ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବେଆଇନ ବନ୍ଧୁକ କାରବାର ଉପରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ର ବଡ଼ ଆକ୍ସନ । ବନ୍ଧୁକ ଧରି ଯାଉଥିବା ବେଳେ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ । ଅଭିଯୁକ୍ତ କାଳିଆ ଓରଫ ବିଶ୍ୱଜିତ ବେହେରାକୁ ଗିରଫ କରିବା ସହ ୨ଟି ସେମି ଅଟୋମେଟିକ୍ ପିସ୍ତଲ ଓ ୮ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୋଲିସ ।
ଗତକାଲି ରାତିରେ ବାଲିପାଟଣା ଥାନା ଅଞ୍ଚଳର ବ୍ଲକ୍ ଅଫିସ୍ ନିକଟରେ ଏହି ଚଢ଼ାଉ ହୋଇଥିଲା । ଗୁଇନ୍ଦା ସୂଚନା ଆଧାରରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଅଭିଯୁକ୍ତଙ୍କ ଗତିବିଧି ଉପରେ ନଜର ରଖି ଅପରେସନ୍ କରିଥିଲା । ବନ୍ଧୁକ ନେଇ ଯାଉଥିବା ସମୟରେ ତାକୁ କାବୁ କରିଥିଲା ଟିମ୍ ।
ଏହି ଅପରେସନ୍ ରେ ୨ଟି ସେମି ଅଟୋମେଟିକ୍ ପିସ୍ତଲ, ୮ଟି ଜୀବନ୍ତ ଗୁଳି, ଗୋଟିଏ ମହିନ୍ଦ୍ରା ଥାର୍ ରକ୍ସ ଗାଡ଼ି, ୨ଟି ମୋବାଇଲ୍ ଫୋନ୍ ଏବଂ ୫୧୦ ଟଙ୍କା ନଗଦ ଜବତ ହୋଇଛି । ବିଶ୍ବଜିତ୍ ନାମରେ ପୂର୍ବରୁ ଓଲଟପୁର ଥାନାରେ ୨ଟି ଏବଂ ଗୋବିନ୍ଦପୁର ଥାନାରେ ୩ଟି ମାମଲା ରହିଛି । ଅର୍ଥାତ୍ ତା’ ନାଁରେ ମୋଟ ୫ଟି ପୂର୍ବ ମାମଲା ରହିଛି ।
ଅଭିଯୁକ୍ତ ଜଣକ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣିଥିବା ଜଣାପଡିଛି । ଗତ ଦଶହରା ସମୟରେ ଗୋବିନ୍ଦପୁରରେ ଖୋଲାଖୋଲି ଫାୟାରିଂ କରି ନିଜର ଦବଦବା ଦେଖାଇଥିଲା ବିଶ୍ୱଜିତ । ଫାୟାରିଂର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ତେବେ ମୁଙ୍ଗେରରୁ କିପରି ବନ୍ଧୁକ ଆସିଲା । ଏହା ପଛରେ ଆଉ କେଉଁମାନଙ୍କର ହାତ ରହିଛି ? ସେନେଇ ଖୋଳତାଡ଼ କରୁଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ ।
