Latest Odisha News

BREAKING NEWS

କଂଗ୍ରେସ ବିଧାୟକ ପଦରୁ ନବ ଦାସଙ୍କ ଇସ୍ତଫା

ଭୁବନେଶ୍ୱର : ବିଜେଡିରେ ଯୋଗଦେବା ପରେ ବରିଷ୍ଠ ନେତା ନବ ଦାସ ସୋମବାର ଦିନ କଂଗ୍ରେସ ବିଧାୟକ ପଦରୁ ନିଜ ଇସ୍ତଫା ଦେଇଛନ୍ତି ।

ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନବ ଦାସ ବିଧିବଦ୍ଧ ଭାବେ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ପରବର୍ତ୍ତୀ ସମୟରେ ବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ନେଇ ସୂଚନା ମିଳିଛି।

ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ନେତା ନବ ଦାସ କହିଛନ୍ତି “ମୁଁ ବିଜେଡି ଦଳରେ ଯୋଗ ଦେଇଛି । ତେଣୁ ମୋର କଂଗ୍ରେସ ବିଧାୟକ ପଦରେ ରହିବାର କୌଣସି ନୈତିକତା ନାହିଁ ।”

ଉଲ୍ଲେଖଯୋଗ୍ୟ ଜାନୁଆରୀ ୧୬ ତାରିଖରେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ଜାନୁଆରୀ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ କାଳରେ ସେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ ।

ସେ ବାଚସ୍ପତିଙ୍କୁ ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, ବିଧାୟକ ଭାବେ କଂଗ୍ରେସ ଦଳର ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।

ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଇଚ୍ଛାନୁଯାୟୀ ସେ ଦଳ ଛାଡିଛନ୍ତି ବୋଲି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ତାଙ୍କର ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଥିଲେ । ଏଥିସହିତ “ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣମାନେ ଏହି ଅଞ୍ଚଳର ବିକାଶ ନିମନ୍ତେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହାତ ମିଳାଇ ଏବଂ ୨୦୧୯ ନିର୍ବାଚନ ବିଜେଡି ଟିକେଟରୁ ଲଢେ ବୋଲି ସେମାନେ ଚାହୁଁଛନ୍ତି” ବୋଲି ସେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.