ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା ସ୍ୱରୂପ ତାଙ୍କର ମୃତ ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣ ଭିକ୍ଷା କରିଥିଲେ । ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟ ସଖା ପାଣ୍ଡବମାନଙ୍କର ମୃତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ । ଦୀର୍ଘ ଏକସ୍ତରୀ ବର୍ଷ ହେଲା ପଣ୍ଡୁ ଶରୀର ତ୍ୟାଗ କରିଥିଲେ ମଧ୍ୟ ସେ ବ୍ରହ୍ମ ଲୋକରେ ପହଞ୍ଚି ପାରି ନାହାଁନ୍ତି, ବରଂ ଯମରାଜାଙ୍କ ରାଜସିଂହାସନ ତଳେ ଦଣ୍ଡାୟମାନ ହୋଇ ରହିଛନ୍ତି । ଏହି ଦୃଶ୍ୟ ଦେଖି ଶ୍ରୀକୃଷ୍ଣ ପଣ୍ଡୁଙ୍କ ସଂପର୍କରେ ଯମରାଜାଙ୍କୁ ପଚାରିଥିଲେ । ଯମରାଜା ଉତ୍ତରରେ ପଣ୍ଡୁ ଜୀବିତାବସ୍ଥାରେ ମୃଗୟା ସମୟରେ ଆଗ୍ନିକ ଋଷିଙ୍କୁ (ମୃଗ ରୂପରେ ରତିକ୍ରୀଡ଼ା କରୁଥିବା ସମୟରେ) ଜଂଗଲରେ ଶର ନିକ୍ଷେପ କରି ବଧ କରିଥିବାରୁ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ବୋଲି ଶ୍ରୀକୃଷ୍ଣଙ୍କୁ କହିଥିଲେ । ବ୍ରହ୍ମହତ୍ୟା ଦୋଷରେ ଦୋଷୀ ହୋଇଥିବାରୁ ଏବଂ ତା’ର ପ୍ରାୟଶ୍ଚିତ ପ୍ରତିକାର କରା ନ ହୋଇଥିବାରୁ ପଣ୍ଡୁ ବ୍ରହ୍ମଲୋକ ପ୍ରାପ୍ତିରୁ ବଂଚିତ ହୋଇଛନ୍ତି । ଶ୍ରୀକୃଷ୍ଣ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ଜୀବନ ପ୍ରଦାନ ସହ ଦ୍ୱାରକାକୁ ଫେରି ଜ୍ୟେଷ୍ଠ ଭ୍ରାତା ବଳରାମଙ୍କୁ ଯମପୁରରେ ଦେଖିଥିବା ସମସ୍ତ ଦୃଶ୍ୟ ଓ ପଣ୍ଡୁ ରାଜାଙ୍କ ଦୁର୍ଦ୍ଦଶା କଥା କହିଥିଲେ। ଭାଇ ବଳରାମ ନାରଦଙ୍କୁ ଡକାଇ ଇନ୍ଦ୍ର ପ୍ରସ୍ଥର ରାଜା ଯୁଧିଷ୍ଠିରଙ୍କୁ ପଣ୍ଡୁଙ୍କ ସନ୍ଦେଶ ଦେବାକୁ ଏବଂ ଏହାର ପ୍ରାୟଶ୍ଚିତ୍ତ କରିବାକୁ ନିର୍ଦ୍ଦେଶ ଦେଲେ । କୃଷ୍ଣ ବଳରାମଙ୍କ ନିର୍ଦ୍ଦେଶରେ ନାରଦ ଇନ୍ଦ୍ରପ୍ରସ୍ଥ ଯାଇ ତାଙ୍କ ପିତାଙ୍କ କଥା ଜଣାଇଲେ। ପିତାଙ୍କ ଏହିପରି ଅବସ୍ଥା କଥା ଶୁଣି, ରାଜା ଯୁଧିଷ୍ଠିର ଦୁଃଖ ପ୍ରକାଶ କରିବା ସଂଗେ ସଂଗେ ନିଜକୁ ଧିକ୍କାର କଲେ ।
