Latest Odisha News

BREAKING NEWS

ପୁରୀ ଲୋକସଭା ଆସନ ପାଇଁ ବିଜେଡିରୁ ପିନାକୀ ଆଉଟ୍ ଅରୂପ ଇନ୍?

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରୁ କିଏ ବିଜେଡି ସେନାପତି ? ପୁରୀ ସଂସଦୀୟ କ୍ଷେତ୍ରରୁ କାହାକୁ ଓହ୍ଲାଇବ ବିଜେଡି ? ପିନାକୀଙ୍କ ଜାଗାରେ ଲଢିବେ କି ଅରୂପ ପଟ୍ଟନାୟକ ? ଗଡ ରକ୍ଷା ପାଇଁ କାହାକୁ ପ୍ରାର୍ଥୀ କରିବ ବିଜେଡି ? ପୁରୀ ଲୋକସଭା ଆସନରେ ଏଥର ବି ହେବ ହାଇଭୋଲଟେଜ୍ ଲଢେଇ । ବିଜେପିକୁ କୌଣସି ଚାନ୍ସ ଦେବାକୁ ଚାହୁଁନି ବିଜେଡି । ଓଡିଶା ମୋ ପରିବାରର ରାଜ୍ୟ ଆବାହକ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପୁରୀରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅରୂପଙ୍କ ନିଜ ଗାଁ ପୁରୀ ଜିଲ୍ଲା ପିପିଲି ନିର୍ବାଚନମଣ୍ଡଳୀରେ । ମାଟିର ପୁଅ ନାରା, କ୍ଲିନ୍ ଇମେଜର ପ୍ରଶାସନିକ ଭାବେ ଟ୍ରାକ୍ ରେକର୍ଡ ସହ ସମାଜସେବୀ ଅରୂପଙ୍କୁ ପୁରୀ ମଇଦାନରେ ପ୍ରୋଜେକ୍ଟ କରିପାରେ ବିଜେଡି।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ଗତ ଥର ଭୁବନେଶ୍ୱର ଲୋକସଭା ଆସନରୁ ଲଢିଥିଲେ । ତେବେ ଅପରାଜିତା ଷଡଙ୍ଗୀଙ୍କଠାରୁ ୨୩ହଜାରରୁ ଅଧିକ ଭୋଟରେ ହାରିଥିଲେ । ଏଥର ପୁରୀରୁ ଭାଗ୍ୟ ପରୀକ୍ଷା କରିପାରନ୍ତି ଅରୂପ । ପୁରୀ ଲୋକସଭା ଆସନରୁ ବିଜେଡି ଟିକେଟରୁ ୩ଥର ଓ କଂଗ୍ରେସରୁ ଥରେ ଜିତିଥିବା ପିନାକୀ ମିଶ୍ର ଏଥର ନିର୍ବାଚନ ଲଢିବାକୁ ଆଗ୍ରହୀ ନଥିବା ଚର୍ଚ୍ଚା ହେଉଛି । ୨୦୧୯ରେ ପିନାକୀଙ୍କୁ ଜବରଦସ୍ତ ଫାଇଟ୍ ଦେଇଥିଲେ ବିଜେପିର ସମ୍ବିତ ପାତ୍ର । କ୍ଲୋଜ୍ ଫାଇଟରେ ୧୨ହଜାରରୁ କମ୍ ଭୋଟରେ ଜିତିଥିଲେ ପିନାକୀ । ବିଜେପି ପ୍ରାର୍ଥୀ ଘୋଷଣା କରିନଥିଲେ ବି ସମ୍ବିତ ପାତ୍ର ଗ୍ରାଉଣ୍ଡରେ ବେଶ୍ ଆକ୍ଟିଭ୍ ରହିଛନ୍ତି । ୨୦୧୯ରେ ଅଳ୍ପ ମାର୍ଜନରେ ହାରିବା ପରଠୁ ଗାଁ ଗାଁରେ ପହଂଚି ଲୋକଙ୍କୁ ଭେଟୁଛନ୍ତି । ତେଣୁ ତାଙ୍କ ବିପକ୍ଷରେ ଅରୂପଙ୍କୁ ବିଜେଡି ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି ।

ପୁରୀ ବ୍ୟାଟେଲ୍ ଏଥର ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ଲଢେଇ ହେବ । ବିଜେଡି ପାଇଁ ଗଡ ରକ୍ଷା ଚ୍ୟାଲେଞ୍ଜ ହେବ ତ ବିଜେପି ପାଇଁ ପୁରୀ ବିଜୟ ବଡ ଉପଲବ୍ଧି ହେବ । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶ୍ରେୟକୁ ଭୋଟରେ ରୂପାନ୍ତର କରିବାକୁ ଉଦ୍ୟମ କରିବ । ପୁରୀ ସହର ତଥା ଲୋକସଭା ମଣ୍ଡଳୀରେ ହୋଇଥିବା ବିଭିନ୍ନ ବିକାଶମୂଳକ କାମକୁ ଧରି ଲୋକଙ୍କ ପାଖରେ ପହଂଚିବ ଦଳ ।

ସେପଟେ ପଶ୍ଚିମରେ ଗେରୁଆ ବାନା ଉଡାଇବା ପରେ ପୁରୀ ବିଜୟ ସହ ଉପକୂଳ ବାଟ ଖୋଲିବାକୁ ଉଦ୍ୟମ କରିବ ବିଜେପି । ଗତ ଥର ସମ୍ବିତ ପାତ୍ରଙ୍କୁ ଭଲ ଭୋଟ୍ ମିଳିଥିବାରୁ ବିଜେଡି ଟିକେଟ୍ ଦେଲେ ବି ଅରୂପଙ୍କ ପାଇଁ ସହଜ ହେବନି ପୁରୀ ଯୁଦ୍ଧ । ପ୍ରାର୍ଥୀ ଘୋଷଣାର ବେଶ୍ ପୂର୍ବରୁ ସମ୍ବିତ ପାତ୍ର ହୋମୱାର୍କ କରିଛନ୍ତିା ତେଣୁ ବିଜେଡି ପ୍ରାର୍ଥୀଙ୍କୁ ବିଜୟ ପାଇଁ ଏକ୍ସଟ୍ରା ମାଇଲ୍ ଯିବାକୁ ପଡିବ ।

ପୁରୀ ଲୋକସଭା ଅଧୀନରେ ଆସୁଥିବା ୭ଟି ବିଧାନସଭା ସିଟ ମଧ୍ୟରୁ ୫ଟିରେ ବିଜେଡି ଓ ୨ଟିରେ ବିଜେପି ବିଧାୟକ ରହିଛନ୍ତି । ପୁରୀ, ବ୍ରହ୍ମଗିରିରେ ବିଜେପି ବିଧାୟକ ଥିବା ବେଳେ ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡରୁ ବିଜେଡି ବିଧାୟକ ରହିଛନ୍ତି ।

Leave A Reply

Your email address will not be published.