Latest Odisha News

BREAKING NEWS

ଅଗଷ୍ଟ କ୍ରାନ୍ତି ଦିବସ: ଆଜିର ଦିନରେ ସ୍ୱାଧୀନତା ଲାଗି ଶଙ୍ଖନାଦ କରିଥିଲେ ଗାନ୍ଧିଜୀ

ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ଅନେକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ମୂଳଦୁଆ ପକାଇଥିଲେ।

ଖାସକରି ଏହିଦିନକୁ ମନେ ରଖିବା ତଥା ସ୍ୱାଧିନତା ପାଇଁ ନିଜ ପ୍ରାଣର ଆହୁତି ଦେଇଥିବା କ୍ରନ୍ତିକାରୀମାନଙ୍କ ସ୍ମରଣ ଲାଗି ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ‘ଅଗଷ୍ଟ କ୍ରାନ୍ତି ଦିବସ’ ତଥା‘ଭାରତ ଛାଡ ଆନ୍ଦୋଳନ’ ଭାବେ ପାଳନ କରାଯାଇଥାଏ। ତେବେବି ଏହିଦିନ ସମ୍ପର୍କରେ ପ୍ରାୟ ଅନେକ ବ୍ୟକ୍ତି ଅଜଣା ଥିବେ।

କୁହାଯାଏ, ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ଲାଗି ଜାତିର ପିତା ମହାତ୍ମା ଗାନ୍ଧୀ ଆଜିର ଦିନରେ ହିଁ ଶଙ୍ଖନାଦ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ବ୍ରିଟିଶ୍ ସରକାରଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିଲା ।

୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ସହାୟତା ଲୋଡି ଇଂରେଜମାନେ ଭାରତକୁ ମୁକ୍ତ କରିବେ ବୋଲି ପ୍ରତିଜ୍ଞା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ କଥାରୁ ଓହରି ଯାଇଥିଲେ। ଯାହାଫଳରେ ଇଂରେଜଙ୍କ ଠାରୁ ସ୍ୱାଧିନତା ଛଡାଇ ଆଣିବା ଲାଗି ସେତେବେଳେ ଗାନ୍ଧିଜୀ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ।

୧୯୪୨ ମସିହାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସମିତି ପକ୍ଷରୁ ଏହି ପ୍ରସ୍ତାବକୁ ପାରିତ କରାଯାଇଥିଲା। ଏସମ୍ପର୍କରେ ଜାଣିପାରି ଇଂରେଜମାନେ ଗାନ୍ଧିଜୀଙ୍କୁ ପୁନେର ଆଗା ଖାଁ ପ୍ୟାଲେସର ବନ୍ଦୀ କରି ରଖିଥିଲେ, ଖାଲି ସେତିକି ନୁହେଁ ଏହି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯାଇ ସମସ୍ତ ନେତା, ଅନ୍ୟ କ୍ରାନ୍ତିକାରୀ ଏବଂ ସଂଗ୍ରାମୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ତେବେ ସେହି ସମୟରେ ଇଂରେଜଙ୍କ କବଳରୁ ବର୍ତ୍ତି ଯାଇଥିବା ଅନ୍ୟଜଣେ କ୍ରାନ୍ତିକାରୀ ଯୁବନେତ୍ରୀ ଅରୁଣା ଆସିଫ ଅଲ୍ଲୀ ୧୯୪୨ ଅଗଷ୍ଟ ୯ ତାରିଖରେ ମୁମ୍ବାଇର ଗ୍ଵାଲିଆ ଟ୍ୟାଙ୍କ ମଇଦାନରେ ତ୍ରିରଙ୍ଗା ଉଡାଇ ଭାରତ ଛାଡ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ। ଅପରପକ୍ଷରେ ବନ୍ଦୀ ହେବାର କିଛିଦିନ ପରେ ଗାନ୍ଧିଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଇଂରେଜମାନେ ତାଙ୍କୁ ମୁକ୍ତ କରିଦେଇଥିଲେ ।

ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣା କରିଥିଲା ଏବଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଯୋଗୁଁ ଅଣ୍ଟା ସଳଖି ପାରୁନଥିବା ଇଂରେଜ ମାନଙ୍କର ଅସ୍ତିତ୍ୱକୁ ଏହା ଏକପ୍ରକାର ଦୋହଲାଇ ଦେଇଥିଲା ।

ପରିଶେଷରେ ଗାନ୍ଧିଜୀଙ୍କ ନେତୃତ୍ୱରେ ସମଗ୍ର ଭାରତୀୟ ଇଂରେଜମାନଙ୍କୁ ବିତାଡିତ କରିବା ପାଇଁ ଏକଜୁଟ ହୋଇଥିଲେ। ଫଳରେ ବ୍ରିଟିଶ ସରକାର ଦେଶ ଛାଡିବାକୁ ବାଧ୍ୟ ହୋଇଥିବା ବେଳେ ଅଗଷ୍ଟ ୧୫ ତାରିଖରେ ଭାରତବାସୀ ପ୍ରଥମକରି ସ୍ୱାଧୀନତାର ସ୍ୱାଦ ଚାଖିଥିଲେ ।

ଆହୁରି ମଧ୍ୟ ଯେଉଁ ମଇଦାନରୁ ଏହି କ୍ରାନ୍ତି ଆରମ୍ଭ ହୋଇଥିଲା ମୁମ୍ବାଇର ସେହି ମଇଦାନ ‘କ୍ରାନ୍ତି ମଇଦାନ’ ଭାବେ ବେଶ ଜଣାଶୁଣା। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗାନ୍ଧିଜୀଙ୍କ ଏହି ଆନ୍ଦୋଳନ ଭାରତକୁ ସ୍ୱାଧୀନତା ଦେବାରେ ଉଚିତ ମାର୍ଗ ସାଜିଥିଲା ବୋଲି ଅନେକ ବୁଦ୍ଧିଜୀବି ମତବ୍ୟକ୍ତ କରିଥାନ୍ତି ।

Leave A Reply

Your email address will not be published.