କେଉଁ ପ୍ରାୟଶ୍ଚିତ ଦ୍ୱାରା ପିତାଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେବ ତାର ପ୍ରତିକାର ପାଇଁ ନାରଦଙ୍କୁ ଉପାୟ ଚିନ୍ତା କରିବାକୁ କହିଲେ । ବ୍ରହ୍ମହତ୍ୟା ଦୋଷରୁ ପିତୃ ମୋକ୍ଷ ପାଇଁ ଚାରୋଟି ଉପାୟ ରହିଥିବା କଥା ନାରଦ ଯୁଧିଷ୍ଠିରଙ୍କୁ ଅବଗତ କରାଇଲେ। ପ୍ରଥମରେ ପୁତ୍ର ଅବିଛିନ୍ନ ଭାବରେ ଅନ୍ନଦାନ ଦେବ । ଦ୍ବିତୀୟଟି ହେଲା, ପୁତ୍ର ଯଦି ବ୍ରହ୍ମଜ୍ଞାନ ସାଧନା କରିବ । ତୃତୀୟଟି ହେଲା, ଧାରା ତୀର୍ଥ କରିବା ଅର୍ଥାତ୍, ଶେଷ ଜୀବନ ପର୍ଯ୍ୟନ୍ତ ତୀର୍ଥାଟନ କରିବା । ଚତୁର୍ଥଟି, ପୁତ୍ର ଯଦି ରାଜସ୍ୱୀୟ ଯଜ୍ଞ କରିପାରେ । ଏହି ଚାରୋଟି ମଧ୍ୟରୁ ଯୁଧିଷ୍ଠିରଙ୍କ ପକ୍ଷରେ ରାଜସ୍ୱୀୟ ଯଜ୍ଞ ଅପେକ୍ଷାକୃତ ଗ୍ରହଣଯୋଗ୍ୟ ହେଲା । ରାଜସ୍ୱୀୟ ଯଜ୍ଞ ପାଇଁ ଏକଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରାଯିବ। ଶତ୍ରୁ ମିତ୍ର ସମସ୍ତ ରାଜା ରାଜସ୍ୱୀୟ ଯଜ୍ଞରେ ଉପସ୍ଥିତ ରହିବେ। ଏ ସମସ୍ତ ବିଚାର ବିମର୍ଶ ମଧ୍ୟରେ ପାଣ୍ଡବ ତଥା ଶ୍ରୀକୃଷ୍ଣଙ୍କର ପରମ ଶତୃ ଜରାସନ୍ଧ ହିଁ ଭୟର କାରଣ ହେଲା । ରାଜା ଯୁଧିଷ୍ଠିର ଦ୍ୱାରକାରୁ ଶ୍ରୀକୃଷ୍ଣଙ୍କୁ ଡକାଇ ସମସ୍ୟା ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜରାସନ୍ଧକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଦ୍ବିତୀୟ ପାଣ୍ଡବ ଭୀମକୁ ନିୟୋଜିତ କଲେ । ଜରାସନ୍ଧ ବଧ ପରେ ରାଜସ୍ୱୀୟ ଯଜ୍ଞର ପ୍ରସ୍ତୁତି ଆରମ୍ଭ ହେଲା । ରାଜା ଯୁଧିଷ୍ଠିରଙ୍କ ଆଦେଶରେ ପାଣ୍ଡବ ଚାରିଭାଇ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ରାଜାମାନଙ୍କୁ ନିମନ୍ତ୍ରଣ କରିବାକୁ ଗଲେ । ରାଜସ୍ୱୀୟ ଯଜ୍ଞ ଷୋଳଦିନ ଅନୁଷ୍ଠିତ ହେବ । ଏହି ଷୋଳଦିନ ଅବିଛିନ୍ନ ଭାବରେ ଅନ୍ନଦାନ, ବସ୍ତ୍ରଦାନ, ଧନରତ୍ନ ଦାନ ଓ ଯଜ୍ଞ କୁଣ୍ଡରେ ଘୃତଦାନ ଅନୁଷ୍ଠିତ ହେବ ।
