Latest Odisha News

BREAKING NEWS

ବଢୁଥିବା ଦରକୁ ନେଇ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ, କହିଲେ ଆଳୁ ପିଆଜ ଯୋଗାଇବ ନାଫେଡ୍‌

ଭୁବନେଶ୍ବର: ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଖାଉଟିଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ଦିନେ ଯେଉଁ ପରିବା ୨୦, ୩୦ରେ ମିଳୁଥିଲା, ତାହା ଏବେ ୮୦, ୧୦୦ ଛୁଇଁଲାଣି । କ’ଣ ଖାଇବେ, କେଉଁ ପରିବା କିଣିବେ ଲୋକେ ଚିନ୍ତାରେ ପଡିଥିବା ବେଳେ ଏବେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପରିବା ଦର ବୃଦ୍ଧି ନେଇ ଲୋକଙ୍କୁ ଚିନ୍ତା ନକରିବା ପାଇଁ କହିଛନ୍ତି ମନ୍ତ୍ରୀ । ଆହୁରି

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଆଳୁ, ପିଆଜ ଇତ୍ୟାଦି ଯୋଗାଇ ଦେବା ପାଇଁ ନାଫେଡକୁ କୁହାଯିବ । ଏହା ସହିତ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ତିଆରି ହେବ ବୋଲି ବଡ ଘୋଷଣା କରିଛନ୍ତି ମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟ ପକ୍ଷରେ ହୋର୍ଡିଂ ଉପରେ ମଧ୍ୟ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କୌଣସି ଘଟଣା ସାମ୍ନକୁ ଆସିଲା ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ ।

ମନ୍ତ୍ରୀ କହିଛନ୍ତି, ପିଆଜ ନାସିକ ଓ ଆନ୍ଧ୍ରରୁ ପାଖାପାଖି ୨୯ ଟଙ୍କାରେ ଆସୁଥିବା ବେଳେ ପରିବହନ ଖର୍ଚ୍ଚ ମିଶି ଏହା ପାଖାପାଖି ୩୪ ଟଙ୍କା ହେଇଯାଉଛି । ପରେ ଏଥିରେ ରିଟେଲିଂ ଓ ହୋଲସେଲିଂ ବାଲା ତାଙ୍କର ଲାଭ ରଖିଲା ବେଳକୁ ଏହା ୪୦ ଟଙ୍କା ପାଖାପାଖି ହେଇଯାଉଛି । ସେହିପରି ଆଳୁ ପାଇଁ ମଧ୍ୟ ଆସାମ ଓ ପଶ୍ଚମିବଙ୍ଗ ଉପରେ ନିର୍ଭର କରିବାକୁ ପଡିଛି । ଯାହା ପରେ ସାଧାରଣ ମାର୍କେଟରେ ଏହାର ଦର ଟିକେ ଆବଶ୍ୟକତା ଠାରୁ ଅଧିକ ରହିଛି । ଯେପରି ଆଗକୁ ଅଧିକ ଦର ନ ବଢେ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।  ଏଥିପାଇଁ ଆଗାମୀ ଦିନରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଯୋଜନା ଚାଲିଛି । ସେପଟେ ଟମାଟୋ ଓ ଅନ୍ୟ ପରିବା ଉପରେ ମନ୍ତବ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଏହା ଉପରେ ଆମର ନିୟନ୍ତ୍ରଣ ନାହିଁ ତଥାପି ଏନେଇ ଆମେ ଆଲୋଚନା କରୁଛୁ ।

Leave A Reply

Your email address will not be published.