Latest Odisha News

BREAKING NEWS

ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା୧,୬୪୪କୁ ବୃଦ୍ଧି

ନୂଆଦିଲ୍ଲୀ: ଶୁକ୍ରବାର ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଲଗାତାର ତିନି ଥର ଭୟଙ୍କର ଭୂମିକମ୍ପ ଘଟିଛି । ଏହି ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧,୬୪୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦେଶରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ଏହି ଘଟଣାରେ ଆମେରିକୀୟ ଏଜେନ୍ସି ଚେତାବନୀ ଦେଇଥିଲା ଯେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିପାରେ । ମିଆଁମାରରେ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଭାରତ ସହାୟତାର ହାତ ବଢ଼ାଇଛି । ଭାରତ କେବଳ ପଡ଼ୋଶୀ ଦେଶ ପାଇଁ ଚିନ୍ତା ପ୍ରକାଶ କରିନାହିଁ ବରଂ ରିଲିଫ୍ ଏବଂ ଉଦ୍ଧାର ପାଇଁ ମଧ୍ୟ ଆଗକୁ ଆସିଛି । ମିଆଁମାରରେ ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ ଭାରତ ଅପରେସନ୍ ବ୍ରହ୍ମା ଚଲାଉଛି ।

ମିଆଁମାରକୁ ୧୫ଟନ୍ ରିଲିଫ୍ ସାମଗ୍ରୀ ହିନ୍ଦନ୍ ଏୟାରବେସରୁ ଭାରତୀୟ ବାୟୁସେନା ବିମାନ ମାଧ୍ୟମରେ ପଠାଯାଇଥିଲା । ରିଲିଫ୍ ସାମଗ୍ରୀରେ ଖାଦ୍ୟ ସାମଗ୍ରୀ, ଚିକିତ୍ସା ସହାୟତା, ଲୋକମାନେ ରହିବା ପାଇଁ ସାମଗ୍ରୀ ଏବଂ ସେଠାରେ ଥିବା ଲୋକଙ୍କ ପାଇଁ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି । ଭାରତର ଏହି ମିଶନ ସଙ୍କଟ ସମୟରେ ପଡୋଶୀ ଦେଶକୁ ଠିକ୍ ସମୟରେ ସହାୟତା ଯୋଗାଇବାରେ ଭାରତର ସକ୍ରିୟ ଭୂମିକା ଦର୍ଶାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାରର ସୈନ୍ୟ ନେତୃତ୍ୱାଧୀନ ସରକାରଙ୍କ ମୁଖ୍ୟ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥା ହୋଇଛନ୍ତି ଏବଂ କହିଛନ୍ତି ଯେ ଭାରତ ଏହି କ୍ଷୟକ୍ଷତିର ମୁକାବିଲା କରିବାରେ ଦେଶ ସହିତ ଏକତାରେ ଠିଆ ହୋଇଛି । ଏହି ବାର୍ତ୍ତାଳାପ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ରେ ପୋଷ୍ଟ କରି କହିଛନ୍ତି ଯେ, ମିଆଁମାରର ବରିଷ୍ଠ ଜେନେରାଲ ମହାମହିମ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ କଥା ହୋଇଛି । ବିନାଶକାରୀ ଭୂମିକମ୍ପରେ ଜୀବନ ଏବଂ ସମ୍ପତ୍ତି କ୍ଷତି ପାଇଁ ଗଭୀର ସମବେଦନା ପ୍ରକାଶ କରିଛି । ଏକ ଘନିଷ୍ଠ ବନ୍ଧୁ ଏବଂ ପଡ଼ୋଶୀ ଭାବରେ, ଭାରତ ଏହି କଷ୍ଟକର ସମୟରେ ମିଆଁମାର ଲୋକଙ୍କ ସହିତ ଏକତାରେ ଛିଡ଼ା ହୋଇଛି ।

Comments are closed.