Latest Odisha News

BREAKING NEWS

ଖାଲି ଥିବା ପଦବୀକୁ ମଧ୍ୟ ନିଜ କବଜାରେ ରଖିଛନ୍ତି ପିଏମ, ନିଯୁକ୍ତି ପ୍ରସଙ୍ଗକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ ଯୁବପିଢୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ରାହୁଲ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ, ପିଏମ ମୋଦୀଙ୍କର ଯୁବପିଢୀମାନଙ୍କୁ ରୋଜଗାର ଯୋଗାଇଦେବା ଉଦ୍ଦେଶ୍ୟ ନାହିଁ। ନୂତନ ପଦବୀ ସୃଷ୍ଟି କରିବା ତ ଦୁର କଥା । ବର୍ତ୍ତମାନ ସେ କେନ୍ଦ୍ର ସରକାରଙ୍କ ଖାଲି ପଡିଥିବା ପଦବୀକୁ ମଧ୍ୟ ନିଜ କବଜାରେ ରଖିଛନ୍ତି ।

କେରଳର ୱାୟନାଡରୁ କଂଗ୍ରେସ ସାଂସଦଙ୍କ ପୋଷ୍ଟରେ କୁହାଯାଇଛି ଯେ, “ଦେଶର ଯୁବକମାନେ, ଗୋଟିଏ କଥା ଧ୍ୟାନ ଦିଅନ୍ତୁ! ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟ ରୋଜଗାର ଯୋଗାଇବା ନୁହେଁ। ନୂତନ ପଦବୀ ସୃଷ୍ଟି କରିବା ତ ଦୁରର କଥା ସେ କେନ୍ଦ୍ର ସରକାରଙ୍କ ଖାଲି ପଡିଥିବା ପଦବୀକୁ ମଧ୍ୟ ନିଜ ଅଧିନରେ ରଖିଛନ୍ତି । ଯଦି ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟକୁ ଦେଖାଯିବ ତେବେ ୭୮ ଟି ବିଭାଗରେ ୯ ଲକ୍ଷ ୬୪ ହଜାର ପଦବୀ ଖାଲି ଅଛି | ଯଦି ଆମେ କେବଳ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଦେଖିବା, ତେବେ ରେଳବାଇରେ ୨.୯୩ ଲକ୍ଷ ପଦବୀ, ଗୃହ ମନ୍ତ୍ରଣାଳୟରେ ୧.୪୩ ଲକ୍ଷ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟରେ ୨.୬୪ ଲକ୍ଷ ପଦବୀ ଖାଲି ଅଛି।

ରାହୁଲ ଗାନ୍ଧୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ୧୫ଟି ପ୍ରମୁଖ ବିଭାଗର ୩୦% ରୁ ଅଧିକ ପଦବୀ କାହିଁକି ଖାଲି ଅଛି ସେନେଇ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ଉତ୍ତର ଅଛି କି? ମିଛ ଗ୍ୟାରେଣ୍ଟିର ନାରା ଦେଇ ବୁଲୁଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବହୁ ସଂଖ୍ୟକ ଗୁରୁତ୍ୱପୂର୍ଣ୍ଣ ପଦବୀ କାହିଁକି ଖାଲି ଅଛି? ଯୁବପିଢୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ବୋଝ ବୋଲି ଭାବୁଥିବା ବିଜେପି ସରକାର କ୍ରମାଗତ ଭାବେ ଚୁକ୍ତି ପ୍ରଣାଳୀକୁ ପ୍ରୋତ୍ସାହନ ଦେଉଛନ୍ତି । ଯେଉଁଠାରେ ନା ସୁରକ୍ଷା ଅଛି ଆଉ ନା ସମ୍ମାନ ।

କଂଗ୍ରେସର ଯୁବ ନେତାଙ୍କ କହିବାନୁସାରେ, “ଖାଲିଥିବା ପଦଗୁଡ଼ିକ ଦେଶର ଯୁବକମାନଙ୍କ ଅଧିକାର ଏବଂ ଆମେ ସେଗୁଡିକୁ ପୂରଣ କରିବା ପାଇଁ ଏକ ମଜବୁତ ଯୋଜନା ପ୍ରସ୍ତୁତ କରିଛୁ। ଏହା ଆମର ସଂକଳ୍ପ ଯେ ଯୁବପିଢୀଙ୍କ ପାଇଁ ନିଯୁକ୍ତିର ଯେଉଁ ଦ୍ଵାର ବନ୍ଦ ହୋଇରହିଛି ତାହା ଆମେ ଖୋଲିବୁ । ବେରୋଜଗାରର ଅନ୍ଧକାରକୁ ଭାଙ୍ଗି ଯୁବପିଢୀଙ୍କ ଭାଗ୍ୟର ସୂର୍ଯ୍ୟୋଦୟ କରିବୁ ।

 

 

Comments are closed.