ଚେନ୍ନାଇ: ଚଳିତ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ପୁଲ ବିରେ ସ୍ଥାନ ପାଇଥିବା ଓଡିଶା କ୍ରମାଗତ ୨ଟି ମ୍ୟାଚରେ ବିଜୟ ହାସଲ କରି ନକଆଉଟ ପ୍ରବେଶର ନିକଟତର ହୋଇଛି । ପ୍ରଥମ ମ୍ୟାଚରେ ଓଡିଶା ୧୧-୧ରେ ରାଜସ୍ଥାନକୁ ପରାସ୍ତ କରିଥିଲା । ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୬-୨ରେ ପୁଡୁଚେରୀକୁ ପରାସ୍ତ କରିଛି । ଏହି ମ୍ୟାଚରେ ଓଡିଶାର ଖେଳାଳିମାନେ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିଲେ ।
ବିଜୟୀ ଦଳ ପକ୍ଷରୁ ଅମନଦୀପ ଲାକ୍ରା(୧୧ତମ), ନୀଲମ ସଞ୍ଜୀପ ଖେସ(୧୮ତମ), ସୁଦୀପ ଚିରମାକୋ(୩୪ତମ), ପ୍ରତାପ ଲାକ୍ରା(୩୭ତମ), ରଜତ ଆକାଶ ତିର୍କୀ(୪୩ତମ) ଓ କେରୋବିନ ଲାକ୍ରା ୫୫ତମ ମିନିଟରେ ଗୋଲ ସ୍କୋର କରିଥିଲେ । ପୁଡୁଚେରୀ ତରଫରୁ ନବୀନ କୁଜର ଓ ଟି ଅରୁଣ କୁମାର ଗୋଲ ଦେଇଥିଲେ । ଓଡିଶା ତାର ଶେଷ ଲିଗ ମ୍ୟାଚରେ ନଭେମ୍ବର ୧୦ରେ ଅରୁଣାଚଳପ୍ରଦେଶକୁ ଭେଟିବ । ଏଥିରେ ବିଜୟ ହାସଲ କରି ଓଡିଶା ଗ୍ରୁପ ଶୀର୍ଷରେ ରହିବା ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବ ।