Latest Odisha News

BREAKING NEWS

ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ୍‌ଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୋକବ୍ୟକ୍ତ

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଏଲ୍ ଗଣେଶନ୍ ୮ ଅଗଷ୍ଟରେ ତାଙ୍କ ଘରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା। ଏଲ୍ ଗଣେଶନ୍ ଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଆଜି  ସନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ନାଗାଲାଣ୍ଡ ରାଜ୍ୟପାଳ ଏଲ୍ ଗଣେସନଙ୍କର ଆଜି ସନ୍ଧ୍ୟା ପ୍ରାୟ ୬:୨୩ ସମୟରେ ଦେହାନ୍ତ ହୋଇଛି। ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରି ଏକ ପୋଷ୍ଟରେ ଲେଖିଛନ୍ତି, ନାଗାଲାଣ୍ଡ ରାଜ୍ୟପାଳ ଗଣେସନଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କୁ ଜଣେ ଉତ୍ସର୍ଗୀକୃତ ରାଷ୍ଟ୍ରବାଦୀ ଭାବରେ ମନେ ରଖାଯିବ। ସେ ସେବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେ ସମଗ୍ର ତାମିଲନାଡୁରେ ବିଜେପିକୁ ବିସ୍ତାର କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ତାମିଲ ସଂସ୍କୃତି ପ୍ରତି ତାଙ୍କର ଗଭୀର ଆସକ୍ତି ମଧ୍ୟ ଥିଲା। ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି।

ସୂଚନାଥାଉକି, ୧୬ ଫେବୃଆରୀ ୧୯୪୫ରେ ଜନ୍ମଗ୍ରହଣ କରିଥିଲେ ଏଲ୍ ଗଣେସନ୍। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଜଡିତ ଥିଲେ। ସେ ତାମିଲନାଡୁ ବିଜେପିର ସବୁଠାରୁ ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଗଣେଶନ ୨୦ ଫେବୃଆରୀ ୨୦୨୩ରେ ନାଗାଲାଣ୍ଡର ୧୯ତମ ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ, ଗଣେଶନ ୨୭ ଅଗଷ୍ଟ ୨୦୨୧ ରୁ ୧୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ମଣିପୁରର ୧୭ତମ ରାଜ୍ୟପାଳ ଏବଂ ୨୮ ଜୁଲାଇ ୨୦୨୨ ରୁ ୧୭ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ (ଅତିରିକ୍ତ ଦାୟିତ୍ୱ) ଭାବରେ କାର୍ଯ୍ୟ କରିଥିଲେ । ଏଲ. ଗଣେଶନ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି।

 

 

Comments are closed.