ଅର୍ଜୁନ ପାତାଳପୁରରେ ପ୍ରବେଶ କରି ବାସୁକୀ ରାଜାଙ୍କୁ ରାଜସ୍ୱୀୟ ଯଜ୍ଞର ନିମନ୍ତ୍ରଣ ଜଣାଇଲେ। ବାସୁକୀ ପୃଥିବୀକୁ ମସ୍ତକରେ ଧାରଣ କରିଥିବାରୁ ଯଜ୍ଞରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କଲେ । ଏକଥା ଶୁଣିଲା ପରେ ଅର୍ଜୁନ ନିଜର ଧନୁରେ ପୃଥିବୀକୁ ଧାରଣ କରି ପାରିବେ ବୋଲି କହନ୍ତେ, ବାସୁକୀ ପୃଥିବୀକୁ ଅର୍ଜୁନଙ୍କ ଧନୁହୁଳ ଉପରେ ରଖିଲେ । ବାସୁକୀଙ୍କ ଅନୁପସ୍ଥିତିରେ ଅର୍ଜୁନ ନିଜର ଧନୁରେ ପୃଥିବୀକୁ ଧାରଣ କରି ପାତାଳପୁରରେ ରହିଲେ । ବାସୁକୀ ନିଜର ଅନିନ୍ଦ୍ୟ ସୁନ୍ଦରୀ ଅଲିଅଳି କନ୍ୟା ସନ୍ଧ୍ୟାବାଳୀକୁ ଅର୍ଜୁନଙ୍କ ସେବାରେ ନିୟୋଜିତ କରି ଯୁଧିଷ୍ଠିରଙ୍କ ରାଜସ୍ୱୀୟ ଯଜ୍ଞରେ ଯୋଗ ଦେବାକୁ ଆସିଲେ । ଏହି ଅବସରରେ ଅର୍ଜୁନ ଓ ସନ୍ଧ୍ୟାବାଳୀର ପ୍ରେମ ସଂଗଠିତ ହୋଇ ସନ୍ଧ୍ୟାବାଳୀ ଗର୍ଭବତୀ ରହିଲେ । ବାସୁକୀ ରାଜ ଯଜ୍ଞ ସାରି ମର୍ତ୍ତ୍ୟରୁ ଫେରିଲେ। ସନ୍ଧ୍ୟାବାଳୀ ଓ ଅର୍ଜୁନଙ୍କ ପ୍ରେମ ସଂପର୍କ ଜାଣି କନ୍ୟାକୁ ଅର୍ଜୁନଙ୍କୁ ପ୍ରଦାନ କଲେ । ପାତାଳପୁରରେ କିଛି ଦିନ ଅବସ୍ଥାନ କରିବା ପରେ ଅର୍ଜୁନ ଇନ୍ଦ୍ରପ୍ରସ୍ଥ ଆସିବାକୁ ମନସ୍ଥ କଲେ । ଅର୍ଜୁନଙ୍କ ଅନୁପସ୍ଥିତି ଗର୍ଭବତୀ ସନ୍ଧ୍ୟାବାଳୀ ପାଇଁ ଦୁର୍ବିସହ ବୋଲି ଜାଣି ରାଜପ୍ରାସାଦର ଏକ ବୃକ୍ଷକୁ ନିଜର ଉପସ୍ଥିତି ବୋଲି ମନେ କରିବାକୁ ଅର୍ଜୁନ ପତ୍ନୀକୁ ପ୍ରବୋଧନା ଦେଲେ । ସେହି ବୃକ୍ଷ ଅର୍ଜୁନ ବୃକ୍ଷ ନାମରେ ପରିଚିତ। ପରିଶେଷରେ ସନ୍ଧ୍ୟାବାଳୀଠାରୁ ବିଦାୟ ନେଇ ଅର୍ଜୁନ ମର୍ତ୍ତ୍ୟପୁରରେ ପହଞ୍ଚିଲେ ।
