ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦେବ । କିନ୍ତୁ ଚାରିପଟ ଲୋକଙ୍କୁ ନୁହଁ । ଏଭଳି ଗୁରୁତର ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ବିଶେଷଜ୍ଞ । ସେମାନଙ୍କ କହିବା କଥା ଏହି ପ୍ରକାର ମାସ୍କରେ ଥିବା ଭାଲ୍ବ ହିଁ ଏଥିପାଇଁ ମୁଖ୍ୟ ଦାୟୀ । ପ୍ରଦୂଷଣର ମାତ୍ରା ଅଧିକ ହେଲେ ଏନ-୯୫ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ । କାରଣ ଏଥିରେ ଥିବା ଭାଲ୍ବ ବାୟୁମଣ୍ଡଳରେ ଥିବା କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳକୁ ନିଶ୍ୱାସରେ ଶରୀର ମଧ୍ୟକୁ ପ୍ରବେଶ କରାଇବାରୁ ରୋକିଥାଏ । କହିବାକୁ ଗଲେ ଏହାଦ୍ୱାରା ପ୍ରଦୂଷିତ ବାୟୁ ଛାଣି ହୋଇ ଶରୀର ମଧ୍ୟକୁ ଯାଇଥାଏ । କିନ୍ତୁ ସେହି ଭାଲ୍ବ ଶରୀର ମଧ୍ୟରେ ଥିବା ଜୀବାଣୁକୁ ପ୍ରଶ୍ୱାସ ମାଧ୍ୟମରେ ଖୁବ୍ ସହଜରେ ବାହାରକୁ ନିର୍ଗତ କରାଇବାରେ ସହାୟକ ହୋଇଥାଏ । ଯାହାକି ନିଶ୍ଚିତରୂପେ ଚିନ୍ତାଜନକ ।
ବିଶେଷଜ୍ଞଙ୍କ ମତରେ ଯଦି ଏହି ପ୍ରକାରର ମାସ୍କ ବ୍ୟବହାର କରୁଥିବା ଜଣେ ବ୍ୟକ୍ତି କୋଭିଡ-୧୯ ସଂକ୍ରମିତ ହୋଇଥାଏ । ତାହେଲେ ତା ଶରୀରରୁ ନିର୍ଗତ ହେଉଥିବା ଭୂତାଣୁ ଏବଂ ଜୀବାଣୁ ଅତି ସହଜରେ ଚାରିପାଖର ବ୍ୟକ୍ତିଙ୍କୁ ସଂକ୍ରମିତ କରିଦେବ । ତେଣୁ ଏନ-୯୫ର ଭାଲ୍ବ ନଥିବା ମାସ୍କ ହିଁ ଅଧିକ ସୁରକ୍ଷିତ ବୋଲି ମତ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ କମିଟିର ପରାମର୍ଶଦାତା ତଥା ସ୍ଥାନୀୟ ପିଏସଆରଆଇ ହସପିଟାଲର ଅଧ୍ୟକ୍ଷ ଜି.ସି. ଖିଲାନୀ । ଭାଲ୍ବ ଥିବା ଏନ-୯୫ ମାସ୍କର ସର୍ବସାଧାରଣରେ ବ୍ୟବହାର ନକରିବାକୁ ଖୁବଶୀଘ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି ହେବାର ସୂଚନା ରହିଛି ।
ତେବେ କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ଥିବା ବ୍ୟକ୍ତି ଏହାର ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ । ଆଉ ସେମାନଙ୍କର ପିପିଇ କିଟରେ ଏହି ମାସ୍କ ଏକ ଅଂଶବିଶେଷ । ଅନ୍ୟପଟେ ମାସ୍କ ବ୍ୟବହାର ଜଣେ ବ୍ୟକ୍ତିଙ୍କୁ କରୋନାରୁ ଶତ ପ୍ରତିଶତ ସୁରକ୍ଷା ଦେବ ତାହା ଭାବିବା ଭୁଲ୍ ବୋଲି କହିଛନ୍ତି ବିଶେଷଜ୍ଞ । ତେଣୁ ସମସ୍ତେ ସାମାଜିକ ଦୂରତା ନିୟମକୁ ଅଧିକ ମାନିବାର ଆବଶ୍ୟକତା ରହିଛି ।
Comments are closed.