Latest Odisha News

BREAKING NEWS

ଘରୋଇକରଣ ନୁହେଁ: ନିଜ ଲାଭକୁ ସମ୍ପ୍ରସାରଣରେ ବିନିଯୋଗ କରିବ ନାଲକୋ, ଆରମ୍ଭ ହେବ ନୂତନ ‘ଗ୍ରୀନ୍ ଏନର୍ଜି’

ଭୁବନେଶ୍ୱର: ଘରୋଇକରଣର ଯେକୌଣସି ଯୋଜନାକୁ ଖଣ୍ଡନ କରି ଶୁକ୍ରବାର ନାଲକୋ ଅର୍ଦ୍ଧ-ବାର୍ଷିକ ଫଳାଫଳର ରେକର୍ଡ ଘୋଷଣା କରିଛି । ଏହାସହ କମ୍ପାନୀ ନିଜର ସ୍ମେଲଟର କ୍ଷମତାକୁ ଦୁଇଗୁଣିତ କରିବାକୁ ଆରମ୍ଭ କରିବ ନୂଆ ଗ୍ରୀନ ଏନର୍ଜି । ଏନେଇ ଖୁବଶୀଘ୍ର ଏକ ଗାଲିୟମ ପାଇଲଟ ପ୍ଲାଂଟ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛି ନାଲକୋ । ନାଲକୋ ଖଣିମନ୍ତ୍ରାଳୟ ଅଧିନରେ ଏକ ନବରତ୍ନ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଭାବରେ ଆଲୁମିନିୟମ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ନେତୃତ୍ୱ ନେବ ବୋଲି ନାଲକୋ ସିଏମଡି କହିଛନ୍ତି । ନାଲକୋ ଏବେ ସର୍ବୋତ୍ତମ ପ୍ରଦର୍ଶନ କରୁଛି ଏହାର ଘରୋଇ କରଣର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ଏବେ ସମ୍ପ୍ରସାରଣରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଗତ ଦୁଇ ଆର୍ଥିକ ବର୍ଷରେ ଯଥାକ୍ରମେ ୯ଶହ କୋଟି ଓ ହଜାରେ କୋଟିର ଲାଭାଂଶ ସରକାରଙ୍କୁ ନାଲକୋ ତରଫରୁ ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତିି । ଏମିତିକି ଯଦି ବେଦାନ୍ତ ଆଲୁମିନା କୌଣସି ଟେଣ୍ଡରରେ ଅଂଶଗ୍ରହଣ କରେ ଓ ନାଲକୋର ମୂଲ୍ୟ ସହ ସମାନ ମୂଲ୍ୟ ପ୍ରଦାନ କରେ, ତେବେ ନାଲକୋ ସେମାନଙ୍କୁ ଆଲୁମିନା ବିକ୍ରି ପାଇଁ ପ୍ରସ୍ତୁତ ଅଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିଏମଡି । ଭାରତ ସରକାର ଚାହୁଁଛନ୍ତି ନାଲକୋ ଆଲୁମିନା ରପ୍ତାନି ହ୍ରାସ କରୁ । ବେଦାନ୍ତ ଆଲୁମିନା ଆମଦାନୀ କରେ । ଯଦି ସେମାନେ ଟେଣ୍ଡରରେ ଭାଗ ନିଅନ୍ତି ଆମ ମୂଲ୍ୟ ସହ ସମାନ ମୂଲ୍ୟ ଦିଅନ୍ତି, ତେବେ ଆମେ ସେମାନଙ୍କୁ ଆଲୁମିନା ବିକ୍ରି କରିପାରିବୁ ବୋଲି ନାଲକୋ ପକ୍ଷରୁ କୁହାଯାଇଛି ।

ପିଏସୟୁ ପ୍ରତିଷ୍ଠା ପରଠୁ ଏଯାବତ୍ ସର୍ବୋତ୍ତମ ଅର୍ଦ୍ଧ-ବାର୍ଷିକ ଫଳାଫଳ:-

* ମୋଟ୍ ଆୟ- ୧୧,୧୪୩ କୋଟି ଟଙ୍କା, ଗତ ବର୍ଷ ତୁଳନାରେ ୩୩% ଅଧିକ ଓ ସର୍ବକାଳୀନ ସର୍ବୋଚ୍ଚ
* ଇବିଆଇଟିଡିଏ- ୫,୫୩୯ କୋଟି ଟଙ୍କା, ୫୦% ବୃଦ୍ଧି, ସର୍ବକାଳୀନ ସର୍ବୋଚ୍ଚ
* ପିବିଟି (କର ପୂର୍ବ ଲାଭ)- ୫,୧୬୦ କୋଟି ଟଙ୍କା, ୫୫% ବୃଦ୍ଧି ସର୍ବକାଳୀନ ସର୍ବୋଚ୍ଚ
* ପିଏଟି (କର ପରର ଲାଭ)- ୩,୮୩୭ କୋଟି ଟଙ୍କା, ୫୪% ବୃଦ୍ଧି, ସର୍ବକାଳୀନ ସର୍ବୋଚ୍ଚ
* ଦ୍ୱିତୀୟ ତୈମାସିକ (କ୍ୟୁ୨) ପିଏଟି- ୧୮୩୫ କୋଟି ଟଙ୍କା, ଗତବର୍ଷର ୧.୪୩୩ କୋଟି ତୁଳନାରେ ୨୮% ଅଧିକ

