ଝାରସୁଗୁଡା: ଝାରସୁଗୁଡ଼ା ଉପ-ନିର୍ବାଚନକୁ ନେଇ ବୁଧବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ଅନେକ ନିଜର ମତାଧିକାର ସାବ୍ୟସ୍ତ କରିପାରିନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅନେକ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୭୨ ନଂ ବୁଥରେ ଭୋଟ ଦେବାକୁ ଥିବା ୧୭ ନମ୍ବର ଓ୍ୱାର୍ଡର ପ୍ରାୟ ୫୦ ଜଣ ଭୋଟର ସେମାନଙ୍କ ନାମ ଭୋଟର ତାଲିକାରୁ କାଟି ଦେଇଥିବା ଦେଖିବାକୁ ପାଇଥିଲେ।
ପ୍ରଭାବିତ ଭୋଟରମାନେ ନିଜର ନିରାଶା ଓ ନୈରାଶ୍ୟ ପ୍ରକାଶ କରି କହିଛନ୍ତି ଯେ, ରାଜନୈତିକ ଦଳମାନଙ୍କ ଦ୍ୱାରା ଜାରି କରାଯାଇଥିବା “ଚିରକୁଟ” ସ୍ଲିପ୍ ସେମାନଙ୍କୁ ମିଳିଛି, କିନ୍ତୁ ସେମାନଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଇନାହିଁ। କାହିଁକି ଏତେ ସଂଖ୍ୟକ ନାମ ତାଲିକାରୁ କାଟି ଦିଆଗଲା ବୋଲି ପ୍ରଶ୍ନ କରି ସମ୍ପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରର କର୍ତ୍ତୃପକ୍ଷଙ୍କ ଠାରୁ ଜବାବ ମାଗିଥିଲେ।
ଭୋଟ୍ ଦେଇନପାରି ଅସନ୍ତୋଷ ଜାହିର କରିଥିବା ଭୋଟରମାନେ ନିଜ ଏରିଆରୁ ତାଙ୍କୁ ନାମ ହଟାଇ ଦିଆଯିବା ବା ଡିଲିଟ କରିଦେବା ପ୍ରକ୍ରିୟାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ଗତ ପୌର ନିର୍ବାଚନରେ ସେମାନେ ଭୋଟ୍ ଦେଇଥିବା ଦର୍ଶାଇବା ସହ କିପରି ସେମାନଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି ତାହା ବୁଝି ପାରୁନାହାନ୍ତି ବୋଲି କହିଛନ୍ତି। ବୁଥରେ ଥିବା ଅଧିକାରୀମାନେ ନାମ ବାଦ୍ ଦେବା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇପାରିନଥିବାରୁ ଭୋଟରମାନେ ନିରାଶ ହୋଇଛନ୍ତି।
Comments are closed.