ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଗାୟକ ସମ୍ରାଟ ବୈଷ୍ଣବ ଚରଣ ପ୍ରଧାନ

ଭୁବନେଶ୍ୱର: ପାଲା ଜଗତରେ ଗାୟକ ରତ୍ନ ହରି ନାଥ ଓ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ପରେ ଯାହାଙ୍କ ନାମ ଆସେ ସେ ହେଉଛନ୍ତି ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ । ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ଉଚ୍ଚ ଶିକ୍ଷିତ ଓ ବୁଦ୍ଧିଜୀବୀ ମହଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ରହିଥିଲା ବୈଷ୍ଣବ ପ୍ରଧାନଙ୍କର । କୁହାଯାଏ ସେ ଥିଲେ ବିଷ୍ଣୁଙ୍କର ଅଂଶାବତାର । ଏଭଳି ଦେବପ୍ରତିମ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଯେ ତାଙ୍କ ଆଗରେ ସାହିତ୍ୟିକ, ସମାଲୋଚକ, ବିଜ୍ଞ ପଣ୍ଡିତମାନଙ୍କର ମଥା ଆପେ ଆପେ ନଇଁଯାଉଥିଲା ।

କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଦାମୋଦରପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ବୈଷ୍ଣବ ଚରଣ ପ୍ରଧାନ । ବାପା ନରି ପ୍ରଧାନ ଓ ମାଆ ସୂର୍ଯ୍ୟକାନ୍ତି । ଗାଁ ବିଦ୍ୟାଳୟରେ ପଢା ଶେଷ ପରେ ସେ ସାଲେପୁର ହାଇସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ । ଏହାପରେ କୂଳିଆ ସଂସ୍କୃତ ଟୋଲରେ ଆଚାର୍ଯ୍ୟ ପାସ୍ କରିଥିଲେ । ମାତ୍ର ୧୫ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ତାଙ୍କର ପାଲା ଗାୟନ । ଗୁରୁ ଜୟରାମ ସିଂହଙ୍କଠାରୁ ସେ ପାଲା ଶିଖିଥିଲେ । ଗାୟକ ରତ୍ନ ହରିନାଥ ଭାବ ପ୍ରବଣ ଗାୟକ ଥିଲେ । ସେ ନବ ରସରେ ଏପରି ପାଲା ଗାଉଥିଲେ, ଯାହା ଅତୁଳନୀୟ । କରୁଣ ରସରେ ପାଲା ଗାଇ ନିଜେ କାନ୍ଦିବା ସହ ଦର୍ଶକମାନଙ୍କୁ କନ୍ଦାଇ ପକାଉଥିଲେ ହରି ନାଥ ।

ସେହିପରି ନିରଞ୍ଜନ କର ଥିଲେ ଜଣେ ଆଶୁ କବି ଓ ଉପସ୍ଥିତ ବୁଦ୍ଧି ସଂପନ୍ନ ଗାୟକ । ତେବେ ବୈଷ୍ଣବ ପ୍ରଧାନ ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ତାଙ୍କ ତୁଳନାତ୍ମକ ବିଶ୍ଳେଷଣ ଅତ୍ୟନ୍ତ ଉଚ୍ଚକୋଟିର । ରାମାୟଣ ଓ ଭଞ୍ଜ ସାହିତ୍ୟରେ ତାଙ୍କ ବ୍ୟୁତ୍ପତି ଅସାମାନ୍ୟ । ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କଠାରୁ କାଳିଦାସ, ବାଣଭଟ୍ଟଙ୍କ ପର‌୍ୟ୍ୟନ୍ତ ସେ ଯେଉଁ ତୁଳନାତ୍ମକ ବିଶ୍ଳେଷଣ କରୁଥିଲେ ତାହା ସାହିତ୍ୟ ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଥିଲା । ବୈଷ୍ଣବଙ୍କର ଏହି ତୁଳନାତ୍ମକ ବିଶ୍ଳେଷଣ ଏକ ନୂଆ ଧାରା ସୃଷ୍ଟି କରିଥିଲା । ଶ୍ରୀଜୟଦେବ କୃତ ଗୀତଗୋବିନ୍ଦ ଗାଇବାରେ ବୈଷ୍ଣବ ଥିଲେ ବେଶ୍ ଧୂରୀଣ । ବୈଷ୍ଣବ ପ୍ରଧାନ ଯେପରି ଗୀତଗୋବିନ୍ଦ ଗାଇଥାନ୍ତି, ତାହା ଅନନ୍ୟ, ତାଙ୍କ ଗୀତଗୋବିନ୍ଦ ଶୁଣିଲେ ମଣିଷ ତ ମଣିଷ, ପଶୁ ପକ୍ଷୀ ମଧ୍ୟ ବିଭୋର ହୋଇଯାଉଥିଲେ ।

ଉଭୟ ଦେଶ ସ୍ୱାଧୀନ ହେବା ପୂର୍ବରୁ ଓ ପରେ ବୈଷ୍ଣବ ପାଲା ଗାଇଛନ୍ତି । ସମୟ ସହ ତାଳ ଦେଇ ପାଲାରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ଘାଘରା, ପଗଡ଼ି ଆଦି ବେଶ ପୋଷାକରେ ସେ ପାଲା ଗାଇଥିଲେ ଆଉ ପରେ ଆଧୁନିକ ପୋଷାକ ପିନ୍ଧି ପାଲା ଗାଇଛନ୍ତି, ହେଲେ ସେ କେବେ ମଧ୍ୟ ପାଲାର ମୌଳିକ ସୂତ୍ରରୁ ବିଚ୍ୟୁତ ହୋଇନଥିଲେ । ପାଲାର ଅଭିବୃଦ୍ଧି ପାଇଁ ସେ ସବୁବେଳେ ଚେଷ୍ଟା କରିଆସିଥିଲେ ।

