Latest Odisha News

ନାଲକୋ ଜିତିଲା ‘ସପ୍ତମ ରୋଟାରୀ ଭୁବନେଶ୍ୱର କର୍ପୋରେଟ୍ କୁଇଜ’ ପ୍ରତିଯୋଗିତା

ଭୁବନେଶ୍ୱର: ନାଲକୋ ଜିତିଲା ‘ସପ୍ତମ ରୋଟାରୀ ଭୁବନେଶ୍ୱର କର୍ପୋରେଟ୍ କୁଇଜ’ ପ୍ରତିଯୋଗିତାରେ ଚମ୍ପିଆନ ଆଖ୍ୟା ଅର୍ଜନ କରିପାରିଛି । ଏହି ପ୍ରତିଯୋଗିତାର ବିଜେତା ଦଳ ହିସାବରେ ଟ୍ରଫି ସହିତ ୩୦,୦୦୦ ଟଙ୍କାର ପୁରସ୍କାର ରାଶି ହାସଲ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ‘ଇଫକୋ’ ଓ ‘ଏସଟିପିଆଇ’ ପ୍ରଥମ ଏବଂ ଦ୍ୱିତୀୟ ରନର୍ସଅପ୍ ହେବା ସହିତ ଟ୍ରଫି ଓ ଯଥାକ୍ରମେ ୨୦,୦୦୦ ଏବଂ ୧୫,୦୦୦ ଟଙ୍କାର ପୁରସ୍କାର ରାଶି ହାସଲ କରିଥିଲେ । ସ୍ମାର୍ଟସିଟି ଭୁବନେଶ୍ୱରର ଏକ ଲବ୍ଧ ପ୍ରତିଷ୍ଠିତ କ୍ଲବ୍ ହିସାବରେ ପରିଚିତ ‘ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର, କର୍ପୋରେଟ୍ କୁଇଜ ପରି ଏକ ଅଦ୍ୱିତୀୟ ପ୍ରତିଯୋଗିତା ଆୟୋଜନ କରି ଏକ ନୂତନ ଅଧ୍ୟାୟର ସୂତ୍ରପାତ କରିଛି ।

ରାଜ୍ୟର ବିଭିନ୍ନ ପରିସର ଯେପରିକି ନିର୍ମାଣ, ସଫ୍ଟୱୟୋର, ମାର୍କେଟିଙ୍ଗ୍, ଶିକ୍ଷାନୁଷ୍ଠାନ, ଅଣୁ, କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ, ଷ୍ଟାର୍ଟ ଅପ୍, ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କର ତିନି ସଦସ୍ୟ ବିଶିଷ୍ଟ ଗୋଟିଏ ଲେଖାଏଁ ଦଳକୁ ନେଇ ଚଳିତ ବର୍ଷ ରୋଟାରୀ ଭୁବନେଶ୍ୱର କର୍ପୋରେଟ୍ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ଆୟୋଜନ କରାଯାଇଥିଲା ।

ଏହି ପ୍ରତିଯୋଗିତାଟି ଦୁଇଟି ଉଦ୍ଦେଶ୍ୟ ନିମନ୍ତେ ପ୍ରଣୋଦିତ । ପ୍ରଥମତଃ ଏହି ପ୍ରତିଯୋଗିତା ଯୁବ ପେଶାଗତମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଦ୍ୱିତୀୟତଃ ଜନମାନସରେ ସେମାନଙ୍କର ସଂସ୍ଥାକୁ ଏକ ନୂତନ ପରିଚୟ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ଏବଂ ଏହି ପ୍ରତିଯୋଗିତା ମାଧ୍ୟମରେ ଉପାର୍ଜିତ ହେଉଥିବା ଅର୍ଥ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱରକୁ ଗୋଷ୍ଠୀ ସେବା ପ୍ରକଳ୍ପ କାର୍ଯ୍ୟ ସମ୍ପାଦନାରେ ସହାୟତା ପ୍ରଦାନ କରିବ ।

ଦ୍ୱିସ୍ତରୀୟ ଏହି ପ୍ରତିଯୋଗିତାରେ ୧୫ ଟି ସଂସ୍ଥାର ୧୫ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । କଲିକତା ନିବାସୀ ଜଣାଶୁଣା କୁଇଜ ମାଷ୍ଟର ଶ୍ରୀଯୁକ୍ତ ଗୌତମ ବୋଷ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଯେଉଁଠାରେ କର୍ପୋରେଟ୍ ଜ୍ଞାନ, ସାଧାରଣ ଜ୍ଞାନ, ବିତୀୟ ବଜାର ସମ୍ବନ୍ଧୀୟ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ପଚରାଯାଇଥିଲା । ଏହି ପ୍ରତିଯୋଗିତାରେ ଅଡିଓ ପର୍ଯ୍ୟାୟ, ଦୃଶ୍ୟ ପର୍ଯ୍ୟାୟ, ସମୟ ଅନୁବନ୍ଧିତ ପ୍ରଶ୍ନ ଏବଂ ବଜର ପର୍ଯ୍ୟାୟକୁ ସାମିଲ କରାଯାଇଥିଲା ।

ସଭା ପ୍ରାରମ୍ଭରେ ରୋଟାରୀର ପୂର୍ବତନ ରାଜ୍ୟ ରାଜ୍ୟପାଳ ରୋଟାରିଆନ ଡି ଏନ୍ ପାଢୀ, ରୋଟାରିଆନ ଶିବବ୍ରତ ଦାସ ଏବଂ ନବାଗତ ରାଜ୍ୟ ରାଜ୍ୟପାଳ ରୋଟାରିଆନ ଦେବାଶିଷ ମିଶ୍ର, ରୋଟାରିଆନ ସୌମ୍ୟରଞ୍ଜନ ମିଶ୍ର, ରୋଟାରିଆନ ଶାନ୍ତନୁ ପାଣି ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ସଦୟ ଉପସ୍ଥିତିରେ ରୋଟାରୀ ଜିଲ୍ଲା ୩୨୬୨ ର ରାଜ୍ୟ ରାଜ୍ୟପାଳ ରୋଟାରିଆନ ଭବାନୀ ପ୍ରସାଦ ଚୌଧୁରୀ ଏହି ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ ।

ଉଦଘାଟନୀ ସମାରୋହରେ ରୋଟାରିଆନ ତନ୍ମୟ ମହାନ୍ତି ଉପସ୍ଥିତ ଥିବା ବେଳେ ଏହି ପ୍ରତିଯୋଗିତାର ସଭାଧ୍ୟକ୍ଷ ପି ଭେନୁଗୋପାଳ ରାଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ କ୍ଲବ୍ ର ସମ୍ପାଦକ ବିଜୟ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ ।

Comments are closed.