Latest Odisha News

BREAKING NEWS

ଆଜି ଜାତୀୟ କ୍ରୀଡା ଦିବସ, ମନେ ପଡନ୍ତି ହକି ଯାଦୁଗର ମେଜର ଧ୍ୟାନଚାନ୍ଦ

ଭୁବନେଶ୍ଵର: ଆଜି ଜାତୀୟ କ୍ରୀଡ଼ା ଦିବସ । ଏହା ସହିତ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୂଣ୍ୟ ଜନ୍ମତିଥି । ଅଲିମ୍ପକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ ଅନେକଙ୍କ ପାଇଁ ପ୍ରେରଣା ମଧ୍ୟ । ହକିରେ ଚମତ୍କାର ପ୍ରଦର୍ଶନ ବଳରେ ଭାରତକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ସ୍ଥାନ ଦେଇ ଭାରତକୁ ଏକ ପ୍ରମୁଖ କ୍ରୀଡ଼ା ଶକ୍ତି ଭାବେ ଉଭା କରିଥିଲେ ମେଜର ଧ୍ୟାନଚାନ୍ଦ । ଆଜି ସେହି ମହାନ ହକି କିମ୍ବଦନ୍ତୀଙ୍କ ଜନ୍ମ ଦିବସ । ତେବେ ଚଳିତ ବର୍ଷ ଜାତୀୟ କ୍ରୀଡା ଦିବସର ବିଷୟବସ୍ତୁ ରହିଛି, “ଖେଳ ଏକ ସମାବେଶ ଯାହା ସମାଜକୁ ଫିଟ୍‌ କରିଥାଏ” ।

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ବିପ୍ଳବର ବହ୍ନି ଜାଳିବାକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଇଥାଏ । ୧୯୦୫ ମସିହା ଅଗଷ୍ଟ ୨୯ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ମେଜର ଧ୍ୟାନଚାନ୍ଦ । ହକିରେ ଭାରତକୁ ଅନ୍ତର୍ଜାତୀୟ ମାନ୍ୟତା ଦେଇଥିଲେ ଧାନଚାନ୍ଦ । ଅଲମ୍ପିକ୍ସରେ ଦେଶପାଇଁ ସ୍ବର୍ଣ୍ଣ ପଦକ ଆଣିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମେଜର ଧ୍ୟାନଚାନ୍ଦ, ଫୁଟବଲରେ ପେଲେ ଏବଂ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ ସମାନ ବୋଲି ବିବେଚନା କରାଯାଏ । ଧ୍ୟାନଚାନ୍ଦ ତିନିଥର ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ସେ ହକିରେ ତିନିଥର ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ମେଜର ଧ୍ୟାନଚାନ୍ଦଙ୍କୁ ୧୯୬୫ ମସିହାରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।

୧୯୨୮ରୁ ଅଲମ୍ପିକ୍ସରେ ଭାରତର ସ୍ବର୍ଣ୍ଣ ଅଭିଯାନ ଆରମ୍ଭ ହୋଇଥିଲା ଯାହା ୧୯୮୦ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ହକିରେ ମୋଟ ୮ଟି ସ୍ବର୍ଣ୍ଣ ପଦକ ଜିତି ଭାରତ ରେକର୍ଡ କରିଥିଲା । କିନ୍ତୁ ୧୯୮୦ ପରେ ଆଉ ଭାରତକୁ ସେହି ସ୍ବର୍ଣ୍ଣିମ ସଫଳତା ମିଳିନାହିଁ ।  ୨୦୨୧ ଟୋକିଓ ଅଲମ୍ପିକ୍ସରେ ପୁରୁଷ ଭାରତୀୟ ଦଳ ବ୍ରୋଞ୍ଜ୍‌ ପଦକ ଜିତିଥିଲେ । ଦୀର୍ଘ ୪୧ ବର୍ଷ ପରେ ଭାରତର ଅଲମ୍ପିକ୍ସରେ ପଦକ ସ୍ବପ୍ନ ସାକାର ହୋଇଥିଲା ।

Leave A Reply

Your email address will not be published.