Latest Odisha News

ରାଜ୍ୟରେ ସାମାଜିକ ବିଶୃଙ୍ଖଳାକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ, ସରକାରଙ୍କୁ କଲେ ଏପରି ଅନୁରୋଧ

ଭୁବନେଶ୍ବର: ବର୍ତ୍ତମାନ ବାଂଲାଦେଶରେ ଦେଖାଦେଇଥିବା ହିଂସା ର ପ୍ରଭାବ ପଡୋଶୀ ଦେଶ ତଥା ଭାରତ ଉପରେ ପଡିଛି । ସେଠାରୁ ଅନେକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାର ସ୍ଥିତି ଉପୁଜିଛି । ସେହିପରି ସମୁଦ୍ରପଥ ଦେଇ ବାଂଲାଦେଶୀମାନେ ଓଡ଼ିଶାରେ ପ୍ରବେଶ କରିବାର ଭୟ ରହିଛି । କାରଣ ଆଗରୁ ମଧ୍ୟ ଏପରି ଘଟଣା ଘଟିସାରିଛି ଅନେକ ବାଂଲାଦେଶୀ ଓଡ଼ିଶାରେ ଆସି ବସବାସ କରୁଥିବା ଦେଖିବାକୁ ମିଳିଛି ।

ଏଭଳି ସ୍ଥିତିରେ ଲୋକମାନେ ଅନେକ ସ୍ଥାନରେ ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ମାଡ଼ ମଧ୍ୟ ମରୁଥିବାର ଖବର ଆସୁଛି । ଫଳରେ ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସେ ଲେଖିଛନ୍ତି ଯେ, ‘ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି । ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି । କିନ୍ତୁ ଚିନ୍ତାର ବିଷୟ ଯେ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି । ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ମୋତେ ଭେଟି ସେମାନଙ୍କ ଦୁଃଖ ଜଣାଉଛନ୍ତି । ସେମାନେ ଆକ୍ରମଣ ଓ ବିଦ୍ବେଷର ଶିକାର ହେଉଥିବା ଦୁଃଖର କଥା’ ।

‘ମୁଁ ସମସ୍ତ ସମ୍ପ୍ରଦାୟକୁ ନିବେଦନ କରୁଛି, ଯେ ସେମାନେ ଓଡ଼ିଶାର ଭାବମୂର୍ତ୍ତି ତଥା ଗରିମା ରକ୍ଷା କରନ୍ତୁ । ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଲୋକଙ୍କ ଧନ, ଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ କାମ କରନ୍ତୁ’ ।

‘ଏକ ସଦଭାବପୂର୍ଣ୍ଣ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଛବି ହିଁ ଆମ ରାଜ୍ୟକୁ ନିବେଶକଙ୍କୁ ଆକୃଷ୍ଟ କରିଆସିଛି ଏବଂ ଆମେ ଆମ ଆର୍ଥିକ ଭିତ୍ତିଭୂମି ସୁଦୃଢ଼ କରିପାରିଛୁ । ଆନନ୍ଦର କଥା, ଆମେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରିଛୁ’ ।

ମୁଁ ରାଜ୍ୟ ସରକାରଙ୍କୁ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରୁଛି କି ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ସମସ୍ତ ପ୍ରକାରର ପଦକ୍ଷେପ ନିଅନ୍ତୁ । କାରଣ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ହେଉଛି ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି। ଯେଉଁଠି ଶାନ୍ତିଥାଏ, ସେଇଠି ହିଁ ପ୍ରଗତି ସମ୍ଭବ ହୁଏ ବୋଲି ନବୀନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

Comments are closed.