Latest Odisha News

BREAKING NEWS

ସାବତ ମା’ର ଏସିଡ ମାଡ ଶରୀରକୁ କୁରୂପ କରିଦେଲା, ତଥାପି ଜୀବନ ଯୁଦ୍ଧରେ ଚମକୁଛନ୍ତି ରୂପା

ଉତ୍ତରପ୍ରଦେଶ: ମା, କେତେ ମିଠା ଶବ୍ଦଟିଏ । ସନ୍ତାନ ପାଇଁ ମା’ ର ମନ ସବୁବେଳେ ବ୍ୟାକୁଳ । ସନ୍ତାନର ଶୁଭ ମନାସି ମା କରେ କେତେ ପୁଜା ପାଠ । ଆଉ ଯେତେବେଳେ ସେଇ ମା ସ୍ନେହ ମମତା ଭୁଲି ରାକ୍ଷାସି ପାଲଟି ଯାଏ ସେତେବେଳେ ଗୋଟେ ସନ୍ତାନ ପାଇଁ ତାର ପୁରା ପୃଥିବୀ ନିଷ୍ତବ୍ଦ ହୋଇଯାଏ । କ୍ରୋଧର ବଶବର୍ତ୍ତୀ ହୋଇ ମା ଯେତେବେଳେ କରେ ନରକୀୟ କାଣ୍ଡ଼ ସେତେବେଳେ ସନ୍ତାନ ବା ଭରଷା କରିବ କାହାକୁ । ସେହିପରି ଏକ ଘଟଣା ଘଟିଥିଲା ଏସିଡ଼୍ ପୀଡ଼ିତା ରୁପାଙ୍କ ସହ ।

ଏ କାହାଣୀ ହେଉଛି ଜଣେ ଏସିଡ଼୍ ପୀଡ଼ିତା ଝିଅ ରୁପାଙ୍କର । ଯିଏ କି ଏତେ ବଡ଼ ଦୁର୍ଘଟଣାରୁ ବାହାରି ଜୀବନ ଯୁଦ୍ଧରେ ନ ହାରି ନିଜ ପ୍ରଚେଷ୍ଟା ଫଳରେ ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ । ରୁପାଙ୍କ ସାହସକୁ ଯେତେ ପ୍ରଶଂସା କଲେ ବି କମ ପଡିବ । ୨୦୦୮ ମସିହାରେ ତାଙ୍କର ସାବତ ମା ଶୋଇଥିବା ଅବସ୍ଥାରେ ତାଙ୍କ ମୁହଁକୁ ଢାଳି ଦେଇଥିଲେ ଏସିଡ । ଏସିଡର ଜ୍ୱଳାରେ ଚେହେରା ଜଳିଯାଇଥିବା ବେଳେ କ୍ଷଣିକ ଭିତରେ ବଦଳି ଯାଇଥିଲା ତାଙ୍କର ପୁରା ଜୀବନ । ୧୬ ଘଣ୍ଟାର ଅପେକ୍ଷା ପରେ ତାଙ୍କର ଆରମ୍ଭ ହୋଇଥିଲା ଚିକିତ୍ସା । ଯନ୍ତ୍ରଣା ସହିତ ସେ ଜୀବନ ପାଇଁ ବ୍ୟାକୁଳ ହେଉଥିବା ବେଳେ ସାବତ ମା ପହଞ୍ଚି ଫଳ ରସ ସହିତ ବିଷ ମିଶାଇ ପିଏଇବାକୁ ଚେଷ୍ଟା କରୁଥିଲେ । କିଛି ବି ଖାଇବା ଓ ପିଇବା ମନା ବୋଲି ସେଦିନ ନର୍ସଙ୍କ ତାଗିଦା ସିନା ରୁପାଙ୍କ ଜୀବନ ବଞ୍ଚାଇଦେଲା କିନ୍ତୁ ପରବର୍ତ୍ତୀ ସମୟରେ କମିନଥିଲା ତାଙ୍କ ପ୍ରତି ସାବତ ମା ଙ୍କ ନିର୍ଯ୍ୟାତନା ।

ୟୁପିର ମୁଜାଫରନଗର ବାସିନ୍ଦା ରୁପା । ନିଜର ସାନଭାଇକୁ ଜନ୍ମ ଦେଇ ଆଖି ବୁଜିଥିଲେ ମା । ରୁପାଙ୍କୁ ସେତେବେଳେ ମାତ୍ର ୧୩ ବର୍ଷ । ନିଜର ପୁଅ ଝିଅ ଥିବା ସତ୍ୱେ ତାଙ୍କ ବାପା କରିଥିଲେ ଦ୍ୱିତୀୟ ବିବାହ । ପୁଅ ଏବଂ ଝିଅ ଥାଇ ବିବାହ କରୁଥିବା କଥା କନ୍ୟାପକ୍ଷଙ୍କୁ ଲୁଚାଯାଇଥିଲା । ଫଳରେ ତାଙ୍କର ସାବତ ମା ରୁପା ଓ ତାଙ୍କର ସାନଭାଇଙ୍କ ଉପରେ ଆରମ୍ଭ କରିଦେଇଥିଲେ ନିର୍ଯ୍ୟାତନା । ରୁପାଙ୍କ ପାଠପଢ଼ା ବନ୍ଦ କରିଦେବା ସହ ଘରର ସବୁ କାମ କରିବାକୁ ବାଧ୍ୟ କରୁଥିଲେ ରୁପାଙ୍କ ସାବତ ମା । କୌଣସି କାରଣରୁ ଟିକିଏ ଭୁଲ ହେଲେ ମାଡ଼ ମଧ୍ୟ ବସୁଥିଲା ।୨୦୦୮ରେ ତାଙ୍କ ଜୀବନ ମୋଡ଼ ହଠାତ ବଦଳିଗଲା । ସେ ଶୋଇଥିବା ବେଳେ ତାଙ୍କ ମୁହଁ ଉପରକୁ ସାବତ ମା ଢ଼ାଲିଦେଇଥିଲେ ଏସିଡ଼୍ । ପଡୋଶୀ ମାନେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତୀ କରିଥିଲେ । ୧୬ଟି ସର୍ଜରୀ ପରେ ସେ ଜୀବନ ଫେରି ପାଇଲେ । ଛାବ ଫାଉଣ୍ଡେସନ ନାମକ ଏକ ସାମାଜିକ ସଂଗଠନ ତାଙ୍କୁ ରୋଜଗାର ,ଚିକିତ୍ସା ଏବଂ ଆଇନ ଗତ ସହାୟତା ଯୋଗାଇ ଦେଇଥିଲେ । ଏବେ ରୁପା ଏକ କାଫେରେ କାମ କରି ସ୍ୱାବଲମ୍ବୀ ହୋଇଥିବା ବେଳେ ଅନ୍ୟ ଏସିଡ ପୀଡିତାଙ୍କ ନ୍ୟାୟ ପାଇଁ ଶ୍ରମ ଓ ସମୟର ସହଯୋଗ ଦେଉଛନ୍ତି ।

Leave A Reply

Your email address will not be published.