Latest Odisha News

BREAKING NEWS

ନରସିଂହପୁର ହାତୀ କଙ୍କାଳ ଉଦ୍ଧାର ଘଟଣା: ନିଲମ୍ବିତ ହେଲେ ରେଞ୍ଜର ବାବୁ

ନରସିଂହପୁର: ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ହେବା ଘଟଣାରେ ଆଜି ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଦୀର୍ଘ ମାସେ ପରେ ଏଇ କାର୍ୟ୍ୟାନୁଷ୍ଠାନ କିନ୍ତୁ ଅନେକ ସନ୍ଦେହ କରୁଛି । ନିଲମ୍ବନ ଚିଠି ରେ କୌଣସି କାରଣ ଦର୍ଶା ଯାଇ ନାହିଁ । ଏଥିରୁ ବନ ବିଭାଗର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ସେଇ ଘଟଣାରେ ଜଣେ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ସପ୍ତାହ ପରେ ହିଁ ନିଲମ୍ବନ କରିଥିଲା ବନ ବିଭାଗ । ହେଲେ ସବୁ ପ୍ରମାଣ ପାଇ ମଧ୍ୟ ରେଞ୍ଜରଙ୍କୁ ଏତେ ଦିନ ସମୟ କଣ ପାଇଁ ଦିଆଗଲା ଏନେଇ ମଧ୍ୟ ସନ୍ଦେହ ବଢୁଛି ।

ସବୁଠୁ ବଡ଼ କଥା ହେଲା, ହାତୀ କଙ୍କାଳ ଖୋଳି ବାହାରିବା ପରେ, ଦାନ୍ତ ଜବତ ହେବା ପରେ ମଧ୍ୟ କାହାକୁ ବି ଏଯାଏଁ ଗିରଫ କରାଯାଇନାହିଁ । ଯେଉଁ ସାକ୍ଷ୍ୟ ପ୍ରମାଣ ବଳରେ ଗାର୍ଡ, ଫରେଷ୍ଟର ଏବଂ ଖୋଦ ରେଞ୍ଜରଙ୍କ ସମ୍ପୃକ୍ତି ବିଷୟରେ ଅବଗତ ହୋଇ ବନ ବିଭାଗ ସେମାନଙ୍କୁ ନିଲମ୍ବନ କଲା, ସେ ସବୁ ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ ଗିରଫଦାରୀ କରିବା ପାଇଁ ମଧ୍ୟ ଯଥେଷ୍ଟ । ହେଲେ କିଏ ଗିରଫ ହେବ ବା କିଏ ଗିରଫ କରିବା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ହାତୀକୁ ମାରି, ଦାନ୍ତ କାଟି, ତାକୁ ପୋଡି, ଜେସିବି ଲଗେଇ ପୋତିବା ଘଟଣା ଏକ ଗୁରୁତର ମାମଲା । ଆଗରୁ ଏଇଭଳି ମାମଲା ଅନ୍ୟ କେଉଁ ସ୍ଥାନରେ ଲୁଚି ଥାଇପାରେ, ହେଲେ ସାମନାକୁ ଆସିଥିବା ଘଟଣା ସମ୍ଭବତଃ ଏହା ରାଜ୍ୟରେ ପ୍ରଥମ । ଯଦିଓ, କ୍ରାଇମବ୍ରାଞ୍ଚ ଏସଟିଏଫ ହାତୀ କଙ୍କାଳକୁ ଖୋଳି ବାହାର କରିଥିଲା, କିନ୍ତୁ, ବାରାସିଙ୍ଘା ବିଟରେ କାମ କରୁଥିବା କୌଣସି ସ୍ଥାୟୀ କର୍ମଚାରୀ ବା ଫରେଷ୍ଟ ୱାଚରଙ୍କୁ ଏଯାଏଁ ଜେରା କରି ନାହିଁ । ଏସଟିଏଫ ପାଖରେ କ୍ଷମତା ଅଛି, ଏବଂ କେବଳ ହାତୀ କଙ୍କାଳ ମିଳିବା ଘଟଣାରେ ମଧ୍ୟ ବାରାସିଙ୍ଘା ବିଟରେ କାମ କରୁଥିବା ସମସ୍ତ ୱାଚର, ଫରେଷ୍ଟ ଗାର୍ଡ, ଫରେଷ୍ଟର, ରେଞ୍ଜର ଓ ଆଠଗଡ ଡିଏଫଓଙ୍କୁ ଗିରଫ କରିଥିଲେ ମଧ୍ୟ କେହି ପାଟି ଫିଟେଇ ପାରି ନଥାନ୍ତେ । ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନର ଧାରା ୫୭ ଅନୁଯାୟୀ ସେମାନେ ନିର୍ଦୋଷ ବୋଲି ପ୍ରମାଣ କରିବା ଦାୟୀତ୍ଵ ତାଙ୍କରି ଉପରେ ପଡ଼ିଥାନ୍ତା । ଖାଲି ସେତିକି ନୁହେଁ, ଏଇ ଘଟଣାରେ କେବଳ ଯେ ବନ୍ୟ ପ୍ରାଣୀ ଆଇନର ଦଫା ଲାଗିବା ତାହା ନୁହେଁ, ବରଂ ତା ସହିତ ସରକାରୀ କର୍ମଚାରୀ ହିସାବରେ ନିଜର କର୍ତ୍ତବ୍ୟରେ ଅବହେଳା, ପ୍ରମାଣ ନଷ୍ଟ ଭଳି ଦଫା ମଧ୍ୟ ଲାଗିବ । ସର୍ବୋପରି, ଅନେକ ଲୋକ ମିଶି ଆପରାଧିକ ଷଡଯନ୍ତ୍ର କରି ଏଇ ହାତୀ ମୃତ୍ୟୁକୁ ଲୁଚେଇ ଦାନ୍ତ ଗାୟବ କରି ଥିବାରୁ ଅର୍ଗାନାଇଜଡ଼ କ୍ରାଇମ ୧୨୦b ଭଳି ସଙ୍ଗୀନ୍ ଦଫା ମଧ୍ୟ ଲାଗିବ । ଅଭିଯୁକ୍ତଙ୍କ ବିରୁଦ୍ଧରେ ପ୍ରମାଣ ମିଳିବାରୁ ତାଙ୍କୁ ନିଲମ୍ବନ କରାଗଲା ସତ, ହେଲେ, ଏଇଭଳି ଏକ ସଙ୍ଗୀନ ଅପରାଧିକ ମାମଲାକୁ ଠିକରେ ପରିଚାଳନା କରାଯାଉନାହିଁ ବୋଲି ବନ୍ୟ ପ୍ରାଣୀ ବିଶେଷଜ୍ଞ ମାନେ ସନ୍ଦେହ ପ୍ରକାଶ କଲେଣି ।

