ନୂଆଦିଲ୍ଲୀ: ଅପରାହ୍ନ ସମୟ ହୋଇଥିବ । ହଠାତ୍ ଆପଣଙ୍କ ଅଞ୍ଚଳରେ ଆକାଶରୁ ୫୦୦କେଜିର ବିଶାଳ ରିଙ୍ଗ’ଟି ପଡିବ । ଆପଣ ଛାନିଆ ହୋଇଯିବେ କି ନାହିଁ । ହଁ ଆଜ୍ଞା ଏପରି ଏକ ଘଟଣା ଘଟିଛି କେନିଆର ମାକୁଏନି କାଉଣ୍ଟରେ ଅବସ୍ଥିତ ମୁହୁକୁ ଗାଁରେ ।
ଖବରମୁତାବକ, ଏହି ଗାଁ ନିକଟରେ ଆକାଶରୁ ପଡିଥିବା ବିଶାଳରିଙ୍ଗର ବ୍ୟାସ ୮ଫୁଟ ଓ ଓଜନ ୫୦୦କିଲୋ ଥିଲା । ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩ଟାବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣା ୩୦ଡିସେମ୍ବର ୨୦୨୪ର ବୋଲି କୁହାଯାଉଛି । କେନିଆ ସ୍ପେସ୍ ଏଜେନ୍ସି (କେଏସଏ) ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣା ସ୍ଥଳକୁ ଅବରୋଧ କରିଛନ୍ତି ଏବଂ ବିଶେଷଜ୍ଞମାନେ ରିଙ୍ଗର ଯାଞ୍ଚ କରୁଛନ୍ତି।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ରିଙ୍ଗଟି ରକେଟ୍ ଉତକ୍ଷେପଣର କିଛି ମିନିଟ୍ ପରେ ପୃଥିବୀ ଉପରେ ପଡିଛି। ଏକ ରକେଟରୁ ଅଲଗା ହୋଇ ଏହା ମୁହୁକୁ ଗାଁରେ ପଡିଛି ।
କେନିଆ ସ୍ପେସ୍ ଏଜେନ୍ସି କହିଛି ଯେ,ଏହି ବସ୍ତୁ ଏକ ରକେଟ୍ରୁ ଅଲଗା ହୋଇଥିବା ରିଙ୍ଗ ହୋଇପାରେ, ଯାହା ସାଧାରଣତଃ ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କଲାବେଳେ ଜଳିଯାଏ କିମ୍ବା ନିର୍ଜନ କ୍ଷେତ୍ରରେ ପଡିଥାଏ ।
ଏଜେନ୍ସି ସ୍ପଷ୍ଟ କରିଛି ଯେ, ଏହି ବସ୍ତୁ ଜନସାଧାରଣଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ନୁହେଁ। ବର୍ତ୍ତମାନ ସୁଦ୍ଧା ଏହି ଧାତୁର ଖଣ୍ଡର ପ୍ରକୃତ ଉତ୍ସ ଚିହ୍ନଟ ହୋଇନାହିଁ ଏବଂ ଅନୁସନ୍ଧାନ ଜାରି ରହିଛି ।
ଏହି ଘଟଣା ମହାକାଶ ଆବର୍ଜନା ବଢୁଥିବାର ସମସ୍ୟାର ଏକ ସଙ୍କେତ ଅଟେ,ଏହା ପୂର୍ବରୁ ଅନେକ ଥର ପୃଥିବୀରେ ଏପରି ଖଣ୍ଡବିଖଣ୍ଡିତ ଅଂଶ ଆକାଶରୁ ପଡିଛି । ୨୦୨୨ ମସିହାରେ, ଏଲୋନ୍ ମସ୍କର ସ୍ପେସ୍ ଏକ୍ସ କମ୍ପାନୀର ଡ୍ରାଗନ୍ କ୍ୟାପସୁଲର ଏକ ଅଂଶ ଅଷ୍ଟ୍ରେଲିଆର ଏକ ମେଣ୍ଢା ଫାର୍ମ ଉପରେ ପଡିଥିଲା। ୨୦୨୪ ମସିହାରେ, ଏକ ଆମେରିକୀୟ ପରିବାର ଫ୍ଲୋରିଡା ସ୍ଥିତ ସେମାନଙ୍କ ଘର ଉପରେ ପଡିଥିବା ଧାତୁ ଖଣ୍ଡ ପାଇଁ ନାସା ବିପକ୍ଷରେ ମକଦ୍ଦମା ଦାୟର କରିଥିଲେ।
Comments are closed.