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସନ୍ଧ୍ୟାବାଳୀର ଗର୍ଭସଂଚାର ହୋଇଥିଲା । କୁମ୍ଭସଂକ୍ରାନ୍ତି ପାଂଚଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ରବିବାର ଦିନ ଦଶ ଦଣ୍ଡ ହସ୍ତା ନକ୍ଷତ୍ରରେ ପୁତ୍ର ଜନ୍ମ ହେଲା । ମାତା ସନ୍ଧ୍ୟାବାଳୀ ନାଗକୁଳର ଏବଂ ପିତା ତ୍ରୁତୀୟ ପାଣ୍ଡବ ଅର୍ଜୁନ । ଉଭୟଙ୍କ ନାମ ସମିଶ୍ରଣରେ ପୁତ୍ରର ନାମ ନାଗାର୍ଜୁନ ରଖାଗଲା । ଦିନକୁ ଦିନ ପୁତ୍ରର ତେଜ ବୃଦ୍ଧି ପାଇ ମହାକ୍ରମଶାଳୀ କିଶୋର ପୁତ୍ର ଅସୀମ ଶକ୍ତିର ଅଧିକାରୀ ହୋଇ ନାଗକୂଳରେ ଆତଙ୍କ ସ୍ରୁଷ୍ଟି କଲା । ଏକଦା ତକ୍ଷକ ନାଗର ପୁତ୍ର ବାତାବଳୀ ନାଗାର୍ଜୁନଙ୍କୁ ପିତାଙ୍କ ସଂପର୍କରେ ପ୍ରଶ୍ନ କଲେ । ଏହି ପ୍ରଶ୍ନରେ ଅପମାନିତ ହୋଇ ନାଗାର୍ଜ୍ଜୁନ ମା’ଙ୍କ ନିକଟକୁ ଆସି ପିତାଙ୍କ ପରିଚୟ, ବାସସ୍ଥାନ ଇତ୍ୟାଦି ବିଷୟରେ ଜାଣିବାକୁ ଚାହିଁଲା । ମା’ଙ୍କଠାରୁ ସମସ୍ତ ବିଷୟ ଅବଗତ ହୋଇ ପିତାଙ୍କୁ ସାକ୍ଷାତ କରିବା ପାଇଁ ଜିଦ୍ ଧରିଲା । ମାତାଙ୍କଠାରୁ ଆଶୀର୍ବାଦ ଓ ବିଦାୟ ନେଇ ମର୍ତ୍ତ୍ୟଲୋକକୁ ଅଗ୍ରସର ହେଲା ।
ଅନ୍ୱେଷଣରେ ମର୍ତ୍ତ୍ୟଲୋକରେ ବୁଲୁ ବୁଲୁ କାଶୀନଦୀ ତୀରରେ ପହଞ୍ଚିଲା । ନଦୀପାର ହେବା କଥା ଚିନ୍ତାକରି ନଦୀର କୂଳେ କୂଳେ ଯାଉ ଯାଉ ଏକ ଅନୁପମ ଉଦ୍ୟାନ ଦେଖିଲା । ସେ ଉଦ୍ୟାନର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । ମଳୟର ପବନ ଅନବରତ ପ୍ରବାହିତ । ନାନାଜାତିର ସୁଗନ୍ଧ ପୁଷ୍ପ, ଝରଣା, ବନ୍ୟ ଜୀବଜନ୍ତୁ ରହିଛନ୍ତି । ଇନ୍ଦ୍ରଙ୍କର ପ୍ରମୋଦ ଉଦ୍ୟାନ ନନ୍ଦନକାନନ ଅପେକ୍ଷା ଏହା ଅତ୍ଯନ୍ତ ଆକର୍ଷଣୀୟ। ଏହି ଉଦ୍ୟାନ ‘ହର ଉଦ୍ୟାନ’ ନାମରେ ପରିଚିତ । ଏହି ଉଦ୍ୟାନର ପୂର୍ବ ଦ୍ୱାରରେ ଦ୍ୱାରପାଳ ଆଦିତ୍ୟ, ଦକ୍ଷିଣ ଦ୍ୱାରର ଦ୍ୱାରପାଳ ଗଣେଶ, ଉତ୍ତର ଦ୍ୱାରର ଦ୍ୱାରପାଳ ଚଣ୍ଡପ୍ରଚଣ୍ଡ ଓ ପଶ୍ଚିମ ଦ୍ୱାରର ଦ୍ୱାରପାଳ ଜୟନ୍ତିକ ଅଜୟନ୍ତିକ । ଉଦ୍ୟାନ ମଧ୍ୟରେ ବହୁ ମୁନିଋଷି ଧ୍ଯାନମଗ୍ନ।