କିଏ ଏଇ ମାମଲା କରିବ ବା କିଏ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବ ସେଇଟା ପ୍ରଥମେ ସ୍ଥିର ହେବା ଦରକାର, ଯାହାକି ଅନେକ ବିଳମ୍ବ ହେଇଗଲାଣି ।

ସୂଚନା ଅନୁସାରେ ବାରାସିଙ୍ଘା ବିଟରେ ୫ ଜଣ ୱାଚର ତଦନ୍ତ ବେଳେ ସ୍ଵୀକାରୋକ୍ତି ଦେଇଛନ୍ତି । ଗାର୍ଡ, ଫରେଷ୍ଟର ଓ ରେଞ୍ଜର ଏଇ ଘଟଣାରେ ନିଲମ୍ବିତ ହେବା ଘଟଣା ମଧ୍ୟ ସେଇ ଅପରାଧରେ ସେମାନଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ କରୁଛି । ତଥାପି ସେମାନଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ କାହିଁକି ଗିରଫ କରୁନାହିଁ ତାହା ଏବେ ସନ୍ଦେହ ଘେରରେ ।

ଖାଲି ନିଲମ୍ବନ କଲେ ହେବନାହିଁ, ଏଇ ମାମଲାରେ ରେଞ୍ଜରଙ୍କ ଗିରଫଦାରୀ ନିହାତି ଆବଶ୍ୟକ ବୋଲି ଦାବି ଉଠୁଛି । ହାତୀ ମୃତ୍ୟୁରେ ବନ କର୍ମଚାରୀଙ୍କ ସମ୍ପୃକ୍ତିକୁ ନେଇ ଅନ୍ୟ ଏକ ସ୍ପର୍ଶକାତର ଘଟଣା ହେଉଛି ଆଠଗଡ଼ ଡିଭିଜନରେ ଦୁଇ ଦୁଇଟି ଅତ୍ୟନ୍ତ ସନ୍ଦେହ ଜନକ ହାତୀ ମୃତ୍ୟୁ । ଗତ ବର୍ଷ ଠାରୁ ଆଠଗଡ଼ ରେଞ୍ଜ ଅଫିସର ଆୟେଷା ଅଖତାରୀ ବେଗମ ରେଞ୍ଜରେ ନିଲମ୍ବନରେ ଅଛନ୍ତି । ଏବେ ନରସିଂହପୁର ୱେଷ୍ଟ ମଧ୍ୟ ନିଲମ୍ବନ ହେଲେ । ହାତୀ ମୃତ୍ୟୁ ସମୟରେ ଯିଏ ତତ୍କାଳୀନ ଡିଏଫଓ ଥିବେ ସେ ମଧ୍ୟ ଆପେଆପେ ସନ୍ଦେହ ଘେରକୁ ଆସିବା କଥା । କାରଣ, ଯେଉଁ ଡିଏଫଓ ନିଜ ଡିଭିଜନରେ ହାତୀ ଭଳି ପ୍ରାଣୀର ମୃତ୍ୟୁ ଖବର ଜାଣି ପାରିବେନି, ସେ ଚାକିରୀ ଛାଡି ଦେଇ ଘରେ ବସିବା କଥା । ଆଠଗଡ଼ ଡିଭିଜନର ଉଭୟ ନିଲମ୍ବିତ ରେଞ୍ଜର ଏବଂ ତତ୍କାଳୀନ ଡିଏଫଓ ଙ୍କର ଲାଇ ଡିଟେକସନ ଟେଷ୍ଟ କରାଗଲେ ଅନେକ କଥା ବାହାରକୁ ଆସନ୍ତା । କ୍ରାଇମବ୍ରାଞ୍ଚ ଏସଟିଏଫ ଚୁପ ଚାପ ବସି ପଡ଼ିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଜନସାଧାରଣ ।

ଏସଟିଏଫ ଓ ବନ ବିଭାଗ ଭିତରୁ କିଏ ଓ କେମିତି ଏଇ ମାମଲା କରିବେ, ଏଇ ଦ୍ଵନ୍ଦ ଭିତରେ ଗୋଟିଏ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିଗ ଲୁଚି ଯାଉଛି । କେଉଁ ସମୟରେ ହାତୀଟିର ମୃତ୍ୟୁ ହୋଇଥିଲା, ସେଇ ବିଷୟଟି ସବୁଠାରୁ ଅଧିକ ସମ୍ବେଦନଶୀଳ । କାରଣ କେଉଁ ସମୟରେ ହାତୀର ମୃତ୍ୟୁ ହୋଇଥିଲା, ସେଇ ଅନୁସାରେ ମାମଲା ପରିଚାଳିତ ହେବ । ନିଲମ୍ବିତ ରେଞ୍ଜର ଅଶୋକ ବେହେରାଙ୍କର ଚନ୍ଦକା ରେଞ୍ଜକୁ ବଦଳି ହୋଇ ସାରିଛି । ତାଙ୍କ ସ୍ଥାନରେ ନୂଆ କରି ଯୋଗ ଦେଇଛନ୍ତି ପ୍ରଫୁଲ୍ଲ କୁମାର ଦେହୁରୀ । ସେହିପରି ଆଠଗଡ ଡିଏଫଓ ସୁଦର୍ଶନ ପାଲ ଯାଦବ ଟ୍ରେନିଂ ପାଇଁ ଛୁଟିରେ ଯାଇଥିବାରୁ, କଟକ ଡିଏଫଓ ସଞ୍ଜୟ ସ୍ବାଇଁଙ୍କୁ ଆଠଗଡ ଚାର୍ଜ ମଧ୍ୟ ଦିଆଯାଇଛି । ସୁଦର୍ଶନଙ୍କ ପୂର୍ବରୁ ସସ୍ମିତା ଲେଙ୍କା ଆଠଗଡ ଡିଏଫଓ ଭାବରେ ଦୀର୍ଘ ଦିନ କାମ କରୁଥିଲେ ।