କମ୍ପାନୀ ପ୍ରଥମାର୍ଦ୍ଧରେ ସର୍ବାଧିକ ୨.୩୫ ଲକ୍ଷ ଟନ୍ ଆଲୁମିନିୟମ କାଷ୍ଟ ମେଟାଲ ଉତ୍ପାଦନ କରିଛି ଏବଂ ଆଲୁମିନା ତଥା ଆଲୁମିନିୟମ ଧାତୁର ସର୍ବାଧିକ ଘେରାଇ ବିକ୍ରି ମଧ୍ୟ ରେକର୍ଡ କରିଛି । ପ୍ରତି ଇକୁଇଟି ସେୟାର ପିଛା ୪.୫୦ ଟଙ୍କା ହାରରେ ଏକ ଅନ୍ତରୀଣ ଲାଭାଂଶ ଘୋଷଣା ହୋଇଛି । ଯେଉଁଥିରେ ମୋଟ୍ ୮୨୬.୪୮ କୋଟି ଟଙ୍କା ପ୍ରଦାନ କରାଯିବ ।

୨୦୩୦ ମସିହାରେ ଅନୁଗୁଳ ଠାରେ ୦.୫ ଏମଟିପିଏ କ୍ଷମତା ବିଶିଷ୍ଟ ଏକ ସ୍ମେଲଟର ସ୍ଥାପନ କରିବାକୁ ଯୋଜନା ରଖିଛି ନାଲକୋ । ଏହି ପ୍ରକଳ୍ପରେ ୩୦ହଜାର କୋଟି ନିବେଶ ହେବ । ଯାହା ୨୦୩୦ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଓଡିଶା ସରକାର ୨୦୨୭ ଫେବ୍ରୁଆରୀ ସୁଦ୍ଧା ୩୦୦ ଏକ ଜମି ହସ୍ତାନ୍ତର କରିବାକୁ ସହମତି ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ୦.୫ ଏମଟିପିଏ କ୍ଷମତା ବିଶିଷ୍ଟ ଏକ ସ୍ମେଲ୍ଟର ସ୍ଥାପନ ପାଇଁ ମଧ୍ୟ ଯୋଜନା ଅଛି । ଏହାଛଡା କମ୍ପାନୀ ଅତିରିକ୍ତ ଗ୍ରୀନଫିଲ୍ଡ ଆଲୁମିନିୟମ ପ୍ରକଳ୍ପ ପାଇଁ ସୁଯୋଗ ଖୋଜୁଛି । କମ୍ପାନୀ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରି ଆଲୁମିନା ରପ୍ତାନି ହ୍ରାସ କରିବାକୁ ଏବଂ ଏହାକୁ ଆଲୁମିନିୟମରେ ପରିଣତ କରିବାକୁ ଚାହୁଁଛି । ୨୦୨୮ ଆର୍ଥିକ ବର୍ଷ ସୁଦ୍ଧା କମ୍ପାନୀର ଆଲୁମିନା ଉତ୍ପାଦନ ୨.୧ ଏମଟିପିଏରୁ ବୃଦ୍ଧି ପାଇ ୩.୧ ଏମଟିପିଏରେ ପହଂଚିବ । ସ୍ମେଲଟିଂ ପ୍ରଯୁକ୍ତିବିଦ୍ୟା ପାଇଁ ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମ ସହ ଏକ ଲାଇସେନ୍ସ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବିଦ୍ୟୁତ ପ୍ରକଳ୍ପ ପାଇଁ ଏନଏଲସି ଇଣ୍ଡିଆ ଲିମିଡେଟ ସହ ୧,୦୮୦ ଏମଡବ୍ଲୁ କ୍ୟାପ୍ଟିଭ୍ ଥର୍ମାଲ ପାୱାର ପ୍ଲାଂଟ ପାଇଁ ୫୦:୫୦ ମିଳିତ ଉଦ୍ୟମରେ କାମ କରିବୁ ବୋଲି ନାଲକୋ ପକ୍ଷରୁ କୁହାଯାଇଛି ।

ନାଲକୋ ଗ୍ରୀନରେ ସବୁଜ ବିଦ୍ୟୁତ ବ୍ୟବହାର ବୃଦ୍ଧି କରିବା ଓ ଏହାର କାର୍ବନ ଫୁଟପ୍ରିଂଟ ହ୍ରାସ କରିବାକୁ ଏକ ନୂତନ ଭର୍ଟିକାଲ ହେବ । ଖଣି ରିଫାଇନାରୀ, ସ୍ମେଲ୍ଟର ଓ କ୍ୟାପ୍ଟିଭ ପାୱାର ମଧ୍ୟରେ ଶକ୍ତି ପରିବର୍ତ୍ତନକୁ ଚଳାଯିବ । ନାଲକୋର ରଣନୈତିକ ଖଣିଜ ଗ୍ୟାଲିୟମ କ୍ଷେତ୍ରରେ ପ୍ରବେଶ ଆରମ୍ଭ ହେବାକୁଯାଉଛି । କୋରାପୁଟର ଦାମନଯୋଡିରେ ଏକ ପାଇଲଟ ପ୍ଲାଂଟ ଏହି ମାସରେ ଆରମ୍ଭ କରିବ ବୋଲି ନାଲକୋ ସୂଚନା ଦେଇଛି । ଆଲୁମିନା ରିଫାଇନିଂରୁ ବାହାର କରାଯାଇଥିବା ଗ୍ୟାଲିୟମ ଅର୍ଦ୍ଧପରିବାହୀ ଏବଂ ଇଲେକ୍ରୋନିକ୍ସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.