Latest Odisha News

ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାଁ ଓ ଠିକଣା: ମିଳିବ ତିହାର ଜେଲ ସୁବିଧା

ଭୁବନେଶ୍ୱର:ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାମ । ଖାଲି ନାମ ବଦଳିବନି । ଠିକଣା ମଧ୍ୟ ବଦଳିଯିବ ।  ରାଜଧାନୀ ଉପକଣ୍ଠକୁ ଉଠିଯିବ ଏହି ଜେଲ ଏବଂ ଏହାର ନୂଆ ପରିଚୟ  ହେବ ଭୁବନେଶ୍ୱର ସେଣ୍ଟ୍ରାଲ ଜେଲ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ ନିର୍ମାଣ କାମ ।  ଏଥିପାଇଁ ରାଜ୍ୟ ସରକାର ୪୫ ଏକର ଜମି ଚିହ୍ନଟ କରିଛନ୍ତି । ଏହି ସେଣ୍ଟ୍ରାଲ ଜେଲର ମଡେଲ ଠିକ ତିହାର ଜେଲ ପରି ହେବ  । ଏହାର ନକ୍ସା ପ୍ରସ୍ତୁତ ହୋଇ ସାରିଥିବା ଜେଲ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଜେଲ ରାଜଧାନୀ ଉପକଣ୍ଠରେ ଥିବା ଟ୍ରେନିଂ ଏକାଡେମୀ ଏବଂ ମୁକ୍ତାକାଶ ଜେଲର ମଝି ସ୍ଥାନରେ ନିର୍ମାଣ କରାଯିବ । ଝାଡପଡା ସ୍ୱତନ୍ତ୍ର ଜେଲରେ ୯୯୧ ଜଣ କଏଦୀ ରହିବାର ସୁବିଧା ଥିବାବେଳେ ଏହି ନୂଆ ସେଣ୍ଟ୍ରାଲ ଜେଲରେ ଅଢେଇରୁ ତିନି ହଜାର ପର୍ଯ୍ୟନ୍ତ କଏଦୀ ରହିପାରିବେ । ଏଠାରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବି ସ୍ୱତନ୍ତ୍ର ସୁବିଧା ରହିଛି । ଜେଲ ଭିତରେ ରହିବ ଉନ୍ନତମାନର ଡାକ୍ତରଖାନା ସୁବିଧା । ଏହି ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବ । ଜେଲକୁ ଲାଗି ସ୍ୱତନ୍ତ୍ର ଫାଣ୍ଡି ବି ରହିବ ।

ଏଠାରେ ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଦୁଇଜଣ ଜେଲର ରହିବେ । ଅନ୍ୟ ସ୍ଥାନରେ କର୍ମଚାରୀଙ୍କ କ୍ୱାଟର୍ସ ବ୍ୟବସ୍ଥା କରାଯିବ । ହେଲେ କଏଦୀଙ୍କୁ ତାଲିମ ପାଇଁ କମଳ, ଦରି, ଗାମୁଛା  ତିଆରି ୟୁନିଟ ଖୋଲିବ । ତିହାର ଜେଲରେ କଏଦୀ ପାଉଥିବା ସବୁ ସୁବିଧା ଏଠାରେ କଏଦୀମାନଙ୍କୁ ମିଳିବ ।

ସୂଚନା ଥାଉ କି, ୧୯୬୨ ମସିହାରେ ଝାଡପଡା ଜେଲ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଏହି ଅଞ୍ଚଳ ଏକ ପ୍ରକାର ରାଜଧାନୀ ଉପକଣ୍ଠରେ ଥିଲା । ଅଳ୍ପ ଲୋକଙ୍କ ସମାଗମ ମଧ୍ୟ ଥିଲା । ହେଲେ ଏବେ ସହର କଳେବର ବୃଦ୍ଧି ସାଙ୍ଗକୁ ଲୋକ ସଂଖ୍ୟା ବୃଦ୍ଧି ପାଉଛି । ଏହି ଅଞ୍ଚଳ ଏବେ ଏକ  ଜନଗହଳିପୂର୍ଣ୍ଣ ସ୍ଥାନ ହୋଇ ଯାଇଥିବାରୁ ଏଠାରୁ ଜେଲକୁ ଉଠାଇ ନେବାକୁ ରାଜ୍ୟ ସରକାର କିଛି ଦିନ ହେବ ଚିନ୍ତା କରୁଥିଲେ ।

Comments are closed.