ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନବୀନଙ୍କ ଘନ ଘନ ଗସ୍ତ। ହଜାର ହଜାର କୋଟି ଟଙ୍କା ଯୋଜନାର ଉପହାର। କେନ୍ଦୁଝରଠୁ ଆରମ୍ଭ କରି କୋରାପୁଟ, ବରଗଡ଼, କଳାହାଣ୍ଡି, ନୂଆପଡା ଗସ୍ତ କରି ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିବା ନବୀନ ରାତି ପାହିଲେ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିବେ। ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଗସ୍ତ କରି ନବୀନ ବହୁ ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।
ସୁନ୍ଦରଗଡ ଜିଲ୍ଲା ଗସ୍ତ ସମୟରେ ନବୀନ ୧୦ ରୁ ଅଧିକ ପ୍ରକଳ୍ପର ଉଦଘାଟନ କରିବା ସହ ବହୁ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି। ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀ ବହୁ ହକି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ଚର୍ଚ୍ଚା ଜୋରଦାର। ହକି ବିଶ୍ୱକପ ଆୟୋଜନରେ ସୁନ୍ଦରଗଡ଼କୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ବିର୍ଶା ମୁଣ୍ଡା ଭଳି ବିଶ୍ୱସ୍ତରୀୟ ଷ୍ଟାଡିଅମ କରି ବେଶ ଚର୍ଚ୍ଚାରେ ଥିଲେ ନବୀନ।
ଏବେ ଜିଲ୍ଲା ଗସ୍ତ କରି ହକି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ କରିବା ଚର୍ଚ୍ଚାର କାରଣ ହୋଇଛି। ଆଗକୁ ନିର୍ବାଚନ ଥିବାରୁ ନବୀନଙ୍କ ଏହି ଗସ୍ତ ରାଜନୈତିକ ସ୍ତରରେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି। ଆସନ୍ନ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ନବୀନ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ଦଳକୁ ସୁଦୃଢ଼ କରୁଥିବା କୁହାଯାଉଛି।
ଏପରିକି ଜିଲ୍ଲାର ସ୍ଥିତି ଓ ଆବଶ୍ୟକତାକୁ ଦେଖି ବହୁ ଯୋଜନା ଭେଟି ଦିଆଯାଉଛି। ତେଣୁ ଏହା ଆଗାମୀ ନିର୍ବାଚନରେ ବିଜେଡିକୁ ଫାଇଦା ଦେବ ବୋଲି କୁହାଯାଉଛି। ସେହିପରି ଆସନ୍ତା 26 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଆସିବାକୁ ଚାହିଁଛି ବିଜେପି। ଅମିତ ଶାହା ଆସିବା ସହ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓଲ୍ହାଇବ ବୋଲି କୁହାଯାଉଛି। ତା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ବିଜେପି ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ସୂଚନା ମିଳୁଛି।
ସେପଟେ ଏପ୍ରିଲରୁ ରାଜ୍ୟ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ନେଇ ମଇଦାନକୁ ଆକ୍ରମନାତ୍ମକ ଢଙ୍ଗରେ ଓଲ୍ହାଇବ ବୋଲି କୁହାଯାଉଛି। ଏଥିସହିତ ବିଆରଏସ ମଧ୍ୟ ଏପ୍ରିଲ ଆରମ୍ଭରୁ ଦମଦାର ଢଙ୍ଗରେ ରାଜ୍ୟରେ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ସୂଚନା ମିଳିଛି। କିନ୍ତୁ ଅନ୍ୟ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି କରୁଥିବା ବେଳେ ନବୀନଙ୍କ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ ଅନ୍ୟ ରାଜନୈତିକ ଦଲଗୁଡିକର ମୁଣ୍ଡ ବ୍ୟଥାର କାରଣ ହୋଇଛି।
Comments are closed.