ନୂଆଦିଲ୍ଲୀ: ନାମିବିଆ ଋଷର କରୋନା ଟିକା ସ୍ପୁଟନିକ୍-ଭି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ସୂଚନା ମିଳିଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି। ନିକଟରେ ଦକ୍ଷିଣ ଆଫ୍ରିକା ସ୍ପୁଟନିକ୍-ଭି ଟିକାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲା। ଯାହା ପରେ ନାମିବିଆରେ ମଧ୍ୟ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ସୂଚନା ମିଳିଛି। ସୂଚନା ମୁତାବକ ସ୍ପୁଟନିକ୍-ଭି ଟିକା ଗ୍ରହଣ କରୁଥିବା ପୁରୁଷଙ୍କ ନିକଟରେ ଏଚ୍.ଆଇ.ଭି ସଂକ୍ରମଣ ହେବାର ଆଶଙ୍କା ବହୁଗୁଣିତ ହୋଇଥାଏ।
ସ୍ପୁଟନିକ୍-ଭି ଟିକା ବିକଶିତ କରିଥିବା ଜମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛି। ନାମିବିଆର ନିଷ୍ପତ୍ତି କୌଣସି ବୈଜ୍ଞାନିକ ପ୍ରମାଣ କିମ୍ବା ଅନୁସନ୍ଧାନ ଉପରେ ଆଧାରିତ ନୁହେଁ ବୋଲି ଅନୁଷ୍ଠାନ କହିଛି।
ଦକ୍ଷିଣ ଆଫ୍ରିକାର ନିୟାମକ SAHPRA ନିଜ ଦେଶରେ ସ୍ପୁଟନିକ୍-ଭି ର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛି। ଏହା ପଛରେ ଔଷଧ ନିୟାମକ କହିଛନ୍ତି ଯେ କିଛି ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ପୁଟନିକ୍-ଭିର ବ୍ୟବହାର ଦ୍ବାରା ପୁରୁଷଙ୍କଠାରେ ଏଚ୍.ଆଇ.ଭି. ସଂକ୍ରମଣର ବିପଦ ଅଧିକ ରହିଛି।
ନାମିବିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ସ୍ପୁଟନିକ୍ ଭି ଗ୍ରହଣ କରୁଥିବା ପୁରୁଷଙ୍କ ଏଚ୍.ଆଇ.ଭି ସଂକ୍ରମଣ ହେବାର ଆଶଙ୍କା ଅଧିକ ଥିବାରୁ ଋଷର ଟିକା ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
Comments are closed.