Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାଜ୍ୟର ନାମୀ ଖେଳାଳି ଏବେ ଦିନ ମଜୁରୀଆ ଆଉ ପାଇପ୍ ମିସ୍ତ୍ରୀ !

ରାଉରକେଲା  : ରାଜ୍ୟର ନାମୀ ଖେଳାଳି ଏବେ ପାଲଟିଛନ୍ତି ଦିନ ମଜୁରୀଆ ଆଉ ପାଇପ୍ ମିସ୍ତ୍ରୀ  ।  ଏମାନେ ହେଲେ ରାଉରକେଲା ର ତୁଳସୀ ଏକ୍କା ଓ କିଶୋର ତନ୍ତୀ । ତୁଳସୀ ଜଣେ ଉଚ୍ଚକୋଟିର ରକ୍ଷଣ ଭାଗ ଖେଳାଳି ଥିଲାବେଳେ କିଶୋର ଥିଲେ ଜଣେ ଦକ୍ଷ ମିଡଫିଲ୍ଡର । ସମୟ ଥିଲା ଉଭୟେ ପଡିଆକୁ ଓହ୍ଲାଇବା ମାତ୍ରେ ଦର୍ଶକଙ୍କ ତାଳିମାଡରେ କମ୍ପି ଉଠୁଥିଲା ଫୁଟବଲ ପଡିଆ ।

ଏମାନଙ୍କ ବିଚକ୍ଷଣ କ୍ରୀଡା କୌଶଳ ଓ ପ୍ରଦର୍ଶନ ଆଗରେ ହାର ମାନୁଥିଲା ପ୍ରତିପକ୍ଷ ଖେଳାଳିଙ୍କ ରଣକୌଶଳ । ବିଭିନ୍ନ ପ୍ରତିଯୋଗିତାରେ ତୁଳସୀ ଓ କିଶୋର ଙ୍କ ବିଚକ୍ଷଣ ପ୍ରତିଭା ଦେଖି କଟକ ଓ କଲିକତାର ଅନେକ ପ୍ରତିଷ୍ଠିତ କ୍ଳବ ସେମାନଙ୍କୁ ନେବାକୁ ଆଗଭର ହେଉଥିଲେ। ଉଭୟେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଇଁ ଦୀର୍ଘବର୍ଷ ଆନ୍ତଃଜିଲ୍ଲା ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି।

କଟକ ଲିଗରେ ଦୀର୍ଘ ବର୍ଷ ଧରି ଯୋବ୍ରା ଦୁର୍ଗା କ୍ଳବ ପାଇଁ ଖେଳିବା ସହ ତୁଳସୀ କଲିକତା ଲିଗରେ ମଧ୍ୟ ଦୁଇଟି ପ୍ରତିଷ୍ଠିତ କ୍ଳବ ପାଇଁ ଖେଳିଛନ୍ତି। ଉଭୟେ ସମ୍ମାନଜନକ ସନ୍ତୋଷ ଟ୍ରଫି ପ୍ରତିଯୋଗିତାରେ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିବା ସତ୍ତ୍ୱେ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳିନଥିଲା । ଫଳରେ ପରିବାର ପ୍ରତିପୋଷଣ ପାଇଁ ସେମାନେ ଖେଳ ଛାଡି ଦିନ ମଜୁରିଆ ବେଉଷାକୁ ବାଛିନେଇଥିଲେ ।

ସେହିଭଳି ଆଉଜଣେ ଉଦୀୟମାନ ତଥା ଉଚ୍ଚକୋଟିର ଖେଳାଳି ଶଙ୍ଖ ମାରାଣ୍ଡି ପ୍ରୋତ୍ସାହନ ଅଭାବରୁ କ୍ରୀଡା ପ୍ରତି ବିମୁଖ ହୋଇ ଶେଷରେ ରଙ୍ଗମିସ୍ତ୍ରୀ କାମକୁ ଆବୋରି ନେବାକୁ ବାଧ୍ୟହୋଇଥିଲେ  । ରାଜ୍ୟରେ କ୍ରୀଡା ଭିତ୍ତିଭୂମି ସଜାଡ଼ିବା ପାଇଁ ଶହଶହ କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଯେଉଁମାନେ ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣୁଛନ୍ତି ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ  ପକ୍ଷରୁ କୌଣସି ଅନୁମ୍ପା ନାହିଁ।

କେବଳ ତୁଳସୀ ଏକ୍କା, କିଶୋର ତନ୍ତୀ କିମ୍ବା ଶଙ୍ଖ ମାରାଣ୍ଡି ନୁହଁନ୍ତି, ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ଜିଲ୍ଲା ଓ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ସତ କିନ୍ତୁ, ଛୋଟମୋଟ ଚାକିରୀ ଖଣ୍ଡେ ନପାଇ ସେମାନେ ଏବେ ଜୀବନ ଜୀବିକା ପାଇଁ ସଂଘର୍ଷ କରିଚାଲିଛନ୍ତି ।

 

 

Leave A Reply

Your email address will not be published.