ପାଲା କ୍ଷେତ୍ରରେ ବୈଷ୍ଣବ ଯେପରି ଏକ ଉତୁଙ୍ଗ ଶିଖରରେ ପହଞ୍ଚି ଥିଲେ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେହିପରି ଜଣେ ଋଷି ପ୍ରତିମ ବ୍ୟକ୍ତି ଥିଲେ । ବାଦିପାଲା ସମୟରେ ସମାଲୋଚନା କରିବାକୁ ଯାଇ ଗାୟକମାନେ ଯେପରି ବ୍ୟକ୍ତିଗତ କୁତ୍ସାରଟନା କରନ୍ତି, ତାଠାରୁ ବହୁଦୂରରେ ଥିଲେ ବୈଷ୍ଣବ ପ୍ରଧାନ । ସେ ଯେଉଁ ଗଠନ ମୂଳକ ସମାଲୋଚନା କରନ୍ତି ସେଥିରେ ଅପରପକ୍ଷ ଗାୟକ ଖୁସି ହୁଅନ୍ତି । ସେ ମନ ଦୁଃଖ ହେଲା ଭଳି କେବେ ସମାଲୋଚନା କରି ନାହାନ୍ତି । ଏପରି କି ସେ କେବେ ମଧ୍ୟ ନିଜର ବଡ଼ିମା ଦେଖାଉନଥିଲେ । ବୈଷ୍ଣବ ପ୍ରଧାନଙ୍କ ଅମାୟିକ ଓ ନମ୍ର ବ୍ୟବହାର ଅନ୍ୟମାନଙ୍କ ପାଇଁ ଉଦାହରଣ ସଦୃଶ ।

ପାଲା ଜଗତକୁ ବୈଷ୍ଣବ ପ୍ରଧାନଙ୍କ ଅବଦାନ ଅନେକ । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାୟକ ଲକ୍ଷ୍ମୀଧର ରାଉତଙ୍କଠାରୁ ଆରମ୍ଭ କରି ଅନେକ ସୁଯୋଗ୍ୟ ଛାତ୍ର ସେ ସୃଷ୍ଟିକରିଯାଇଛନ୍ତି । ସେ ଅନେକ ପାଲା କାବ୍ୟ ମଧ୍ୟ ରଚନା କରିଯାଇଛନ୍ତି, ଯାହା ଆଜି ମଧ୍ୟ ପାଲା ଜଗତରେ ଗାୟନ କରାଯାଉଛି । ରାମ ଅଭିଷେକ, ସାବିତ୍ରୀ ସତ୍ୟବାନ, ରଘୁ ଅରକ୍ଷିତ, ଉରୁଭଙ୍ଗ, ଭକ୍ତ ଶ୍ରୀବତ୍ସ, ଭକ୍ତ ଗୟା ଆଦି ତାଙ୍କର ଶ୍ରେଷ୍ଠ ପାଲା କାବ୍ୟ । ଏହାବ୍ୟତୀତ ଅନେକ ଛାନ୍ଦ, ଭଜନ, ଜଣାଣ, ମନଶିକ୍ଷା, ନୀତିବାଣୀ ଆଦି ମଧ୍ୟ ରଚନା କରିଯାଇଛନ୍ତି ବୈଷ୍ଣବ ପ୍ରଧାନ ।

ଏହି ଶତାୟୁ ଯୋଗଜନ୍ମା ପୁରୁଷଙ୍କର ପାଲା ଜଗତକୁ ଅନେକ ଅବଦାନ ରହିଥିଲେ ମଧ୍ୟ ସତେ ଯେମିତି ତାଙ୍କ ପ୍ରତି ଓଡ଼ିଶାବାସୀ ଓ ସରକାର ଅବହେଳା କରିଥିବା ମନେ ହୁଏ । ତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦାନ କରିପାରିନାହିଁ ଏ ସମାଜ । ତାଙ୍କ ଜୀବନର ଶେଷ ସମୟ ଆର୍ଥିକ ଅନଟନ ମଧ୍ୟରେ କଟିଥିଲା । ବ୍ରୋଙ୍କାଇଟସ୍ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇପାରି ନଥିଲ । ଏପରି କି ସରକାର ଯୋଗାଇ ଦେଉଥିବା କଳାକାର ଭତ୍ତା ମଧ୍ୟ ଠିକ୍ ସମୟରେ ପାଉନଥିଲେ । ସରକାର ସିନା ଭୁଲିଯାଇଥିଲେ ଏହି ସୁଯୋଗ୍ୟ ପ୍ରତିଭାକୁ ହେଲେ ରାଜ୍ୟର କୋଣ ଅନୁକୋଣରୁ ସେ ପାଇଥିଲେ ଅନେକ ପୁରସ୍କାର ସମ୍ମାନ । ସବୁଠାରୁ ବଡକଥା ହେଉଛି ଆଜି ପର୍ଯ୍ୟନ୍ତ ସେ ହଜାର ହଜାର ପାଲା ଦର୍ଶକଙ୍କ ହୃଦୟରେ ରହିଛନ୍ତି । ଯେତେଦିନ ପର‌୍ୟ୍ୟନ୍ତ ପାଲା ଥିବ ସେତେଦିନ ପର‌୍ୟ୍ୟନ୍ତ ପାଲା ଆକାଶରେ ଉଜ୍ୱଳ ନକ୍ଷତ୍ର ପରି ଯାଜୁଲ୍ୟମାନ ହେଉଥିବେ ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ ।