Latest Odisha News

ଜାତୀୟ ଶିକ୍ଷା ଦିବସ: ଜାଣନ୍ତୁ ଏହାର ଇତିହାସ ଓ ମହତ୍ତ୍ୱ

ଭୁବନେଶ୍ୱର: ୧୧ ନଭେମ୍ବରକୁ ପ୍ରତିବର୍ଷ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳନ କରାଯାଏ। ଏହିଦିନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ଦିବସ। ତାଙ୍କ ସମ୍ମାନାର୍ଥେ ୨୦୦୮ ମସିହାରୁ ଏହିଦିନକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳନ କରାଯାଏ।

ମୌଲାନା ଅବୁଲ କଲାମ ଆଜାଦ ଏକା ଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍‍ ଓ ଲେଖକ ଥିଲେ।

ସେ ନିଜ ପରିବାର ସହ ୧୮୯୦ରେ କଲିକତା ଫେରିଲେ । ଆଜାଦ ନିଜ ଘରେ ନିଜସ୍ୱ ଉଦ୍ୟମରେ ଶିକ୍ଷା ସମ୍ପନ୍ନ କରିଥିଲେ । ସେ ଉର୍ଦ୍ଦୁ, ହିନ୍ଦୀ, ପାର୍ଶୀ, ବଙ୍ଗଳା, ଆରବୀ ତଥା ଇଂରାଜୀ ଭଳି ଅନେକ ଭାଷା ଶିକ୍ଷା କରିଥିଲେ ।ଏହା ଛଡା ଘରୋଇ ଶିକ୍ଷକଙ୍କ ସହାୟତାରେ ସେ ବିଶ୍ୱ ଇତିହାସ, ବିଜ୍ଞାନ, ଦର୍ଶନ ଓ ଗଣିତ ଭଳି ଅନେକ ବିଦ୍ୟା ମଧ୍ୟ ଶିକ୍ଷା କରିଥିଲେ ।

ମାତ୍ର ୧୨ ବର୍ଷ ବୟସରେ ଜଣେ ଉତ୍ସୁକ ତଥା ଦୃଢ ନିଶ୍ଚିତ ଛାତ୍ର ଭାବେ ସେ ନିଜ ଘରେ ଏକ ପଢା ବଖରା ସହିତ ଏକ ପାଠାଗାର ଏବଂ ଏକ ଡିବେଟିଂ ସୋସାଇଟି ଚଳାଇବା ସହ “ମଖଜାନ” ନାମକ ସାହିତ୍ୟ ପତ୍ରିକାକୁ ତାଙ୍କ ଲେଖା ପ୍ରକାଶ ପାଉଥିଲା ।

କେବଳ ସେତିକି ନୁହେଁ ନିଜ ଘରେ ସେ ଏଭଳି ଅନେକ ଛାତ୍ରଙ୍କୁ ପାଠ ପଢାଉଥିଲେ ଯେଉଁମାନଙ୍କ ବୟସ ମୌଲାନଙ୍କ ବୟସର ଦୁଇଗୁଣ ଥିଲା । ମାତ୍ର ୧୬ ବର୍ଷ ବୟସରେ ସେ ପାରମ୍ପରିକ ଶିକ୍ଷା ସମାପ୍ତ କରି ଏକ ପତ୍ରିକା ପ୍ରକାଶ କରିଥିଲେ । ୧୯୦୦ ମସିହା ବେଳକୁ ଏକ କାବ୍ୟିକ ପତ୍ରିକାର ପ୍ରକାଶନ ସହ ଏକ ସାପ୍ତହିକ ପତ୍ରିକା (Al-Misbah)ର ସଂପଦନା ଦାୟୀତ୍ୱ ମଧ୍ୟ ତୁଲାଉଥିଲେ । ୧୯୦୩ ମସିହାରେ ସେ ଏକ ମାସିକ ପତ୍ରିକା (Lissan-us-Sidq) ପ୍ରକାଶ କଲେ ଯାହାକି ଅତ୍ୟନ୍ତ ଲୋକପ୍ରିୟ ହେଲା।

୧୩ ବର୍ଷ ବୟସରେ ସେ ଏକ ମୁସଲିମ ଝିଅ ଜୁଲାଇଖା ବେଗମକୁ ବିବାହ କଲେ । ମୁସଲିମ ଧର୍ମ ଗ୍ରନ୍ଥ କୋରାନର ବ୍ୟାଖ୍ୟା କରିବାକୁ ଯାଇ ସେ ଅନେକ ଗ୍ରନ୍ଥ ରଚନା କରିଯାଇଛନ୍ତି ।

ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଶିକ୍ଷା ମନ୍ତ୍ରୀ ଥିବା ସମୟରେ ସେ ଜାତୀୟ ଶିକ୍ଷା ନୀତିର ସ୍ଥାପନା କାରିଥିଲେ। ପ୍ରାଥମିକ ଶିକ୍ଷାର ଅଗ୍ରଗତି ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ୧୯୯୨ ମସିହାରେ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭାରତର ସ୍ୱାଧୀନତା ପରେ ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସ୍ଥାପନା କରିଥିଲେ।

Comments are closed.