏକ ଏନଜିଓ ରିୟାର ପରିବାର ସହିତ ଯୋଗାଯୋଗ କରି ଅଙ୍ଗ ଦାନ କରିବାକୁ ପରାମର୍ଶ ଦେଇଥିଲା। ଯାହା ପରେ ସେମାନେ ତାଙ୍କ ଅଙ୍ଗ ଦାନ କରିବାକୁ ରାଜି ହୋଇଥିଲେ।
ତେବେ ରକ୍ଷା ବନ୍ଧନର ଗୋଟିଏ ଦିନ ପୂର୍ବରୁ ଅନାମତା ତାଙ୍କ ବାପାମାଆଙ୍କ ସହ ଭାଲସାଡ ଆସିଥିଲେ। ତେବେ ଏହା ପ୍ରଥମ ଥର ଥିଲା ଯେତେବେଳେ ଆକିଲ୍ ଅହମ୍ମଦ (ଅନମତାର ବାପା) ଏବଂ ବବି ମିସ୍ତ୍ରୀଙ୍କ ପରିବାର ସେମାନଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ପରସ୍ପରକୁ ଭେଟିଥିଲେ। ଏପରିକି ସେ ଭାଇକୁ ରାକ୍ଷୀ ମଧ୍ୟ ବାନ୍ଧିଥିଲେ।
Comments are closed.