Latest Odisha News

BREAKING NEWS

ସମୁଦ୍ରକୁ ଗଲେ କୋଟି କୋଟି ଅଲିଭ ରିଡଲେ କଇଁଛ

କେନ୍ଦ୍ରାପଡା : ସମୁଦ୍ରକୁ ଗଲେ ଅଲିଭରିଡଲେ କଇଁଛ ଶାବକ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସେମାନଙ୍କୁ ସମୁଦ୍ର ଭିତରକୁ ଛଡାଯାଉଛି । କେନ୍ଦ୍ରାପଡା ଜିଲ୍ଲା ଗହିରମଥାର ନାସୀ-୨ ବେଳାଭୂମିରୁ କଇଁଛ ଛୁଆଙ୍କୁ ସମୁଦ୍ର ଯାତ୍ରାର ଦୃଶ୍ୟ ଆସିଛି । ପ୍ରାୟ ୨ କୋଟି ୫ ଲକ୍ଷରୁ ଅଧିକ କଇଁଛ ଶାବକଙ୍କୁ ସମୁଦ୍ରରେ ଛାଡିଛି ବନ ବିଭାଗ ।

ବେଳାଭୂମିରେ ମନୋରମ ଦୃଶ୍ୟ । ସୂର୍ଣ୍ଣିମ ଆକାଶ ତଳେ ସମୁଦ୍ର କୂଳରେ କୋଟି କୋଟି ଅଲିଭରିଡଲେ କଇଁଛ ଶାବକଙ୍କ ଗହଳି । ସମୁଦ୍ରର ଢେଉ ଏମାନଙ୍କୁ ନେଇ ଯାଉଛି ନିଜ କୋଳକୁ । ଶୀତଳ ସଂଧ୍ୟାରୁ କଅଁଳ ସକାଳ ଭିତରେ ଏମାନେ ଖୁବ୍ ଆନନ୍ଦରେ ମାଡି ଯାଉଛନ୍ତି ଗଭୀର ସମୁଦ୍ରକୁ । ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଗହୀରମଥାର ନାସୀ-୨ ବେଳାଭୂମିରୁ ପ୍ରାୟ ୨ କୋଟି ୫ ଲକ୍ଷରୁ ଅଧିକ କଇଁଛ ଶାବକ ସାମୁହିକ ଭାବେ ସମୁଦ୍ରକୁ ଯାଇ ସାରିଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ।

୩ ଦିନ ହେଲା କଇଁଛ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯିବା ପ୍ରକ୍ରିୟା ଜାରି ରହିଛି । ଏହାରି ଭିତରେ ସମୁଦ୍ରକୁ ଗଲେଣି ୨ କୋଟି ୫ ଲକ୍ଷରୁ ଅଧିକ କଇଁଛ ଶାବକ । ଏହି ପକ୍ରିୟା ଆଉ ୬/୭ ଦିନ ଧରି ଚାଲିବ । ଚଳିତବର୍ଷ ମାର୍ଚ୍ଚ ୨୩ରୁ ୨୮ ତାରିଖ ମଧ୍ୟରେ ନାସୀ-୨ ଦ୍ୱୀପରେ ୫ ଲକ୍ଷ ୧ହଜାର କଇଁଛ ଗଣଅଣ୍ଡାଦାନ କରିଥିଲେ । ମାଆ କଇଁଛ କୂଳ ଠାରୁ ଦୂରକୁ ଆସି ଫୁଟେରୁ ଦେଢ ଫୁଟ ଗାତ ଖୋଳି ଅଣ୍ଡା ଦେଇଥାନ୍ତି ।

ଗୋଟିଏ କଇଁଛ ୧୦୦ରୁ ଅଧିକ ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେଇ ସାରିବା ପରେ ଗାତ ଖୋଳି ଅଣ୍ଡାକୁ ବାଲିରେ ଘୋଡାଇ ପୁଣି ସମୁଦ୍ରକୁ ଚାଲି ଯାଏ ମାଆ କଇଁଛ । ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡା ଗୁଡିକ ଆପେ ଆପେ ୪୫ରୁ ୬୦ ଦିନ ମଧ୍ୟରେ ଫୁଟିଥାଏ ।

ଏହାପରେ କଇଁଛ ଶାବକ ଗାତରୁ ବାହାରି ସିଧା ସମୁଦ୍ର ଆଡକୁ ଯାଇଥାନ୍ତି । ସଂଧ୍ୟାରୁ ଭୋର ଯାଏଁ କଇଁଛ ଶାବକ ଗାତରୁ ବାହାରି ସମୁଦ୍ରକୁ ଯାଇଥାନ୍ତି । ରାତିର ଅନ୍ଧାର ସମୟରେ ହିଁ ବିରଳ କଇଁଛ ଶାବକଙ୍କ ସମୁଦ୍ରକୁ ଯିବାର ବିରଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଗହିରମଥାରେ ଏବେ ଏହି ପ୍ରକ୍ରିୟା ଜାରି ରହିଛି ।

Leave A Reply

Your email address will not be published.