ନୂଆଦିଲ୍ଲୀ: ପୃଥିବୀରେ ଜୀବନ ସଞ୍ଚାର ଅମ୍ଳଜାନ ଉପରେ ଆଧାରିତ । ଯେହେତୁ ଅନ୍ୟ ଗ୍ରହଙ୍କ ଅପେକ୍ଷା ପୃଥିବୀରେ ଅମ୍ଳଜାନର ପରିମାଣ ବେଶୀ, ତେଣୁ ଏଠାରେ ଜୀବଜନ୍ତୁ ବାସ କରିପାରନ୍ତି । ପୃଥିବୀରେ ଜୀବନର ଆଧାର ହେଉଛି ଅମ୍ଳଜାନ ଯାହା ଆମକୁ ନିଶ୍ୱାସ ନେବା ଏବଂ ବଞ୍ଚିବାର ଶକ୍ତି ପ୍ରଦାନ କରେ । କିନ୍ତୁ କ’ଣ ହେବ ଯଦି ଏହି ଅମ୍ଳଜାନ ହିଁ ପୃଥିବୀରୁ ଶେଷ ହୋଇଯିବ? ଜୀବଶୂନ୍ୟ ହୋଇଯିବ ପୂରା ପୃଥିବୀ ।
ଏହି ଦିନ ସରିଯିବ ଅମ୍ଳଜାନ….
ଏନେଇ ଏବେ ଡରାଇଲାଣି ନାସା । ଯାହା ପୃଥିବୀର ଭବିଷ୍ୟତ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। ନାସାର ଏକ ସଦ୍ୟତମ ରିପୋର୍ଟ ପୃଥିବୀରୁ ଜୀବନ ଶେଷ ହେବା ନେଇ ଚେତାବନୀ ଦେଇଛି । ଖାଲି ସେତିକି ନୁହେଁ, ଏନେଇ ଏକ ଧାର୍ଯ୍ୟ ତାରିଖ ବି ଦେଇଛି ନାସା । ସମ୍ପ୍ରତି, ନାସା ଏବଂ ଜାପାନର ଟୋହୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଗବେଷଣା ପ୍ରକାଶ କରିଛନ୍ତି । ବୈଜ୍ଞାନିକଙ୍କ ମତରେ, ପ୍ରାୟ ଏକ ବିଲିୟନ ବର୍ଷ ପରେ, ପୃଥିବୀର ଅମ୍ଳଜାନ-ସମୃଦ୍ଧ ବାୟୁମଣ୍ଡଳ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ, ଯାହା ଜୀବନର ଅସ୍ତିତ୍ୱକୁ ଅସମ୍ଭବ କରିଦେବ। ୪ ଲକ୍ଷ ସିମୁଲେସନ ଆଧାରରେ ବୈଜ୍ଞାନିକମାନେ ଏହି ଆକଳନ କରିଛନ୍ତି । ପୃଥିବୀର ଅମ୍ଳଜାନ-ସମୃଦ୍ଧ ବାୟୁମଣ୍ଡଳରେ ଏହାର ମୋଟ ଜୀବନକାଳର ଆଉ କେବଳ ୨୦ ରୁ ୩୦ ପ୍ରତିଶତ ବାକି ଅଛି ।
ବନ୍ଦ ହୋଇଯିବ ଅମ୍ଳଜାନ ଉତ୍ପାଦନ…
ସୂର୍ଯ୍ୟ ବୟସ ବଢିବା ସହିତ ଏହା ଅଧିକ ଉତ୍ତପ୍ତ ଏବଂ ଅଧିକ ଉଜ୍ଜ୍ୱଳ ହେବ । ଯାହା ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧି କରିବ, ମହାସାଗରର ଜଳ ବାଷ୍ପୀଭୂତ ହେବ ଏବଂ କାର୍ବନ ଚକ୍ର ଦୁର୍ବଳ ହେବ । ଯେଉଁଥିରେ କାର୍ବନ ଡାଇଅକ୍ସସାଇଡ ବା ଅଙ୍ଗାରକାମ୍ଳର ପରିମାଣ ହ୍ରାସ ପାଇବ । ଏହି ପ୍ରକ୍ରିୟାରେ, ଅମ୍ଳଜାନର ମୁଖ୍ୟ ଉତ୍ସ ଥିବା ଉଦ୍ଭିଦଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯିବ । ଯାହା ଆଲୋକଶ୍ଲେଷଣ ପ୍ରକ୍ରିୟାକୁ ବାଧା ଦେବା ବେଳେ ଅମ୍ଳଜାନ ଉତ୍ପାଦନ ମଧ୍ୟ ବନ୍ଦ ହୋଇଯିବ। ଆଉ ପୃଥିବୀର ଜୈବମଣ୍ଡଳ ଅତ୍ୟଧିକ ଗରମ ଏବଂ କାର୍ବନ ଡାଇଅକ୍ସସାଇଡ ଅଭାବ ଯୋଗୁଁ ଦୁଇ ବିଲିୟନ ବର୍ଷ ମଧ୍ୟରେ ଶେଷ ହୋଇଯିବ ଜୀବନ ।
ଗଣନା ଅନୁଯାୟୀ, ଏହି ପୃଥିବୀରେ ୯୯ କୋଟି ୯୯ ଲକ୍ଷ ୯୯ ହଜାର ୯୯୬ ବର୍ଷ ପାଇଁ ଜୀବନ ଅତ୍ୟନ୍ତ କଷ୍ଟକର ହୋଇଯିବ । ୧୦୦୦ ଲକ୍ଷ ୨ ହଜାର ୨୧ ବର୍ଷ ସୁଦ୍ଧା, ଏହି ପୃଥିବୀରୁ ଜୀବନର ସମସ୍ତ ଚିହ୍ନ ଲୋପ ପାଇଯିବ । ଏହି ପରିସ୍ଥିତି କେବଳ ମଣିଷ ପାଇଁ ନୁହେଁ ବରଂ ଅଧିକାଂଶ ଅମ୍ଳଜାନ-ନିର୍ଭରଶୀଳ ଜୀବଙ୍କ ପାଇଁ ମଧ୍ୟ ଘାତକ ହେବ । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏପରି ପରିସ୍ଥିତିରେ କେବଳ କିଛି ଦୃଢ଼ ସୂକ୍ଷ୍ମଜୀବ ବଞ୍ଚିପାରିବେ, ଯେଉଁମାନେ କମ୍ ଅମ୍ଳଜାନ ଥିବା ପରିବେଶରେ ବଞ୍ଚିପାରୁଥିବେ । ଯଦିଓ ଏହି ସମୟ ବହୁତ ଦୂରରେ, କିନ୍ତୁ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଅନ୍ତ ନିଶ୍ଚିତ। ସୂର୍ଯ୍ୟର ଉତ୍ତାପ ଏବଂ ପରିବେଶଗତ ପରିବର୍ତ୍ତନକୁ ବନ୍ଦ କରିବା ପ୍ରାୟ ଅସମ୍ଭବ। ତଥାପି କିଛି ବୈଜ୍ଞାନିକ କୁହନ୍ତି ଯେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି ବିନାଶକୁ ଏଡାଯାଇପାରିବ।
Comments are closed.