Latest Odisha News

BREAKING NEWS

ନାତିକୁ ନାରାୟଣ ମୂର୍ତ୍ତିଙ୍କ ମହଙ୍ଗା ଉପହାର; ରାତାରାତି  ୨୪୦ କୋଟିର ମାଲିକ ହେଲା ଏକାଗ୍ର

ନୂଆଦିଲ୍ଲୀ: ଇନଫୋସିସ୍ ସହ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତି ସବୁବେଳେ ନିଜ କଥା ତଥା ନିଷ୍ପତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏଥର ନାତିଙ୍କୁ ଦେଇଥିବା ମହଙ୍ଗା ଉପହାର ପାଇଁ ଚର୍ଚ୍ଚାରେ ଅଛନ୍ତି ନାରାୟଣ ମୂର୍ତ୍ତି । ମାତ୍ର ୪ ମାସ ବୟସର ନାତି ଏକାଗ୍ର ରୋହନ ମୂର୍ତ୍ତିଙ୍କୁ ୨୪୦ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି ଇନଫୋସିସ ସହପ୍ରତିଷ୍ଠାତା, ଯାହାକି ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଷ୍ଟକ୍ ମାର୍କେଟ ନିୟାମକରେ ଦାଖଲ ତଥ୍ୟ ଅନୁସାରେ, ନାରାୟଣ ମୂର୍ତ୍ତି ଇନଫୋସିସର ୧୫ ଲକ୍ଷ ସେୟାର ନାତି ଏକାଗ୍ର ନାମରେ କରିଦେଇଛନ୍ତି  । ଏଥିସହ ଇନଫୋସିସରେ ୦.୦୪ ପ୍ରତିଶତ ଅଂଶଧନର ମାଲିକ ପାଲଟିଯାଇଛନ୍ତି ଏକାଗ୍ର ରୋହନ ମୂର୍ତ୍ତି । ଏହି ଉପହାର ପାଇବା ପରେ ଏକାଗ୍ର ରୋହନ ମୂର୍ତ୍ତି ଭାରତର ସର୍ବକନିଷ୍ଠ କୋଟିପତି ହୋଇଥିବା କୁହାଯାଉଛି ।

ନାତିଙ୍କୁ ଏପରି ମହଙ୍ଗା ଉପହାର ଦେବା ପରେ ଟେକ୍ କମ୍ପାନୀ ଇନଫୋସିସରେ ନାରାୟଣ ମୂର୍ତ୍ତିଙ୍କ ଅଂଶଧନ ୦.୩୬ ପ୍ରତିଶତ କିମ୍ୱା ୧.୫୧ କୋଟି ସେୟାରକୁ ଖସି ଆସିଛି ।

ନାରାୟଣ ମୂର୍ତ୍ତି ଇନଫୋସିସକୁ ନିଜର ୨୫ ବର୍ଷ ସମୟ ଦେବା ପରେ ୨୦୨୧ ଡିସେମ୍ୱରରେ ଅବସର ନେଇଥିଲେ ।  ଏକାଗ୍ର ମୂର୍ତ୍ତି ହେଉଛନ୍ତି ନାରାୟଣ ମୂର୍ତ୍ତିଙ୍କ ପୁଅ ରୋହନ ମୂର୍ତ୍ତି ଏବଂ ବୋହୂ ଅପର୍ଣ୍ଣା କ୍ରିଷ୍ଣନଙ୍କ ପୁଅ । ୨୦୨୩ ନଭେମ୍ୱରରେ ଏକାଗ୍ର ମୂର୍ତ୍ତି ଜନ୍ମ ହୋଇଛନ୍ତି ।

Leave A Reply

Your email address will not be published.