Latest Odisha News

BREAKING NEWS

ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଆରମ୍ଭ 

ଭୁବନେଶ୍ଵର;  ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବ-ଭାରତୀୟ ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ  ତିନିଦିନ ଧରି ଚାଲିବ। ପ୍ରତିଯୋଗିତାରେ ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା ଚାରୋଟି ପ୍ରାୟୋଗିକ ବହୁଦେଶୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି।
ସୂଚନା ଅନୁଯାୟୀ, କାର୍ଯ୍ୟକ୍ରମର ଆଜି ଉଦଘାଟନୀ ଉତ୍ସବରେ ଆଇଏମଏମଟିର ନିର୍ଦ୍ଦେଶକ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ରାମାନୁଜ୍ ନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଏହି ଉତ୍ସବକୁ “କିଶୋର ଭାରତ” ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସଫଳ ରୂପାୟନ ଦିଗରେ ଏହା ସହାୟକ ହେବ ବୋଲି ଆଶା କରିଥିଲେ। ଭାରତର ଲୋକ ସଂସ୍କୃତି ଓ ପରଂପରାର ଉଚ୍ଚ ପ୍ରଶଂସା କରି ପ୍ରତି ପର୍ବପର୍ବାଣି ସହ ବିଜ୍ଞାନର ସଂପର୍କ ଥିବା କହିଥିଲେ। ଏନସିଇଆରଟିକୁ ଜ୍ଞାନର ଗନ୍ତାଘର ଭାବେ ବର୍ଣ୍ଣନା କରି ଜୀବନରେ ସଫଳତା ହାସଲ କରିବାକୁ ହେଲେ ଇଣ୍ଟରନେଟ୍ କି ମୋବାଇଲ ବଦଳରେ ଏନସିଇଆରଟି ବହି ସହ ବନ୍ଧୁତା କରିବା ଉଚିତ। ବହୁଭାଷୀ ଦେଶ ଭାରତବର୍ଷରେ ପାଞ୍ଚ କୋଶରେ ପାଣି ଓ ଆଠ କୋଶରେ ଭାଷା ବଦଳୁଛି। ନୃତ୍ୟଗୀତ ଯେଉଁ ଅଞ୍ଚଳର ବା ଭାଷାର ହେଉ ଏହାକୁ ଅନୁଭବ କରିହୁଏ।  ଜାତୀୟ ଶିକ୍ଷାନୀତି-୨୦୨୦ର ଦୃଷ୍ଟାନ୍ତ ଦେଇ ଶିକ୍ଷାର ମୂଳ ଉଦ୍ଦେଶ୍ୟ ସାଧନ ଶୀତତାପ ନିୟନ୍ତ୍ରିତ ବିଳାସବ୍ୟସନ ଭରା କୋଠାବାଡ଼ିରେ ନଥାଏ। ଏହା ନିଷ୍ଠା ଓ ଶୃଙ୍ଖଳାରେ ମିଳେ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ପିଲାମାନଙ୍କ ପାଇଁ ମା ସବୁଠୁ ବଡ଼ ବୈଜ୍ଞାନିକ।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ଅଗ୍ରୱାଲ ନିଜ ସଭାପତି ଅଭିଭାଷଣରେ ଏନସିଇଆରଟିର ଲକ୍ଷ୍ୟ ଓ ଆଭିମୁଖ୍ୟର ମହକ ବିଚ୍ଛୁରିତ କରିବା ଦିଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ବୋଲି ସେ କହିଥିଲେ। ଶେଷରେ ପ୍ରତିଷ୍ଠାନର ଡିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଦେଇଥିଲେ।
ଏହି ଉତ୍ସବରେ ଏନସିଇଆରଟି ସଂଯୋଜକ ଡକ୍ଟର ବିଜୟ କୁମାର ମଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡ଼କ୍ଟର ହରିଶ କୁମାର ମିନା କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ।
Leave A Reply

Your email address will not be published.