Latest Odisha News

BREAKING NEWS

କମିସନରେଟ୍ ପୋଲିସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ପୋଲିସ କମିସନରେଟ ମୁଖ୍ୟାଳୟ ତରଫରୁ ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପୋଲିସ ସେବା ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଦ୍ଵୈତନଗରୀର ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଡ଼ିସିପି ଭୁବନେଶ୍ୱର, ଡ଼ିସିପି କଟକ, ଡ଼ିସିପି ଟ୍ରାଫିକ ଓ ଡ଼ିସିପି କମିସନରେଟ ମୁଖ୍ୟାଳୟ ପ୍ରମୁଖଙ୍କ ସହିତ ଗାଳ୍ପିକା ସୁକାମିନୀ ନନ୍ଦ, କ୍ରୀଡାବିତ ଅନୁରାଧା ବିଶ୍ୱାଳ ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଦିବସର ମହତ୍ଵ ଉପରେ ଆଲୋକପାତ କରିବା ସହିତ ଲିଙ୍ଗଗତ ବୈଷମ୍ୟ ଦୂର କରି ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ନାରୀ ମାନଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସଭାରେ ଭୁବନେଶ୍ବର କଟକରେ କାର୍ୟ୍ୟରତ ମହିଳା ପୋଲିସ ଅଧିକାରୀମାନଙ୍କ ସହ ଭୁବନେଶ୍ବରର ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସଂସ୍ଥାମାନକରେ କମିଶନରେଟ୍ ତରଫରୁ ନିଯୁକ୍ତ ହୋଇଥିବା ସ୍ପେଶାଲ ପୋଲିସ ଅଫିସରମାନେ ଯୋଗ ଦେଇଥିଲେ।

ଭୁବନେଶ୍ୱର ଓ କଟକରେ କାର୍ୟ୍ୟରତ ବିଭିନ୍ନ ପଦବୀର ମହିଳା ଅଧିକାରୀମାନଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ମହିଳା ପୁଲିସମାନଙ୍କର ଏକ ବାଇକ ରାଲି ପୋଲିସ ସେବା ଭବନ ପରିସରରୁ ବାହାରି ଇନ୍ଫୋସିଟି ଥାନାରେ ଶେଷ ହୋଇଥିଲା ।

ପ୍ରତି ଛକରେ ମହିଳା ପୋଲିସ ଅଧିକାରୀମାନେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବାବଦରେ ସଚେତନ କରିବା ସହିତ ନିୟମ ଖିଲାପକାରୀମାନଙ୍କଠାରୁ ଜୋରିମାନା ଅଦାୟ କରିଥିଲେ । ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ସହରାଞ୍ଚଳର ପୁଲିସ ଜିଲ୍ଲାରେ ୦୭ ଜଣ ମହିଳା ଇନ୍ସପେକ୍ଟର, ୩୭ ଜଣ ମହିଳା ସବ-ଇନ୍ସପେକ୍ଟର, ୨୧ ଜଣ ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର, ୦୨ ଜଣ ମହିଳା ହାବିଲଦାର ଓ ୩୪୬ ଜଣ ମହିଳା କନଷ୍ଟେବଳ କାର୍ୟ୍ୟରତ ଅଛନ୍ତି ।

Comments are closed, but trackbacks and pingbacks are open.