Latest Odisha News

BREAKING NEWS

ଭାରତର ଏହି ସ୍ଥାନରେ ଅନୁଷ୍ଠିତ ହୁଏ ସାପ ମେଳା, ମନୋସ୍କାମନା ହୁଏ ପୂର୍ଣ୍ଣ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଛୋଟ ବଡ଼ ଗାଁରେ ଠାକୁରାଣୀ ଯାତ୍ରା ହୁଏ। ଆଉ ଏହି ଯାତ୍ରାରେ ବିଭିନ୍ନ ପ୍ରକାର ମେଳା ମଧ୍ୟ ଅନୁଷ୍ଠିତ ହୁଏ। କେଉଁଠି ଖାଦ୍ୟର ମେଳା ବସିଥାଏ ତ ଆଉ କେଉଁଠି ପୋଷାକ, ଘରୋଇ ଉପକରଣ ଆଦି ମେଳା ଲାଗିଥାଏ। କିନ୍ତୁ ବିହାରରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ସାପ ମେଳା ଅନୁଷ୍ଠିତ ହୁଏ। ସାପ ନାଁ ଶୁଣିବା ମାତ୍ରେ ଦେହ ଥଣ୍ଡା ପଡ଼ିଯାଏ ବା ଲୋକେ ସାପର ନାମ ଶୁଣିବା ମାତ୍ରେ ଭୟଭୀତ ହେଇଯାଆନ୍ତି। କିନ୍ତୁ ବିହାରରେ ଏହି ମେଳାରେ ଲୋକମାନେ ବେକରେ ସାପ ଗୁଡ଼ାଇଥାନ୍ତି ଏବଂ ଠାକୁରାଣୀଙ୍କ ପାଖରେ ପୂଜା କରନ୍ତି।

ସାପର ଏହି ମେଳାକୁ ଯିବା ପୂର୍ବରୁ ଲୋକମାନେ ମାଆ ଭଗବତୀଙ୍କ ମନ୍ଦିରରେ ପୂଜା ଅର୍ଚନା କରିଥାନ୍ତି। ଢ଼ୋଲ-ବାଜା ବଜେଇବା ସହ ସମସ୍ତେ ଗଣ୍ଡକ ନଦୀରେ ପହଞ୍ଚନ୍ତି। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ବେକରେ ସାପ ନେଇ ମାନସିକ କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ନଦୀକୁ ଯାଇ ସାପଙ୍କୁ ଧରି ପୂଜା କଲା ପରେ ସମସ୍ତ ସାପକୁ ଏକ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଏ। ନାଗ ପଞ୍ଚମି ଦିନ ବିହାରର ସାମସ୍ତିପୁରରେ ଏହି ମେଳା ଅନୁଷ୍ଠିତ ହୁଏ।

ଏହି ମେଳାରେ ଭକ୍ତଙ୍କ ଉତ୍ସାହ ପ୍ରକୃତରେ ଦେଖିବା ଯୋଗ୍ୟ। ସାପକୁ ନଦୀରୁ ବାହାର କରିବା ମାତ୍ରେ ସମସ୍ତ ଭକ୍ତ ଆନନ୍ଦରେ କରତାଳି ଦେବା ଆରମ୍ଭ କରନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାପମାନଙ୍କୁ କେବଳ ହାତରେ ଧରି ନୁହେଁ ବରଂ ପାଟିରେ ମଧ୍ୟ ଧରି ବାହାର କରାଯାଇଥାଏ। ଏପରି ଦୃଶ୍ୟ ଦେଖିବା ମାତ୍ରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମେଳା ୩୦୦ ବର୍ଷ ଧରି ପାଳନ କରାଯାଉଛି।

ଭାରତର ଅନେକ ଲୋକ ନାଗ ଦେବତାଙ୍କୁ ବିଶ୍ୱାସ କରନ୍ତି ଏବଂ ପୂଜା କରନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ବିଶ୍ୱାସ ମଧ୍ୟ ଏହି ମେଳା ସହିତ ଜଡିତ। ସାପର ଏହି ମେଳାକୁ ଯିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ଅନେକ ଭକ୍ତ ଏହି ସ୍ୱତନ୍ତ୍ର ମେଳାକୁ ଆସି ନଦୀରେ ବୁଡ଼ ପକାଇ ସାପ ଖୋଜନ୍ତି। ଏହି ମେଳା ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏବଂ ମେଳାରେ ଭକ୍ତଙ୍କ ପ୍ରବଳ ଭିଡ଼ ଥାଏ। ସୂଚନା ଥାଉକି ଯେ ବିହାରର ଏହି ପ୍ରସିଦ୍ଧ ମେଳାରେ ଯିଏ ସାମିଲ ହୁଅନ୍ତି ତାର ମନୋସ୍କାମନା ପୁରଣ ହୁଏ ବୋଲି ସମସ୍ତେ ବିଶ୍ୱାସ କରନ୍ତି।

Leave A Reply

Your email address will not be published.