Latest Odisha News

ପୀଠେ ନବମୀ, ମଣ୍ଡପରେ ମହାଷ୍ଟମୀ…ଶାଢୀ ପୂଜା ପାଇଁ ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ୱର: ସେ ଦେବୀ ପୀଠ ହେଉ କି ପୂଜା ମଣ୍ଡପ ସବୁଠି ଚାଲିଛି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା । କିନ୍ତୁ ଏଥର କରୋନା ପାଇଁ ସବୁ ବର୍ଷ ଭଳି ସାଜସଜ୍ଜା ନାହିଁ କି ଶ୍ରଦ୍ଧାଳୁଙ୍କ ଭିଡ ନାହିଁ । ଆଜି ପୀଠରେ ଚାଲିଛି ନବମୀ ପୂଜା । ସେପଟେ ମୁଣ୍ମୟୀ ମୂର୍ତ୍ତୀଙ୍କ ନିକଟରେ ଅଷ୍ଟମୀ ପୂଜା ।
ସାଧାରଣତଃ ଅଷ୍ଟମୀରେ ମହିଳାମାନେ ଉପବାସ ରଖିଥାନ୍ତି । ଏପରିକି ମାଆଙ୍କ ପାଖେ ଶାଢୀ ମଧ୍ୟ ପୂଜା କରିଥାନ୍ତି । କିନ୍ତୁ ଏ ବର୍ଷ ଠାକୁରଙ୍କ ମୂର୍ତ୍ତି ଆଗରେ ପରଦା ପଡିଥିବାରୁ ମାଆଙ୍କୁ ଦର୍ଶନ କରିବାର ମଧ୍ୟ ସୁଯୋଗ ନାହିଁ । ଏଥି ପାଇଁ ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ଅନଲାଇନ ଦର୍ଶନର ବ୍ୟବସ୍ଥା କରାଯାଇଛି ।

ଏଥିସହ ମାଆଙ୍କ ପାଖରେ ଶାଢୀ ପୂଜା କରିବା ପାଇଁ ମଧ୍ୟ କେତେକ ମଣ୍ଡପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କେତେକ ସ୍ଥାନରେ ବାହାରେ ଷ୍ଟଲ କରାଯାଇଛି । ଶ୍ରଦ୍ଧାଳୁ ସେଠାରେ ଭୋଗ ଓ ଶାଢୀ ଦେଲେ ମଣ୍ଡପ କର୍ମକର୍ତ୍ତାମାନେ ସେଠାରୁ ନେଇ ପୂଜା କରିଦେବେ । ଏହା ପରେ ଶ୍ରଦ୍ଧାଳୁ ପୁଣି ଷ୍ଟଲରୁ ଭୋଗ ଓ ଶାଢୀ ସଂଗ୍ରହ କରିପାରିବେ । ଅନ୍ୟ କେତେକ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଘରୁ ଭୋଗ ସଂସ୍‌ଗରହ କରି ପୂଜା କରିବା ପରେ ପୁଣି ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

କରୋନା କଟକଣା ଥିବାରୁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଯେପରି ନ ଜମେ ସେଥି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ଏଥି ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.