ନାଗାର୍ଜୁନ ଉଦ୍ୟାନର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ସେଠାରେ ରହିବାକୁ ଇଚ୍ଛା ପ୍ରକାଶ କଲା । ଦକ୍ଷିଣ ଦ୍ୱାରର ଦ୍ୱାରପାଳ ଗଣେଶଙ୍କୁ ନିଜର ମନର ଅଭିଳାଷ ଜଣାଇବାରୁ ଗଣେଶ ମନା କରିବା ସଂଗେ ସଂଗେ କେବଳ ଦେବ ଦେବ ମହାଦେବ ସନ୍ତୁଷ୍ଟ ହୋଇ ଅନୁମତି ପ୍ରଦାନ କଲେ ଓ ଏହି ଉଦ୍ୟାନରେ ବାସ କରିହୁଏ ବୋଲି କହିଲେ ।
ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ନାଗାର୍ଜୁନ କଠୋର ତପସ୍ୟାରେ ବସିଲେ । ନଦୀର ବାଲିରେ ଏକ ବାଲୁକା ଲିଂଗ ସ୍ଥାପନ ପୂର୍ବକ, ଅଜପା ରୁଦ୍ରବ୍ରହ୍ମ ମନ୍ତ୍ର ଜପକଲା । କେବଳ ତୁଳସୀପତ୍ର ରକ୍ଷଣ କରି ତପସ୍ୟାରତ ହେଲେ । ଏହି ତପସ୍ୟାରେ ରୁଦ୍ର ସନ୍ତୁଷ୍ଟ ହୋଇ ନାଗାର୍ଜୁନ ସମ୍ମୁଖରେ ଆବିର୍ଭାବ ହେଲେ ଏବଂ ବର ଯାଚିଲେ । ନାଗାର୍ଜୁନ ତ୍ରିପୁର ବିଜୟୀ ବର ସହିତ ପାଶୁପାତ ଶର, ତ୍ରିଶୂଳ ଖଡ୍ଗ, ଅମୋହ ମୁଦି, ନାଗଫାଶ ଇତ୍ୟାଦି ଅସ୍ତ୍ର ଲାଭ କଲା । ରୁଦ୍ର ନାଗାର୍ଜୁନଙ୍କୁ ପୁତ୍ର ବୋଲି ସମ୍ବୋଧନ କରି ମହାକାଳ ନାରାଚ ମଧ୍ୟ ପ୍ରଦାନ କଲେ । ନାଗାର୍ଜୁନ ରୁଦ୍ରଙ୍କ ସହ ମା’ ପାର୍ବତୀଙ୍କୁ ସାକ୍ଷାତ କଲା । ପାର୍ବତୀ ପୁତ୍ର ବୋଲି ସମ୍ବୋଧନ କରି ତ୍ରିଜୀବୀବର ଓ ଅମୋହ ଶକ୍ତି ପ୍ରଦାନ କଲେ । ହର ଉଦ୍ୟାନରେ ରହିବାକୁ ଅନୁମତି ଦେବାକୁ ସ୍ୱାମୀଙ୍କୁ ଅନୁରୋଧ କଲେ। ଶିବ ପାର୍ବତୀଙ୍କ ପ୍ରିୟ ପୁତ୍ର ହେବାରୁ ଗଣେଶ ପରଶୁ ଓ ଅମୃତାକ୍ଷଶର, କାର୍ତ୍ତିକେୟ, ସୂର୍ଯ୍ୟ ବ୍ରତ ଶର ଓ ହେମଗଦା ବାରାହୀ ଦେବୀ ଅଗ୍ନି ନାରାଚ ଓ ମହାକାଳ ବାଣ ପ୍ରଦାନ କଲେ । ଏହି ସମସ୍ତ ଅସ୍ତ୍ର ଲାଭ କରି ନାଗାର୍ଜୁନ ମା’ ପାର୍ବତୀଙ୍କ ନିର୍ଦ୍ଦେଶରେ ହର ଉଦ୍ୟାନରେ ଥିବା ଶିବଙ୍କର ଅତିପ୍ରିୟ ଗଣ୍ଡାର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରହଣ କଲା ।