ଆଠଗଡ଼ ରେଞ୍ଜର ଆୟେଶା ଅଖତାରି ବେଗମ ଯେଉଁ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବନ ହୋଇଥିଲେ, ସେତେବେଳେ ସସ୍ମିତା ଲେଙ୍କା ହିଁ ଆଠଗଡ଼ ଡିଏଫଓ ଥିଲେ । ଆୟେଷା କୁଆଡେ ଡିଏଫଓଙ୍କୁ ହାତୀ ମୃତ୍ୟୁ ବାବଦ ସବୁ ରିପୋର୍ଟ ହାତେ ହାତେ ଦେଇଥିଲେ, ଯାହାକୁ ସମ୍ପୂର୍ଣ୍ଣ ମିଛ ବୋଲି ସସ୍ମିତା କହିଥିଲେ । ତେବେ, ଏଇ ଘଟଣା ସେତେବେଳେ ଚର୍ଚା ହେଇଥିଲା, କାରଣ ହାତୀର ବ୍ୟବଚ୍ଛେଦ କରାଯାଇଥିଲା, ଏବଂ ବିନା ଡିଏଫଓଙ୍କ ଅନୁମତିରେ ଜଣେ ଭେଟେରିନାରି ଡାକ୍ତର କେବେ ହେଲେ ମଧ୍ୟ ବ୍ୟବଚ୍ଛେଦ କରିବା ପାଇଁ ଯାଆନ୍ତି ନାହିଁ । ତେଣୁ, ନରସିଂହପୁରରେ ଯେଉଁ ହାତୀ କଙ୍କାଳ ଖୋଳି ବାହାର କରାଗଲା, ବ୍ୟବଚ୍ଛେଦ ରିପୋର୍ଟରେ ହାତୀର ମୃତ୍ୟୁ କେଉଁ ସମୟରେ ହୋଇଥିଲା, ସେଇ ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟବଚ୍ଛେଦ କରିଥିଲେ ଓୟୁଏଟି ଭେଟେରିନାରୀ କଲେଜର ନୂଆ ଡିନ୍ ପ୍ରଫେସର ଡାକ୍ତର ସୁଷେନ୍ କୁମାର ପଣ୍ଡା । ତାଙ୍କ ରିପୋର୍ଟରେ ହାତୀ ମୃତ୍ୟୁର ସମୟ ଜଣା ପଡିବା ପରେ, କେଉଁ ଡିଏଫଓଙ୍କ ସମୟରେ ବାରାସିଙ୍ଘା ବିଟରେ ହାତୀକୁ ପୋତା ଯାଇଥିଲା, ତାହା ସ୍ପଷ୍ଟ ହେବ । ସେଇ ରିପୋର୍ଟକୁ ଭିତ୍ତି କରି ହୁଏତ ଏସଟିଏଫ ତାର ଗିରଫଦାରି ଆରମ୍ଭ କରିପାରେ ବୋଲି ସୂଚନା ମିଳୁଛି । କାରଣ ଆଗରୁ କେଉଁ ସମୟରେ ହାତୀକୁ ପୋତିଥିଲେ ଏନେଇ ୫ ଜଣ ୱାଚରଙ୍କ ସହିତ, ନିଲମ୍ବିତ ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ମଧ୍ୟ ଜମାନବନ୍ଦୀ ଦେଇଛନ୍ତି । ଯଦି ସେମାନଙ୍କ ସ୍ଵୀକାରୋକ୍ତି ସମୟ ସହ ଭେଟେରିନାରୀ ଡିନଙ୍କ ରିପୋର୍ଟରେ ଥିବା ହାତୀ ମୃତ୍ୟୁ ସମୟ ମେଳ ନଖାଇବ, ତେବେ ସାଂଘାତିକ ଆଇନଗତ ସମସ୍ୟା ସୃଷ୍ଟି ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ । ହୁଏତ ସଠିକ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଛାଡ ପାଇଯିବେ, ନହେଲେ ଅଭିଯୁକ୍ତଙ୍କୁ ଖସାଇବାକୁ କାମ କରିବା ନେଇ କୋର୍ଟ ତାଙ୍କ ବିରୁଦ୍ଧରେ ମଧ୍ୟ ଆବେଟମେଣ୍ଟ ଦଫା ଲଗେଇବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ।
ସୂଚନା ଥାଉକି, ଆଜି ପର୍ୟ୍ୟନ୍ତ ରାଜ୍ୟରେ କୌଣସି ଭେଟେରୀନାରୀ ଡାକ୍ତର କେବେ ହେଲେ ବି କୋର୍ଟ ରୁମରେ ବିଚାରପତିଙ୍କ ପ୍ରଶ୍ନ ବା ପ୍ରତିପକ୍ଷ ଓକିଲଙ୍କ ଜେରାର ସମ୍ମୁଖୀନ ହୋଇ ନାହାନ୍ତି ।

Comments are closed, but trackbacks and pingbacks are open.