Naveen Patnaik: ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ; ‘ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି’
ଭୁବନେଶ୍ବର: ଅମଳ ପରେ ବି ମଣ୍ଡିରେ ପଡି ରହିଛି ଧାନ । ଚାଷୀ ମାନେ ନିଜ କଷ୍ଟ ଅର୍ଜିତ ଧାନକୁ ବିକ୍ରି କରି ନପାରି ଶୀତ କାକରରେ ବି ରାତି ରାତି ଜଗି ରହୁଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି । ନବୀନ ତାଙ୍କ ଫେସବୁକ ଆକାଉଣ୍ଟରେ ଏନେଇ ଏକ ପୋଷ୍ଟ କରିଛନ୍ତି ।
ପୋଷ୍ଟରେ ନବୀନ ଲେଖିଛନ୍ତି ଯେ, ରାଜ୍ୟରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଧାନ ସଂଗ୍ରହ ବ୍ୟବସ୍ଥା, ଖୋଦ ସରକାରଙ୍କ ଦ୍ଵାରା ଚାଷୀ ପ୍ରତାରିତ, ଅସହାୟ ଓ ହତାଶ । ଚାଷୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ବିଜେପିର ଡବଲ୍ ଇଞ୍ଜିନ୍ ସରକାର କ୍ଷମତାକୁ ଆସିଥିଲା। ହେଲେ ସରକାର ଗଢ଼ିବା ପରେ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା? ଧାନ କିଣାରେ ବୋନସ ଘୋଷଣା କରି ଚାଷୀଙ୍କୁ ଦିବାସ୍ୱପ୍ନ ଦେଖାଇଥିବା ସରକାରରେ ଆରମ୍ଭରୁ ଟୋକାନଠୁ ନେଇ ମଣ୍ଡି ଅବ୍ୟବସ୍ଥା ସହ ଧାନ ସଂଗ୍ରହ ପର୍ଯ୍ୟନ୍ତ ସବୁଠି ଚାଷୀ ହତାଶ ହୋଇଛନ୍ତି ।
ଅସହ୍ୟ ଅଣ୍ଡା କାକର, ଶୀତରେ ଚାଷୀମାନେ ମଣ୍ଡିରେ ନିଜ ଅମଳ ଧାନକୁ ଜଗି ବସିଛନ୍ତି । ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ। ସରକାର ଚାଷୀଙ୍କ ଧାନ କେବେ ଉଠାଇବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଧାନ ସଂଗ୍ରହ ଆରମ୍ଭରୁ ସବୁ ବ୍ୟବସ୍ଥା ହୋଇଯାଇଛି, ଟୋକନ୍ ସମସ୍ତଙ୍କୁ ମିଳିବ, ମନ୍ତ୍ରୀମାନେ ମଣ୍ଡି ଜଗିବେ ବୋଲି ସରକାର ଚାଷୀଙ୍କୁ କହିଲେ। ହେଲେ କ’ଣ ହେଲା? ମଣ୍ଡିରେ ମନ୍ତ୍ରୀମାନଙ୍କ ପାଦ ପଡ଼ିବା ତ ଦୂରର କଥା, ଦୁଃଖ ସମୟରେ ଚାଷୀଙ୍କ ପାଖରେ ବି ସରକାରୀ ଦଳର କାହାକୁ ଦେଖିବାକୁ ମିଳୁ ନାହିଁ । ଯେତେବେଳେ ନିଜ ଅମଳ ଧାନ ବିକ୍ରି କରି ନ ପାରି ଚାଷୀ ଆନ୍ଦୋଳନ କରୁଛି ସେତେବେଳେ ଏ ସରକାର ତାଙ୍କୁ ‘ନୌଟଙ୍କି’ ବୋଲି କହି ତାତ୍ସଲ୍ୟ କରୁଛି । ଏହା କ’ଣ ଡବଲ୍ ଇଞ୍ଜିନ୍ ସରକାରର ଚାଷୀଙ୍କୁ ସମ୍ମାନ?
ଚାଷୀଙ୍କ ସ୍ୱାର୍ଥ ସବୁଠୁ ଆଗରେ । ଆମ ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ସହ ଡବଲ୍ ଇଞ୍ଜିନ୍ ବିଜେପି ସରକାରର ଏପରି ଛଳନାର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ । ବିଜୁ ଜନତା ଦଳ ଚାଷୀଙ୍କ ସାଥିରେ, ଚାଷୀଙ୍କ ହକ୍ ପାଇଁ ସବୁସ୍ତରରେ ସ୍ୱର ଶାଣିତ କରିବ ବୋଲି ନବୀନ କହିଛନ୍ତି ।