ଦିନେ ରାଜା ଯୁଧିଷ୍ଠିର ବରୁଣାବନ୍ତରେ ଥିବାବେଳେ ନାରଦ ଉପସ୍ଥିତ ହେଲେ। ନାରଦଙ୍କୁ ଦେଖି ଯୁଧିଷ୍ଠିର ପିତା ପଣ୍ଡୁଙ୍କ ସଂପର୍କରେ ପଚାରିଲେ । ନାରଦ ଅତ୍ୟନ୍ତ ବିଷର୍ଣ୍ଣ ବଦନରେ କହିଲେ ଯେ, ଅଦ୍ୟାବଧି ପଣ୍ଡୁଙ୍କୁ ବ୍ରହ୍ମଲୋକ ପ୍ରାପ୍ତି ହୋଇନାହିଁ । ଯମରାଜା ସିଂହାସନର ତୃତୀୟ ପାହାଚ ତଳେ ଛିଡା ହୋଇଥିବା ପଣ୍ଡୁ ରାଜସ୍ବୀୟ ଯଜ୍ଞ ପରେ ଦ୍ବିତୀୟ ପାହାଚକୁ ଉଠିଛନ୍ତି । ବ୍ରହ୍ମଲୋକକୁ ଯିବାକୁ ଆହୁରି ଗୋଟିଏ ପାହାଚ ବାକି ଅଛି । ଯୁଧିଷ୍ଠିର ଏକଥା ଶୁଣି ମର୍ମାହତ ହେଲେ । ନାରଦ ସାନ୍ତ୍ୱନା ପ୍ରଦାନ କରି କହିଲେ ଯେ, ତୁମେ ରାଜସ୍ବ ଯଜ୍ଞ କରିଛ ସତ କିନ୍ତୁ ପିତୃଶ୍ରାଦ୍ଧ କରି ନାହଁ । ଏଣୁ ତୁମର ପିତା ବ୍ରହ୍ମଲୋକର ଏକ ପାହାଚ ତଳେ ଦଣ୍ଡାୟମାନ । ଯୁଧିଷ୍ଠିର ଏକଥା ଶୁଣି ନିଜର ଭାଇମାନଙ୍କୁ ଡାକିଲେ ଏବଂ ଶ୍ରାଦ୍ଧ ନିମିତ୍ତ ଶୀଘ୍ର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଶ୍ରାଦ୍ଧ ନିମିତ୍ତ ଗଂଡା ମାଂସର ଆବଶ୍ଯକତା ସଂପର୍କରେ ଜଣାଇବାରୁ ଅର୍ଜୁନ ଗଂଡା ମାଂସ ଅନ୍ବେଷଣରେ ବାହାରିଲେ ଏବଂ ଅନ୍ୟ ଭାଇମାନେ ଶ୍ରାଦ୍ଧ ଉପକରଣ ପ୍ରସ୍ତୁତିରେ ଲାଗିପଡିଲେ । ଅର୍ଜୁନ ବହୁ ଜଂଗଲ ବୁଲି ମଧ୍ୟ ଗଣ୍ଡାର ସନ୍ଧାନ ପାଇଲେ ନାହିଁ । ନବଦିନ ନବରାତ୍ର ଅତିକ୍ରାନ୍ତ ହୋଇଯିବା ସତ୍ତ୍ୱେ ଗଣ୍ଡାର ପତ୍ତା ମିଳୁନାହିଁ ।
ବିଷର୍ଣ୍ଣମତି ଅର୍ଜୁନ ଅସ୍କନ୍ଦ ପର୍ବତରେ ଗଣ୍ଡା ଅନ୍ବେଷଣରେ ବୁଲୁ ବୁଲୁ ନାରଦଙ୍କ ସାକ୍ଷାତ ପାଇଲେ ଏବଂ ନିଜର ଅସହାୟତା ପ୍ରକାଶ କଲେ । ନାରଦ ଅର୍ଜୁନଙ୍କ କଥାଶୁଣି ରୁଦ୍ର ପର୍ବତ ତଳେ ହର ଉଦ୍ୟାନରେ ଗୋଟିଏ ଗଣ୍ଡା ଥିବାର ସନ୍ଧାନ ଦେଲେ । ଅର୍ଜୁନ ନାରଦଙ୍କ କଥାନୁସାରେ ହର ଉଦ୍ୟାନରେ ପହଞ୍ଚି ଗଣ୍ଡାର ଅନୁସନ୍ଧାନ କଲେ ।
କ୍ରମଶଃ…
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.