Latest Odisha News

BREAKING NEWS

ଭୁବନେଶ୍ୱର ଚାରା ଦୁର୍ନୀତିର ଅଭିଯୁକ୍ତମାନେ କେବେ ବନ୍ଧା ହେବେ?

ଭୁବନେଶ୍ଵର; ଭୁବନେଶ୍ୱରରେ ଗଛ ଲଗାଇବାରେ ୭ କୋଟି ଟଙ୍କାର ଦୁର୍ନୀତି ଏବେ ସାମନାକୁ ଆସିଛି। ହକି ବିଶ୍ୱକପ୍ ସମୟରେ ସୌନ୍ଦର୍ଯ୍ୟକରଣ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ସବୁ ଅଣଓଡ଼ିଆ ଅଫିସରଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ କରାଯାଇଛି। ହକି ବିଶ୍ୱକପ୍ ସମୟରେ ଲାଗିଥିବା ଗଛମାନଙ୍କର ଚିହ୍ନ ବର୍ଣ୍ଣ ଏବେ ନାହିଁ। ଏଭଳି ଦୁର୍ନୀତିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ କରିବା ଦରକାର ବୋଲି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି। 

 

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ବାଳ ଏହି କେଳେଙ୍କାରୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ପାଦଠାରୁ ମୁଣ୍ଡ ଯାଏ ଦୁର୍ନୀତିରେ ବୁଡ଼ିଛନ୍ତି। ଗୋଟିଏ ଗୋଟିଏ ଗଛରେ ରାଜ୍ୟ ସରକାର ୧୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ଯାହା ପ୍ରମାଣିତ କରୁଛି ଯେ, “ନବୀନ ଓଡ଼ିଶା”ରେ ଦୁର୍ନୀତି ଖୁଲମଖୋଲା ଚାଲିଛି। ଗଛଗୁଡ଼ିକ ମଧ୍ୟ ଓଡ଼ିଶାର କୌଣସି ନର୍ସରୀରୁ କିଣା ନଯାଇ ବାହାର ରାଜ୍ୟର ନର୍ସରୀରୁ କିଣା ଯାଇଛି। ଏହା ଏକ ଚିନ୍ତାଜନକ ପ୍ରସଂଗ। ଓଡ଼ିଶାରେ ଏତେ ନର୍ସରୀ ଥାଉ ଥାଉ ବାହାର ରାଜ୍ୟର ନର୍ସରୀରୁ ରାଜ୍ୟ ସରକାର କାହିଁକି ଚଢ଼ା ଦରରେ ଗଛ କିଣିଲେ?

 

ଯଦି ଭୁବନେଶ୍ୱରରେ ସରକାର ଏଭଳି ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତି କରିପାରୁଛନ୍ତି ତେବେ ଉପାନ୍ତ ଜିଲ୍ଲାରେ କିଭଳି ଲୁଟପାଟ୍ ହେଉଥିବ ତାହା ଅନୁମେୟ। କେବଳ କାମ୍ପା ଫଣ୍ଡରେ ୫ହଜାର ୯ ଶହ କୋଟିର ଦୁର୍ନୀତି, ଓମ୍ବାଡସିରେ ୬ ହଜାର କୋଟି ଟଙ୍କାର ଦୁର୍ନୀତି, ମହାନଦୀ ସବୁଜ ମିଶନରେ ୧୫୦କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହା ବାଦ୍ ଡିଏମ୍ଏଫ୍ ଫଣ୍ଡରେ ମଧ୍ୟ ବ୍ୟାପକ ପରିମାଣର ଅର୍ଥ ହରିଲୁଟ୍ ଗଛ ଲଗାଇବା ନାଁରେ ହୋଇଛି। ଏ ସମସ୍ତ ଦୁର୍ନୀତିକୁ ମିଶାଇଲେ ଓଡ଼ିଶାରେ ଯେତିକି କୋଟି ଟଙ୍କାର ଦୁର୍ନୀତି ଗଛ ଲଗାଇବାରେ ହୋଇଛି ତାହା ଲାଲୁ ଯାଦବଙ୍କର ଗୋଖାଦ୍ୟ ଚାରା ଦୁର୍ନୀତିକୁ ବଳିଯିବ। ଓଡିଶାରେ ଅଣଓଡ଼ିଆ ଅଫିସରଙ୍କର ଦୁର୍ନୀତିଖୋର ମନୋଭାବ ଓ ଓଡ଼ିଶାକୁ ତଳିତଳାନ୍ତ କରିବାର ଚକ୍ରାନ୍ତ ଓଡ଼ିଶାକୁ ବରବାଦ୍ କରିସାରିଲାଣି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ତେବେ ଏ ସମସ୍ତ ଘଟଣାରେ ନିରପକ୍ଷ ତଦନ୍ତ ହେବା ସହିତ ଯେଉଁମାନେ ଏହି ଚାରା ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ସେମାନେ ଗିରଫ ହୋଇ ଜେଲ୍ ଯିବା ଦରକାର ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ଦାବି କରିଛନ୍ତି।

Leave A Reply

Your email address will not be published.